Explore

Search

September 2, 2026 7:28 pm

ଦିଲ୍ଲୀରେ ଚମକିଲା ଗଞ୍ଜାମର ଲୋକକଳା : ରାଷ୍ଟ୍ରପତିଙ୍କ ଠାରୁ ମିଳିଲା ପ୍ରଶଂସା

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର କଳା, ସଂସ୍କୃତି ଓ ଲୋକପରମ୍ପରା ପାଇଁ ଏକ ଐତିହାସିକ ତଥା ଅବିସ୍ମରଣୀୟ ମୁହୂର୍ତ୍ତ ସୃଷ୍ଟି ହୋଇଛି। ଗଞ୍ଜାମର ସମୃଦ୍ଧ ଲୋକକଳା ଓ ସାଂସ୍କୃତିକ ପରମ୍ପରାକୁ ଜାତୀୟସ୍ତରରେ ପରିଚିତ କରାଇବାର ଏକ ଗୌରବମୟ ଅବସରରେ ଜିଲ୍ଲାର ୫ଟି ପ୍ରମୁଖ ସାଂସ୍କୃତିକ ଦଳର ୯୧ ଜଣ ଲୋକକଳାକାର ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ମାନ୍ୟବର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି । ଆଉ ଯାହାକୁ ନେଇ ଗଞ୍ଜାମର ସମଗ୍ର କଳାକାର ନିଜକୁ ଗର୍ବିତ ମନେ କରିଛନ୍ତି ।

ଏହି ଅବସରରେ ମାନ୍ୟବର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗଞ୍ଜାମର ସମୃଦ୍ଧ କଳା, ସଂସ୍କୃତି ଓ ଲୋକପରମ୍ପରାକୁ ପ୍ରଶଂସା କରି କଳାକାରମାନଙ୍କୁ ଆଗାମୀ ଦିନରେ ନିଜ କ୍ଷେତ୍ରରେ ଶ୍ରେଷ୍ଠତା ହାସଲ ପାଇଁ ପ୍ରେରଣା ଦେଇଥିଲେ। ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତିଭାସନଙ୍କ ନେତୃତ୍ୱରେ ଜିଲ୍ଲାର କଳା, ସଂସ୍କୃତି ଓ ଲୋକପ୍ରତିଭାକୁ ପ୍ରୋତ୍ସାହନ ଦେବା ଦିଗରେ ନିଆଯାଉଥିବା ଏଭଳି ପଦକ୍ଷେପ ନିଶ୍ଚିତ ଭାବେ ଆଗାମୀ ଦିନରେ ଗଞ୍ଜାମର ସାଂସ୍କୃତିକ ପରିଚୟକୁ ଆହୁରି ସୁଦୃଢ଼ କରିବ।
ଏହି ସାକ୍ଷାତକାର କେବଳ ଗଞ୍ଜାମର କଳାକାରମାନଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ନୁହେଁ, ବରଂ ସମଗ୍ର ଜିଲ୍ଲାର ସାଂସ୍କୃତିକ ଐତିହ୍ୟ ପାଇଁ ଏକ ବଡ଼ ସମ୍ମାନ ଭାବେ ପରିଗଣିତ ହେଉଛି । ଗାଁ-ଗାଁରେ ପିଢ଼ି ପରେ ପିଢ଼ି ଧରି ସଂରକ୍ଷିତ ହୋଇଆସୁଥିବା ଲୋକକଳା ଆଜି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅସୀନ ରାଷ୍ଟ୍ରପତିଙ୍କ ସମ୍ମୁଖରେ ପହଞ୍ଚିବା ଗଞ୍ଜାମବାସୀଙ୍କ ପାଇଁ ଗର୍ବର ବିଷୟ ପାଲଟିଛି।

