ଭୁବନେଶ୍ୱର : ରାଜ୍ୟରେ ଦେଖାଦେଇଥିବା ତୈଳ ସଙ୍କଟ ଲୋକଙ୍କ ଦୈନନ୍ଦିନ ଜୀବନକୁ ବେଶ ପ୍ରଭାବିତ କରିଛି। ପେଟ୍ରୋଲ ପମ୍ପଗୁଡ଼ିକରେ ଲମ୍ବା ଲାଇନ୍ ଦେଖିବାକୁ ମିଳୁଥିବାବେଳେ କେତେକ ସ୍ଥାନରେ ସୀମିତ ପରିମାଣରେ ଇନ୍ଧନ ବିକ୍ରି କରାଯାଉଛି। କେଉଁଠି ୨୦୦ ଟଙ୍କା ତ କେଉଁଠି ୩୦୦ ଟଙ୍କାର ପେଟ୍ରୋଲ ମାତ୍ର ମିଳୁଥିବାରୁ ସାଧାରଣ ଲୋକ ଅସୁବିଧାରେ ପଡ଼ିଛନ୍ତି। ଏହି ପରିସ୍ଥିତି ମଧ୍ୟରେ ରାଜ୍ୟରେ ଇଲେକ୍ଟ୍ରିକ ଭେହିକଲ୍ (ଇଭି) ପ୍ରତି ଆଗ୍ରହ ହଠାତ୍ ବଢ଼ିଯାଇଛି । ଗତ ଦୁଇ ଦିନ ଧରି ଭୁବନେଶ୍ୱର-କଟକ ସହ ଅନେକ ସହରର ଇଭି ଶୋରୁମ ଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ଲାଗି ରହିଛି।
ଇଭି ଗାଡ଼ି ବିକ୍ରେତାମାନଙ୍କ କହିବା ଅନୁଯାୟୀ, ତୈଳ ସଙ୍କଟ ପରେ ଲୋକମାନେ ଏବେ ବିକଳ୍ପ ଯାନ ବ୍ୟବସ୍ଥା ଭାବେ ଇଭିକୁ ଅଧିକ ପସନ୍ଦ କରୁଛନ୍ତି। ଅନେକ ଶୋରୁମରେ ବୁକିଂ ଦୁଇରୁ ଦଶ ଗୁଣ ପର୍ଯ୍ୟନ୍ତ ବଢ଼ିଥିବା ସୂଚନା ମିଳିଛି। ବିଶେଷକରି ପ୍ରଥମ ଥର ପାଇଁ ଇଭି କିଣୁଥିବା ଗ୍ରାହକଙ୍କ ସଂଖ୍ୟା ବେଶି ରହିଛି। ଉନ୍ନତ ବ୍ୟାଟେରି ପ୍ରଯୁକ୍ତି, କମ୍ ଖର୍ଚ୍ଚରେ ଚଳନ୍ତା ସୁବିଧା ଏବଂ ନୂତନ ଫିଚର୍ ଥିବା ମଡେଲ୍ ଲୋକଙ୍କୁ ଆକର୍ଷିତ କରୁଛି।
ଏକ ପ୍ରମୁଖ ଇଭି କମ୍ପାନିର ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ତୈଳ ଅଭାବ ପରିସ୍ଥିତିରେ ଲୋକମାନେ ଇଭିକୁ ଭବିଷ୍ୟତର ସୁରକ୍ଷିତ ଏବଂ ଶସ୍ତା ପରିବହନ ବିକଳ୍ପ ଭାବେ ଦେଖୁଛନ୍ତି । ଗତ କିଛି ଦିନରେ ଶୋରୁମ ଗୁଡ଼ିକରେ ଅପ୍ରତ୍ୟାଶିତ ଭିଡ଼ ଦେଖାଯାଇଥିବାରୁ ଗ୍ରାହକଙ୍କ ଚାହିଦା ପୂରଣ ପାଇଁ କମ୍ପାନିମାନେ ଅତିରିକ୍ତ ବ୍ୟବସ୍ଥା କରୁଛନ୍ତି।
ଗ୍ରାହକମାନଙ୍କ କହିବା ଅନୁଯାୟୀ, ବର୍ତ୍ତମାନର ତୈଳ ସଙ୍କଟ ପରିସ୍ଥିତି ଇଭି କିଣିବାକୁ ପ୍ରେରିତ କରିଛି। ପେଟ୍ରୋଲ ଓ ଡିଜେଲ୍ ଉପରୁ ନିର୍ଭରଶୀଳତା କମାଇବା ପାଇଁ ଇଭି ଏକ ଭଲ ବିକଳ୍ପ ବୋଲି ସେମାନେ ମତ ଦେଇଛନ୍ତି। ଏଥିସହ ଚାର୍ଜିଂ ଭିତ୍ତିଭୂମିରେ ଧୀରେଧୀରେ ସୁଧାର ଆସୁଥିବାରୁ ଲୋକଙ୍କ ବିଶ୍ୱାସ ଆହୁରି ବଢ଼ୁଛି।
ରାଜ୍ୟରେ ଶୀଘ୍ର ୧୯୦ଟି ନୂଆ ଚାର୍ଜିଂ ଷ୍ଟେଶନ୍ ସ୍ଥାପନ ହେବାକୁ ଯାଉଥିବାରୁ ଇଭି ବ୍ୟବହାର ଆହୁରି ସହଜ ହେବ ବୋଲି ଶୋରୁମ ମାଲିକମାନେ କହିଛନ୍ତି। ବର୍ତ୍ତମାନ ଦୁଇ ଚକିଆ ଓ ଚାରି ଚକିଆ ଉଭୟ ପ୍ରକାରର ଇଭି ପାଇଁ ଚାହିଦା ବଢ଼ିଥିବା ଦେଖାଯାଉଛି। ସରକାରୀ ପ୍ରୋତ୍ସାହନ, ସୁଲଭ ରକ୍ଷଣାବେକ୍ଷଣ ଖର୍ଚ୍ଚ ଏବଂ ପରିବେଶ ପ୍ରତି ସଚେତନତା ମଧ୍ୟ ଏହି ଧାରାକୁ ଆଗକୁ ବଢ଼ାଇଛି।
କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ମଧ୍ୟ ଇଭି ପ୍ରତି ଆକର୍ଷଣ ବଢ଼ୁଛି। ସରକାର ମଧ୍ୟ ଇଲେକ୍ଟ୍ରିକ ଯାନ ବ୍ୟବହାରକୁ ପ୍ରାଥମିକତା ଦେଉଛନ୍ତି। ରାଜ୍ୟର ସମସ୍ତ ସରକାରୀ ବସକୁ ପର୍ଯ୍ୟାୟକ୍ରମେ ଇଭିରେ ପରିଣତ କରାଯିବ ବୋଲି ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା ପୂର୍ବରୁ ଘୋଷଣା କରି ସାରିଛନ୍ତି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
