ଭୁବନେଶ୍ୱର : ଦିନକୁ ଦିନ ବଢୁଥିବା ଅସହ୍ୟ ଗରମ ଏବେ କେବଳ ମଣିଷଙ୍କ ଜୀବନକୁ ନୁହେଁ, ଧାନ ଚାଷକୁ ମଧ୍ୟ ଭୟଙ୍କର ସଙ୍କଟ ଦିଗକୁ ଠେଲି ଦେଉଛି । ବୈଜ୍ଞାନିକମାନଙ୍କର ନୂତନ ଅଧ୍ୟୟନ ଏବେ ସମଗ୍ର ବିଶ୍ୱ ପାଇଁ ଚେତାବନୀ ସୃଷ୍ଟି କରିଛି। ତାପମାତ୍ରା ଲଗାତାର ବଢିବା କାରଣରୁ ଧାନ ଗଛ ନିଜର ସହନଶୀଳତା ହରାଇବାକୁ ଲାଗିଛି। ଯଦି ଏଭଳି ପରିସ୍ଥିତି ଚାଲିଥାଏ, ତେବେ ଆସନ୍ତା କିଛି ଦଶକ ମଧ୍ୟରେ ଭାତ ସାଧାରଣ ଲୋକଙ୍କ ଥାଳିରୁ ଅଦୃଶ୍ୟ ହୋଇଯିବାର ଭୟ ସୃଷ୍ଟି ହୋଇଛି।
ଆଜି ଯେଉଁ ଭାତ ପ୍ରତ୍ୟେକ ଘରର ଦୈନିକ ଖାଦ୍ୟର ଅଂଶ, ସେହି ଭାତ ଭବିଷ୍ୟତରେ କେବଳ ଧନୀ ଶ୍ରେଣୀର ଲୋକଙ୍କ ପାଇଁ ସୀମିତ ହୋଇଯାଇପାରେ। ଚାଉଳର ଦର ଏତେ ବଢିପାରେ ଯେ ସାଧାରଣ ଲୋକଙ୍କ ପାଇଁ ଏହା କିଣିବା କଷ୍ଟକର ହୋଇଯିବ। ଏହା କୌଣସି କଳ୍ପନାମୂଳକ କାହାଣୀ ନୁହେଁ, ବରଂ ବିଶ୍ୱର ଗବେଷକମାନଙ୍କ ପକ୍ଷରୁ ଦିଆଯାଇଥିବା ଗମ୍ଭୀର ସତର୍କବାଣୀ।
ଧାନ ଚାଷର ଇତିହାସ ହଜାର ହଜାର ବର୍ଷ ପୁରୁଣା। ମଣିଷ ସଭ୍ୟତା ସହ ଧାନର ସମ୍ପର୍କ ପ୍ରାୟ ୯ ହଜାର ବର୍ଷରୁ ଅଧିକ ସମୟର। ପ୍ରାଚୀନ ସମୟରେ ଚୀନର ନଦୀ ଉପତ୍ୟକାରୁ ଆରମ୍ଭ ହୋଇଥିବା ଧାନ ଚାଷ ଧିରେ ଧିରେ ଦକ୍ଷିଣ ଏସିଆ ଏବଂ ଭାରତକୁ ପହଞ୍ଚିଥିଲା। ସେତେବେଳେ ପୃଥିବୀର ଜଳବାୟୁ ଚାଷ ପାଇଁ ଅନୁକୂଳ ଥିଲା। କିନ୍ତୁ ବର୍ତ୍ତମାନ ବିଶ୍ୱ ତାପନ ଧାନ ଚାଷ ପାଇଁ ସବୁଠାରୁ ବଡ଼ ବିପଦ ଭାବେ ଦେଖା ଦେଇଛି।
ଗବେଷଣା ଅନୁଯାୟୀ, ବାର୍ଷିକ ହାରାହାରି ତାପମାତ୍ରା ୨୮ ଡିଗ୍ରୀ ସେଲସିୟସ୍ ଅତିକ୍ରମ କଲେ ଧାନ ଚାଷ ସଫଳ ହୋଇପାରେ ନାହିଁ। ଏହାଠାରୁ ଅଧିକ ତାପମାତ୍ରା ଧାନ ଗଛର ବୃଦ୍ଧିକୁ ଅଟକାଇ ଦେଉଛି। ବିଶେଷ କରି ୪୦ ଡିଗ୍ରୀ ସେଲସିୟସ୍ ଉପରେ ତାପମାତ୍ରା ପହଞ୍ଚିଲେ ଧାନ ଗଛ ଭୟଙ୍କର ଚାପର ସମ୍ମୁଖୀନ ହୁଏ। ଏହାର ପ୍ରଭାବରେ ଗଛ ଭିତରେ ଖାଦ୍ୟ ତିଆରି ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ ଏବଂ ଶସ୍ୟର ଦାନା ସଠିକ ଭାବରେ ବିକଶିତ ହୋଇପାରେ ନାହିଁ।