ଏହି ଗୌରବମୟ ସାକ୍ଷାତକାରରେ ସୌରା, ସୋଦ୍ରା ଓ ଆଦିବାସୀ ମହିଳା ସଂକୀର୍ତ୍ତନ ମଣ୍ଡଳୀ ସମେତ ବିଭିନ୍ନ ଲୋକକଳା ଦଳର କଳାକାରମାନେ ଅଂଶଗ୍ରହଣ କରିଥିଲେ। ନିଜ ନିଜ ଅଞ୍ଚଳର ସାଂସ୍କୃତିକ ପରିଚୟ, ପାରମ୍ପରିକ କଳା ଓ ଲୋକଜୀବନ ସହ ଜଡ଼ିତ କଳାଧାରାକୁ ନେଇ କଳାକାରମାନେ ରାଷ୍ଟ୍ରପତି ଭବନରେ ପହଞ୍ଚିଥିଲେ। ଗଞ୍ଜାମର ବିବିଧତାପୂର୍ଣ୍ଣ ସଂସ୍କୃତିର ଏହି ଅନନ୍ୟ ଚିତ୍ର ସମସ୍ତଙ୍କୁ ଆକର୍ଷିତ କରିଥିଲା।
ରାଷ୍ଟ୍ରପତି ଭବନରେ ଏହି ଲୋକକଳାକାରମାନଙ୍କ ସହ ସାକ୍ଷାତ ସମୟରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗଞ୍ଜାମର ସମୃଦ୍ଧ ଲୋକକଳା ଓ ସାଂସ୍କୃତିକ ପରମ୍ପରାର ପ୍ରଶଂସା କରିଥିଲେ। ଲୋକକଳା ହେଉଛି ଦେଶର ସାଂସ୍କୃତିକ ଆତ୍ମା ଏବଂ ଏହାକୁ ସୁରକ୍ଷିତ ରଖିବାରେ କଳାକାରମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି ସେ ମତ ପ୍ରକାଶ କରିଥିଲେ ।
କଳାକାରମାନଙ୍କ ପ୍ରତିଭା ଓ ସେମାନଙ୍କ ଦୀର୍ଘଦିନର ସାଧନାକୁ ପ୍ରଶଂସା କରି ରାଷ୍ଟ୍ରପତି ସେମାନଙ୍କୁ ନିଜ ନିଜ କ୍ଷେତ୍ରରେ ଆହୁରି ଉତ୍କର୍ଷ ହାସଲ କରିବା ପାଇଁ ପ୍ରେରଣା ଦେଇଥିଲେ। ପାରମ୍ପରିକ କଳାକୁ କେବଳ ସଂରକ୍ଷଣ କରିବା ନୁହେଁ, ନୂତନ ପିଢ଼ି ପର୍ଯ୍ୟନ୍ତ ଏହାକୁ ପହଞ୍ଚାଇବା ମଧ୍ୟ ସମସ୍ତଙ୍କ ଦାୟିତ୍ୱ ବୋଲି ଏହି ଅବସରରେ ସନ୍ଦେଶ ଦିଆଯାଇଥିଲା।
ଗଞ୍ଜାମର ଲୋକକଳା କେବଳ ଓଡ଼ିଶାର ନୁହେଁ, ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ମଧ୍ୟ ଏକ ଅମୂଲ୍ୟ ଅଂଶ। ସୌରା, ସୋଦ୍ରା, ଆଦିବାସୀ ସଂସ୍କୃତି ଓ ମହିଳା ସଂକୀର୍ତ୍ତନ ପରମ୍ପରା ଭଳି କଳାଧାରା ଆମ ଦେଶର ବିବିଧ ସାଂସ୍କୃତିକ ପରିଚୟକୁ ଆହୁରି ସମୃଦ୍ଧ କରିଥାଏ।
ଗାଁ ମାଟିରୁ ଉଠିଥିବା ଏହି କଳାକାରମାନେ ଆଜି ଦେଶର ସର୍ବୋଚ୍ଚ ଭବନରେ ପହଞ୍ଚି ନିଜ କଳା ଓ ସଂସ୍କୃତିର ଗୌରବକୁ ଆହୁରି ଉଚ୍ଚ କରିଛନ୍ତି। ଏହି ଐତିହାସିକ ସାକ୍ଷାତକାର ଗଞ୍ଜାମର ପ୍ରତ୍ୟେକ କଳାପ୍ରେମୀ ଓ ସାଂସ୍କୃତିକ ଅନୁରାଗୀଙ୍କ ପାଇଁ ଗର୍ବର ବିଷୟ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score