ଭୁବନେଶ୍ୱର : ୨୦୨୬-୨୭ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଛି। ବୁଧବାର ପୂର୍ବାହ୍ନ ୧୧ଟାରେ ଭୁବନେଶ୍ୱର ନ୍ୟୁ ରେଳ ଷ୍ଟେସନରୁ ବାରାଣସୀ ଓ ଅଯୋଧ୍ୟା ଅଭିମୁଖେ ସ୍ୱତନ୍ତ୍ର ତୀର୍ଥଯାତ୍ରା ଟ୍ରେନ୍ ଯାତ୍ରା ଆରମ୍ଭ କରିଛି।
ଏହି ତୀର୍ଥଯାତ୍ରା ଟ୍ରେନ୍କୁ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ସବୁଜ ସଙ୍କେତ ଦେଇ ଶୁଭାରମ୍ଭ କରିଥିଲେ।
ପ୍ରଥମ ପର୍ଯ୍ୟାୟରେ ପୁରୀ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବରିଷ୍ଠ ନାଗରିକମାନେ ଏହି ପବିତ୍ର ଯାତ୍ରାରେ ସାମିଲ ହୋଇଛନ୍ତି। ସେମାନେ ବାରାଣସୀରେ କାଶୀ ବିଶ୍ୱନାଥଙ୍କ ଦର୍ଶନ କରିବା ସହ ଗଙ୍ଗା ଆଳତି ଦେଖିବେ। ଏହା ପରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଲାଲାଙ୍କ ଦର୍ଶନ କରିବାର ସୌଭାଗ୍ୟ ପାଇବେ।
ତୀର୍ଥଯାତ୍ରାର ଶୁଭାରମ୍ଭ ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଥିଲେ ଯେ, ପ୍ରଭୁ ଲିଙ୍ଗରାଜଙ୍କ ପୀଠରୁ କାଶୀ ବିଶ୍ୱନାଥ ଓ ଅଯୋଧ୍ୟା ପର୍ଯ୍ୟନ୍ତ ଏହି ଯାତ୍ରା ସମସ୍ତଙ୍କ ପାଇଁ ସଫଳ ଓ ସ୍ମରଣୀୟ ହେଉ।
ସେ କହିଥିଲେ ଯେ, ଏହି ଯୋଜନା ମାଧ୍ୟମରେ ଓଡ଼ିଶାର ବରିଷ୍ଠ ନାଗରିକମାନେ ଦେଶର ବିଭିନ୍ନ ପ୍ରମୁଖ ତୀର୍ଥସ୍ଥାନ ପରିଦର୍ଶନ କରିବାର ସୁଯୋଗ ପାଉଛନ୍ତି। ଏହା ସହ ସେମାନେ ସେହି ସ୍ଥାନଗୁଡ଼ିକର ଆଧ୍ୟାତ୍ମିକ, ସାଂସ୍କୃତିକ ଓ ଐତିହାସିକ ଗୁରୁତ୍ୱ ସମ୍ପର୍କରେ ମଧ୍ୟ ଜାଣିପାରିବେ।
ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାରୁ ୧୬୯ ଜଣ, ଜଗତସିଂହପୁରରୁ ୮୫ ଜଣ, କଟକରୁ ୧୯୭ ଜଣ, ପୁରୀରୁ ୧୨୭ ଜଣ, କେନ୍ଦ୍ରାପଡ଼ାରୁ ୧୦୮ ଜଣ ଏବଂ ଢେଙ୍କାନାଳରୁ ୮୯ ଜଣ ବରିଷ୍ଠ ନାଗରିକ ଏହି ଯାତ୍ରାରେ ସାମିଲ ହୋଇଛନ୍ତି।
ସେମାନଙ୍କ ଯାତ୍ରା ସମୟରେ ସମସ୍ତ ସୁବିଧାସୁଯୋଗ ଓ ଦେଖାଶୁଣା ପାଇଁ ୨୫ ଜଣ ଅଧିକାରୀ ମଧ୍ୟ ସାଥୀରେ ଯାତ୍ରା କରିଛନ୍ତି। ତୀର୍ଥଯାତ୍ରୀଙ୍କ ମଧ୍ୟରେ ୩୩୩ ଜଣ ମହିଳା ଏବଂ ୪୩୨ ଜଣ ପୁରୁଷ ରହିଛନ୍ତି। ଏହି ଅବସରରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଉପସ୍ଥିତ ରହି ତୀର୍ଥଯାତ୍ରୀମାନଙ୍କୁ ସମ୍ବୋଧିତ କରିଥିଲେ। ଏହାସହ ସମସ୍ତଙ୍କର ସୁରକ୍ଷିତ ଓ ସଫଳ ଯାତ୍ରା ପାଇଁ ସେମାନେ ଶୁଭେଚ୍ଛା ଜଣାଇଥିଲେ।
କାର୍ଯ୍ୟକ୍ରମରେ ତୀର୍ଥଯାତ୍ରୀମାନଙ୍କୁ ପ୍ରତୀକାତ୍ମକ ଭାବେ ରେଳ ଟିକେଟ୍ ଓ କିଟ୍ ବ୍ୟାଗ୍ ପ୍ରଦାନ କରାଯାଇଥିଲା।
ସୂଚନାଯୋଗ୍ୟ, ୨୦୨୬-୨୭ ବର୍ଷରେ ମୋଟ ୧୦ଟି ପର୍ଯ୍ୟାୟରେ ପ୍ରାୟ ୮ ହଜାର ବରିଷ୍ଠ ନାଗରିକ ଦେଶର ବିଭିନ୍ନ ପ୍ରମୁଖ ତୀର୍ଥସ୍ଥାନ ଭ୍ରମଣ କରିବେ। ଏଥିରେ ଅଯୋଧ୍ୟା, ବାରାଣସୀ, ହରିଦ୍ୱାର, ଋଷିକେଶ, ରାମେଶ୍ୱରମ ଓ ମଦୁରାଇ ଭଳି ପବିତ୍ର ସ୍ଥାନ ସାମିଲ ରହିଛି।
ଏହି ଯୋଜନା ମାଧ୍ୟମରେ ବୟସ୍କ ନାଗରିକମାନଙ୍କର ଦୀର୍ଘଦିନର ତୀର୍ଥଯାତ୍ରା ସ୍ୱପ୍ନ ପୂରଣ ହେବା ସହ ସେମାନେ ଦେଶର ପ୍ରମୁଖ ଧାର୍ମିକ ଓ ଆଧ୍ୟାତ୍ମିକ ସ୍ଥଳଗୁଡ଼ିକ ଦର୍ଶନ କରିବାର ସୁଯୋଗ ପାଇବେ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
