Explore

Search

September 2, 2026 7:29 pm

PUCC ଜୋରିମାନାରେ କୋହଳ : ୧୦ ହଜାର ବଦଳରେ ୬ ହଜାର ଟଙ୍କା ଦେବେ ଗାଡ଼ି ଚାଳକ

ଭୁବନେଶ୍ୱର : ଦୀର୍ଘ ଦିନ ଧରି ଗାଡ଼ି ଚାଳକ ଓ ସାଧାରଣ ଲୋକଙ୍କ ପକ୍ଷରୁ ହୋଇଆସୁଥିବା ଦାବି ପରେ ଶେଷରେ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍‌ ବା PUCC (Pollution Under Control Certificate) ନଥିବା ଗାଡ଼ି ଉପରେ ଲାଗୁ ହେଉଥିବା ଜୋରିମାନାରେ କୋହଳ କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ସର୍ବାଧିକ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ରହିଥିବାବେଳେ ଏବେ ତାହାକୁ କମାଇ ସର୍ବାଧିକ ୬ ହଜାର ଟଙ୍କା କରାଯାଇଛି।

ପରିବହନ ବିଭାଗ ପକ୍ଷରୁ ଗାଡ଼ିର ପ୍ରକାର ଏବଂ କେତେଥର ନିୟମ ଉଲ୍ଲଂଘନ ହୋଇଛି, ତାହା ଆଧାରରେ ନୂଆ ଜୋରିମାନା ବ୍ୟବସ୍ଥା ଲାଗୁ କରାଯାଇଛି। ଏହି ନିଷ୍ପତ୍ତି ଗାଡ଼ି ଚାଳକମାନଙ୍କ ପାଇଁ ବଡ଼ ଆଶ୍ୱସ୍ତିର ଖବର ହୋଇଛି।

ନୂଆ ନିୟମ ଅନୁସାରେ, ଦୁଇଚକିଆ ଗାଡ଼ି ପ୍ରଥମ ଥର PUCC ବିନା ଧରାପଡ଼ିଲେ ୧ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ସେହି ଗାଡ଼ି ଦ୍ୱିତୀୟ ଥର ନିୟମ ଉଲ୍ଲଂଘନ କଲେ ଜୋରିମାନା ୨ ହଜାର ଟଙ୍କା ହେବ।

ସେହିପରି ତିନିଚକିଆ ଗାଡ଼ି ପାଇଁ ମଧ୍ୟ ପ୍ରଥମ ଥର ୧ ହଜାର ଟଙ୍କା ଏବଂ ଦ୍ୱିତୀୟ ଥର ୨ ହଜାର ଟଙ୍କା ଜୋରିମାନା ଧାର୍ଯ୍ୟ କରାଯାଇଛି।

ଟ୍ରାକ୍ଟର ଓ ଟ୍ରେଲର କ୍ଷେତ୍ରରେ ପ୍ରଥମ ଥର ଧରାପଡ଼ିଲେ ୨ ହଜାର ଟଙ୍କା ଜୋରିମାନା ଲାଗିବ। ଦ୍ୱିତୀୟଥର ନିୟମ ଭଙ୍ଗ କଲେ ଜୋରିମାନା ବୃଦ୍ଧି ପାଇ ୫ ହଜାର ଟଙ୍କା ହେବ।

କାହିଁକି କମିଲା ଜୋରିମାନା ?

ଦିଲ୍ଲୀ ପରେ ଓଡ଼ିଶା ଏପରି ଏକ ପ୍ରମୁଖ ରାଜ୍ୟ ଥିଲା, ଯେଉଁଠାରେ PUCC ନଥିଲେ ସର୍ବାଧିକ ୧୦ ହଜାର ଟଙ୍କା ଜୋରିମାନାର ବ୍ୟବସ୍ଥା କରାଯାଇଥିଲା। ଏହି ଉଚ୍ଚ ଜୋରିମାନାକୁ ନେଇ ସାଧାରଣ ଲୋକ ଓ ଗାଡ଼ି ଚାଳକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା।

ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍‌କୁ ନେଇ ଗତ ପ୍ରାୟ ବର୍ଷେ ଧରି ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏକ ସମୟରେ PUCC ନଥିଲେ ପେଟ୍ରୋଲ ପମ୍ପରେ ଗାଡ଼ିକୁ ଇନ୍ଧନ ନଦେବା ପାଇଁ ମଧ୍ୟ କଟକଣା ଲାଗୁ କରାଯାଇଥିଲା। ଏହାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ଲୋକଙ୍କ ବିରୋଧ ଓ ଅସନ୍ତୋଷ ବଢ଼ିବା ପରେ ପରବର୍ତ୍ତୀ ସମୟରେ ସେହି କଟକଣା ପ୍ରତ୍ୟାହାର କରାଯାଇଥିଲା। କିନ୍ତୁ PUCC ନଥିଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନାକୁ ନେଇ ଲଗାତାର ପ୍ରଶ୍ନ ଉଠୁଥିଲା।

ଏଭଳି ପରିସ୍ଥିତିରେ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ଭୁବନେଶ୍ୱରରେ PUCC ଜୋରିମାନା ହ୍ରାସ ସମ୍ପର୍କରେ ଘୋଷଣା କରିଛନ୍ତି ।

କେନ୍ଦ୍ରୀୟ ମୋଟରଯାନ ଆଇନରେ ପ୍ରଦୂଷଣ ସମ୍ପର୍କିତ ନିୟମ ଉଲ୍ଲଂଘନ ପାଇଁ ୧ ହଜାରରୁ ସର୍ବାଧିକ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନାର ବ୍ୟବସ୍ଥା ରହିଛି । ଏହି ସୀମା ମଧ୍ୟରେ ରାଜ୍ୟସରକାର ନିଜ ରାଜ୍ୟର ପରିସ୍ଥିତି ଅନୁଯାୟୀ ଜୋରିମାନା ନିର୍ଦ୍ଧାରଣ କରିପାରିବେ।

ଏବେ ଜୋରିମାନା କମାଯାଇଥିବାରୁ ଗାଡ଼ି ଚାଳକଙ୍କ ଉପରେ ପୂର୍ବଭଳି ଆର୍ଥିକ ଚାପ ପଡ଼ିବ ନାହିଁ । ତେବେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସମସ୍ତ ଗାଡ଼ି ମାଲିକ ସମୟମତେ PUCC କରାଇବା ଏବଂ ସାର୍ଟିଫିକେଟକୁ ବୈଧ ରଖିବା ଆବଶ୍ୟକ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score