ଅତ୍ୟଧିକ ଗରମରେ ଧାନ ଶୀଷ ଫମ୍ପା ହୋଇଯାଏ କିମ୍ବା ଦାନା ବହୁତ ଛୋଟ ରହିଯାଏ। ଫଳରେ ଉତ୍ପାଦନ ହ୍ରାସ ପାଏ ଏବଂ ଚାଷୀମାନେ ଖୁବ କ୍ଷତି ସହନ୍ତି । ଦେଶର ଅନେକ ଅଞ୍ଚଳରେ ଏବେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରୁଥିବାରୁ କୃଷି କ୍ଷେତ୍ରରେ ଗଭୀର ଚିନ୍ତା ସୃଷ୍ଟି ହୋଇଛି।
ଭାରତ ବିଶ୍ୱର ସର୍ବବୃହତ୍ ଧାନ ଉତ୍ପାଦନକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ । କୋଟି କୋଟି ଲୋକଙ୍କ ଜୀବନ ଧାନ ଚାଷ ଉପରେ ନିର୍ଭର କରେ । ଭାତ କେବଳ ଖାଦ୍ୟ ନୁହେଁ, ଏହା ଭାରତୀୟ ସଂସ୍କୃତି, ପରମ୍ପରା ଏବଂ ଅର୍ଥନୀତିର ଏକ ଅଭିନ୍ନ ଅଂଶ। କିନ୍ତୁ ଯଦି ଏଭଳି ଭାବରେ ତାପମାତ୍ରା ବଢିଚାଲେ, ତେବେ ଭବିଷ୍ୟତରେ ଦେଶର ଖାଦ୍ୟ ସୁରକ୍ଷା ଗଭୀର ସଙ୍କଟରେ ପଡ଼ିପାରେ।
ଉତ୍ପାଦନ କମିଗଲେ ସରକାରଙ୍କୁ ଚାଉଳ ରପ୍ତାନୀ ଉପରେ କଠୋର ନିୟନ୍ତ୍ରଣ ଲଗାଇବାକୁ ପଡ଼ିପାରେ। ଏହାର ପ୍ରଭାବରେ ବିଶ୍ୱ ବଜାରରେ ଚାଉଳର ଅଭାବ ଦେଖାଦେବ ଏବଂ ଦର ଆକାଶଛୁଆଁ ହୋଇଯିବ। ସାଧାରଣ ଲୋକଙ୍କ ପାଇଁ ଭାତ କିଣିବା ଦୁର୍ଲଭ ହୋଇପାରେ ।
ବୈଜ୍ଞାନିକମାନେ ଏହା ମଧ୍ୟ କହୁଛନ୍ତି ଯେ ଆଗାମୀ ଦିନରେ କୃଷିର ଭୂଗୋଳ ପରିବର୍ତ୍ତନ ହୋଇପାରେ। ଚାଷୀମାନେ ବାଧ୍ୟ ହୋଇ ଥଣ୍ଡା ପାର୍ବତ୍ୟ ଅଞ୍ଚଳକୁ ଧାନ ଚାଷ ପାଇଁ ଯିବାକୁ ପଡ଼ିପାରେ। କିନ୍ତୁ ସେଠାରେ ପର୍ଯ୍ୟାପ୍ତ ଜମି ଓ ସୁବିଧା ଉପଲବ୍ଧ ନଥିବାରୁ ଏହି ପରିବର୍ତ୍ତନ ସହଜ ହେବ ନାହିଁ।
କେବଳ ଭାରତ ନୁହେଁ, ଦକ୍ଷିଣ ଏସିଆର ଅନେକ ଦେଶ ଏବେ ଏହି ସମସ୍ୟାର ସାମ୍ନା କରୁଛନ୍ତି। ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପାଣିର ସ୍ତର ବଢୁଥିବାରୁ ଚାଷ ଜମିରେ ଲୁଣାପାଣି ପ୍ରବେଶ କରୁଛି । ଏହା ମଧ୍ୟ ଧାନ ଚାଷ ପାଇଁ ଆଉ ଗୋଟିଏ ବଡ଼ ବିପଦ ସୃଷ୍ଟି କରୁଛି।
ଯଦି ସମୟ ଥିବାବେଳେ ବିଶ୍ୱ ତାପନକୁ ରୋକିବା ପାଇଁ ଗମ୍ଭୀର ପଦକ୍ଷେପ ଗ୍ରହଣ କରାନଯାଏ, ତେବେ ଭବିଷ୍ୟତରେ ଭାତ ଏକ ସାଧାରଣ ଖାଦ୍ୟ ନୁହେଁ, ବରଂ ବିଳାସପୂର୍ଣ୍ଣ ଖାଦ୍ୟରେ ପରିଣତ ହୋଇଯିବ। ସାଧାରଣ ଲୋକଙ୍କ ଥାଳିରୁ ସର୍ବପ୍ରଥମେ ଭାତ ହିଁ ଗାଏବ ହେବାର ଆଶଙ୍କା ଏବେ ଧୀରେ ଧୀରେ ସତ୍ୟ ହେବାକୁ ଲାଗିଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
