କୋଲକାତା : ପଶ୍ଚିମବଙ୍ଗରେ ନୂତନ ସରକାର ଗଠନ ପରେ ମହିଳା, ସରକାରୀ କର୍ମଚାରୀ ଏବଂ ଯୁବପୀଢ଼ିଙ୍କ ପାଇଁ ଗୋଟିଏ ପରେ ଗୋଟିଏ ବଡ଼ ଘୋଷଣା କରାଯାଉଛି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ହୋଇଥିବା ପ୍ରଥମ କ୍ୟାବିନେଟ୍ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ବିଶେଷକରି ମହିଳାଙ୍କ ଆର୍ଥିକ ସୁରକ୍ଷା ଓ ସୁବିଧାକୁ ଧ୍ୟାନରେ ରଖି ‘ଅନ୍ନପୂର୍ଣ୍ଣା’ ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନା ଅନୁସାରେ ଜୁନ୍ ୧ରୁ ଯୋଗ୍ୟ ମହିଳାମାନେ ପ୍ରତିମାସ ୩ ହଜାର ଟଙ୍କା ସହାୟତା ପାଇବେ । ଏଥିସହ ସରକାରୀ ବସ୍ରେ ମହିଳାଙ୍କ ପାଇଁ ମାଗଣା ଯାତ୍ରା ସୁବିଧା ଦେବାକୁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
ରାଜ୍ୟ କ୍ୟାବିନେଟ୍ରେ ସପ୍ତମ ବେତନ କମିଶନକୁ ମଧ୍ୟ ମଞ୍ଜୁରୀ ମିଳିଛି । ଏହା ଫଳରେ ସରକାରୀ କର୍ମଚାରୀ, ବିଭିନ୍ନ ନିଗମ କର୍ମଚାରୀ ଏବଂ ଶିକ୍ଷାନୁଷ୍ଠାନ ସହ ଜଡିତ ଲୋକମାନେ ଲାଭାନ୍ବିତ ହେବେ । ଏନେଇ ମନ୍ତ୍ରୀ ଅଗ୍ନିମିତ୍ରା ପାଲ୍ ସୂଚନା ଦେଇ କହିଛନ୍ତି ଯେ, ନୂଆ ସରକାର ଲୋକଙ୍କ ଆଶା ଅନୁଯାୟୀ ଦ୍ରୁତ ଗତିରେ କାମ କରୁଛି । ଏହାସହ ଧାର୍ମିକ ଆଧାରରେ ଦିଆଯାଉଥିବା କିଛି ସହାୟତା ଯୋଜନାକୁ ଜୁନ୍ରୁ ବନ୍ଦ କରିବାକୁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
ମେ ୧୧ରେ ହୋଇଥିବା ପ୍ରଥମ କ୍ୟାବିନେଟ୍ ବୈଠକରେ ମୋଟ ୬ଟି ବଡ଼ ପ୍ରସ୍ତାବରେ ମୋହର ଲାଗିଥିଲା । ସରକାର ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରିବା ସହିତ ସୀମା ସୁରକ୍ଷାକୁ ମଜବୁତ କରିବା ପାଇଁ ୪୫ ଦିନ ମଧ୍ୟରେ BSFକୁ ୬୦୦ ଏକର ଜମି ଦେବା ଲକ୍ଷ୍ୟ ଧାର୍ଯ୍ୟ କରିଛି ।
ଏହାସହ ରାଜ୍ୟରେ ନୂଆ ନିଯୁକ୍ତି ପ୍ରକ୍ରିୟାକୁ ମଧ୍ୟ ଶୀଘ୍ର ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି । ତାଙ୍କ କହିବା ଅନୁସାରେ, ୨୦୧୫ ପରଠାରୁ ରାଜ୍ୟରେ ନୂଆ ନିଯୁକ୍ତି ହୋଇନଥିଲା ଏବଂ ଏବେ ଯୁବପୀଢ଼ିଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରାଯିବ । ସେ କହିଛନ୍ତି ଯେ, ଏହି ପଦକ୍ଷେପ “ନୂଆ ବଙ୍ଗଳା” ଗଠନରେ ମହତ୍ୱପୂର୍ଣ୍ଣ ଭୂମିକା ନେବ ।
ବୈଠକ ପରେ ଆଇନ-ଶୃଙ୍ଖଳା ପ୍ରସଙ୍ଗରେ କଡ଼ା ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୋଲିସ ଉପରେ ଆକ୍ରମଣ କିମ୍ବା ଢେଲାମାଡ଼କୁ କୌଣସି ପରିସ୍ଥିତିରେ ସହ୍ୟ କରାଯିବ ନାହିଁ । ସରକାର ସବୁବେଳେ ପୋଲିସ କର୍ମଚାରୀଙ୍କ ସହ ଅଛି ବୋଲି ସେ ସ୍ପଷ୍ଟ କରିଛନ୍ତି । କାଶ୍ମୀରରେ ଯେପରି ଢେଲାମାଡ଼ ଘଟଣା ନିୟନ୍ତ୍ରଣ ହୋଇଛି, ସେହିପରି ପଶ୍ଚିମବଙ୍ଗରେ ମଧ୍ୟ କଡ଼ା ପଦକ୍ଷେପ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
