Explore

Search

September 1, 2026 7:26 pm

ବଢୁଛି ମୃତ୍ୟୁ ସଂଖ୍ୟା : ମିଳୁନି ନିଖୋଜ ଓଡ଼ିଆଙ୍କ ପତ୍ତା

କାଠମାଣ୍ଡୁ : ନେପାଳରେ ହୋଇଥିବା ଭୟଙ୍କର ବନ୍ୟା ପରେ ସ୍ଥିତି ଅତ୍ୟନ୍ତ ସଙ୍କଟଜନକ ହୋଇପଡ଼ିଛି। ସରକାରୀ ତଥ୍ୟ ଅନୁଯାୟୀ, ଏହି ଭୟାବହ ବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା ୯୦୩ରେ ପହଞ୍ଚିଥିବା ବେଳେ, ପ୍ରାୟ ୪ ହଜାର ଲୋକ ଏବେ ମଧ୍ୟ ନିଖୋଜ ଥିବା ସୂଚନା ମିଳିଛି । ଷଷ୍ଠ ଦିନରେ ପହଞ୍ଚିଥିବା ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି।

ଏହି ଭୟଙ୍କର ବନ୍ୟା ମଧ୍ୟରେ ନିଖୋଜ ଥିବା ଓଡ଼ିଆ ଦମ୍ପତିଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୁରାକ ମିଳିନାହିଁ। ଫଳରେ ପରିବାର ସଦସ୍ୟଙ୍କ ଚିନ୍ତା ଓ ଉତ୍କଣ୍ଠା ଦିନକୁ ଦିନ ବଢ଼ିବାରେ ଲାଗିଛି।

ନେପାଳ ବନ୍ୟାରେ ନିଖୋଜ ଓଡ଼ିଆ ଦମ୍ପତି

ନେପାଳ ବନ୍ୟାରେ ନିଖୋଜ ଥିବା ଖୋର୍ଦ୍ଧା ଜିଲ୍ଲାର ଦମ୍ପତି ସନ୍ଦୀପ ମହାପାତ୍ର ଏବଂ ତାଙ୍କ ପତ୍ନୀ ସିଦ୍ଧାର୍ଥୀ କୁମାରୀ ସାହୁଙ୍କ ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ। ଉଭୟେ ମେଲବୋର୍ଣ୍ଣରେ ରହୁଥିବା ସୂଚନା ରହିଛି। ସେମାନଙ୍କ ସନ୍ଧାନ ମିଳିବାର ଆଶା ଦିନକୁ ଦିନ ମଳିନ ହେଉଥିବାବେଳେ ପରିବାର ଲୋକେ ଚିନ୍ତାରେ ରହିଛନ୍ତି।

ନେପାଳରେ ଫସି ରହିଥିବା ଓଡ଼ିଶାର ଲୋକମାନଙ୍କୁ ସହାୟତା କରିବା ପାଇଁ ରାଜ୍ୟ ସରକାର ଜଣେ ନୋଡାଲ୍ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି। ନୋଡାଲ୍ ଅଧିକାରୀ କହିଛନ୍ତି ଯେ, ନିଖୋଜ ବ୍ୟକ୍ତିମାନଙ୍କ ସମ୍ପର୍କରେ ସୂଚନା ପାଇବା ପାଇଁ ଓଡ଼ିଶା ସରକାର ନେପାଳରେ ଥିବା ଭାରତୀୟ ଦୂତାବାସ ସହିତ ନିରନ୍ତର ଯୋଗାଯୋଗରେ ରହିଛନ୍ତି ।

ନେପାଳର ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଓ ପରିଚାଳନା କର୍ତ୍ତୃପକ୍ଷ (NDRRMA) ରବିବାର ସୂଚନା ଦେଇ କହିଛି ଯେ, ଭୟଙ୍କର ବନ୍ୟାରେ ମୃତ୍ୟୁ ସଂଖ୍ୟା ୯୦୩ରେ ପହଞ୍ଚିଛି । ନିଖୋଜ ଲୋକଙ୍କୁ ଖୋଜିବା ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ କାର୍ଯ୍ୟ ଚଳାଇବା ପାଇଁ ୧୮ ହଜାରରୁ ଅଧିକ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି।

ବନ୍ୟା ପ୍ରଭାବିତ ବିଭିନ୍ନ ଜିଲ୍ଲାରୁ ବହୁ ସଂଖ୍ୟକ ମୃତଦେହ ଉଦ୍ଧାର କରାଯାଇଛି।

ସେପଟେ ବନ୍ୟା ପ୍ରଭାବିତ ମୈଲୁଙ୍ଗ ଏବଂ ଧୁଞ୍ଚେ ଅଞ୍ଚଳରେ ଫସି ରହିଥିବା ବିଦେଶୀ ନାଗରିକଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। NDRRMAର ସୂଚନା ଅନୁଯାୟୀ, ୧୫ ଜଣ ଚୀନ୍ ନାଗରିକ ଏବଂ ୫ଜଣ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏମାନଙ୍କ ମଧ୍ୟରେ ଉପର ତ୍ରିଶୁଲି-I ଜଳବିଦ୍ୟୁତ ପ୍ରକଳ୍ପରେ କାମ କରୁଥିବା କିଛି କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି।

ଅନ୍ୟପଟେ ଭାରତର ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ନେପାଳରେ ଫସି ରହିଥିବା ଭାରତୀୟଙ୍କ ଉଦ୍ଧାର ନେଇ ସୂଚନା ଦେଇଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ସୋସିଆଲ୍ ମିଡିଆ ‘X’ରେ ଏକ ପୋଷ୍ଟ କରି କହିଛନ୍ତି ଯେ, ୩୦ ଅଗଷ୍ଟ ସନ୍ଧ୍ୟା ୫ଟା ୩୦ ସୁଦ୍ଧା ନେପାଳରୁ ୧୪୯ ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି ।

ତେବେ ନେପାଳରେ ଏବେ ମଧ୍ୟ ସନ୍ଧାନ, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜୋରଦାର ଭାବେ ଜାରି ରହିଛି। ହଜାର ହଜାର ଲୋକ ନିଖୋଜ ଥିବାରୁ ଆଗାମୀ ଦିନରେ କ୍ଷୟକ୍ଷତିର ପରିମାଣ ଆହୁରି ସ୍ପଷ୍ଟ ହେବ ବୋଲି ଆଶଙ୍କା କରାଯାଉଛି। ଏହି ସମୟରେ ନିଖୋଜ ଓଡ଼ିଆ ଦମ୍ପତିଙ୍କ ସନ୍ଧାନକୁ ନେଇ ସେମାନଙ୍କ ପରିବାର ଓ ଓଡ଼ିଶା ସରକାର ନେପାଳ ପ୍ରଶାସନ ଏବଂ ଭାରତୀୟ ଦୂତାବାସର ସୂଚନାକୁ ଅପେକ୍ଷା କରିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score