ଭୁବନେଶ୍ୱର : ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପାଇଁ ପୁଣି ଆସିଲା ଖୁସି ଖବର। ଆଜି ପ୍ରାୟ ୧ ଲକ୍ଷ ୨୩ ହଜାର ୮୪୯ ଜଣ ମହିଳାଙ୍କ ଆକାଉଣ୍ଟ ଖାତାରେ ସିଧାସଳଖ ଭାବେ ଜମା ହୋଇଛି ଟଙ୍କା । ଏହି ପର୍ଯ୍ୟାୟରେ ମୋଟ ୬୨ କୋଟି ଟଙ୍କା ବିତରଣ କରାଯାଇଛି । ଏହା ସହିତ ଆହୁରି ପ୍ରାୟ ୧ ଲକ୍ଷ ମହିଳାଙ୍କ ଟଙ୍କା ଫିଲ୍ଡ ଭେରିଫିକେସନ୍ ପରେ ଶୀଘ୍ର ଦିଆଯିବ।
ସରକାରଙ୍କ ପକ୍ଷରୁ ସୁଭଦ୍ରା ଯୋଜନାର ନିୟମ ଓ ମାନଦଣ୍ଡ ସମ୍ପର୍କରେ ସମସ୍ତ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି ।
ଏହା ପୂର୍ବରୁ ମାର୍ଚ୍ଚ ୮, ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସରକାର ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଜାରି କରିଥିଲେ। ସେତେବେଳେ ୧ କୋଟି ୨ ଲକ୍ଷ ୧୨ ହଜାର ୬୬୫ ଜଣ ମହିଳା ଏହାର ଲାଭ ପାଇଥିଲେ। ପୁରୀରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଡିବିଟି ମାଧ୍ୟମରେ ଟଙ୍କା ହସ୍ତାନ୍ତର ହୋଇଥିଲା।
ଏହିଦିନ ୨ ଲକ୍ଷ ୧୩ ହଜାର ୧୯୮ ଜଣ ନୂତନ ହିତାଧିକାରୀଙ୍କୁ ମଧ୍ୟ ସୁଭଦ୍ରା ସହାୟତା ମିଳିଥିଲା। ତାସହିତ ଅଭିଯୋଗ ପୋର୍ଟାଲରେ ଆସିଥିବା ଅଭିଯୋଗର ସମାଧାନ ପରେ ୩୬ ହଜାର ୩୮୫ ଜଣଙ୍କୁ ମଧ୍ୟ ଯୋଜନାରେ ସାମିଲ କରାଯାଇଛି।
୨୦୨୪ ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ଯୋଜନାର ଆରମ୍ଭ ହୋଇଥିଲା। ରାଜ୍ୟରେ ବିଜେପି ସରକାର ଗଠନ ପରେ ଏହାକୁ ଫ୍ଲାଗସିପ୍ ଯୋଜନା ଭାବେ ଆରମ୍ଭ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଏହି ଯୋଜନା ମାଧ୍ୟମରେ ୧ କୋଟିରୁ ଅଧିକ ମହିଳାଙ୍କୁ ଆର୍ଥିକ ଭାବେ ସ୍ବାବଲମ୍ବୀ କରିବା ଲକ୍ଷ୍ୟ ରଖାଯାଇଛି।
ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଗବେଷଣା ରିପୋର୍ଟ ଅନୁସାରେ, ସୁଭଦ୍ରା ଯୋଜନା ମହିଳାମାନଙ୍କ ଆର୍ଥିକ ସ୍ଥିତିରେ ସ୍ପଷ୍ଟ ପରିବର୍ତ୍ତନ ଆଣିଛି। ହିତାଧିକାରୀଙ୍କ ସଞ୍ଚୟରେ ପ୍ରାୟ ୪୫ ପ୍ରତିଶତ ବୃଦ୍ଧି ଓ ବ୍ୟୟରେ ୨୮ ପ୍ରତିଶତ ବୃଦ୍ଧି ଦେଖାଯାଇଛି।
ଯୋଜନାରେ ସାମିଲ ମହିଳାମାନଙ୍କ ବ୍ୟାଙ୍କ ଖାତାର ମାସିକ ବାଲାନ୍ସ ମଧ୍ୟ ବଢ଼ିଛି । ବିଶେଷ କରି ୩୦ରୁ ୪୪ ବର୍ଷ ବୟସର ୪୬ ପ୍ରତିଶତ ମହିଳା ଏହି ଯୋଜନାରେ ଅଧିକ ଲାଭାନ୍ବିତ ହୋଇଛନ୍ତି। ଏହା ସହିତ ୪୫ରୁ ୪୯ ବର୍ଷ ବୟସର ୩୧ ପ୍ରତିଶତ ଓ ୩୦ ବର୍ଷରୁ କମ୍ ବୟସର ୨୩ ପ୍ରତିଶତ ମହିଳାମାନେ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ।
ସୁଭଦ୍ରା ଯୋଜନା ଓଡ଼ିଶାର ମହିଳାମାନଙ୍କୁ ଆର୍ଥିକ ସୁରକ୍ଷା ଦେଇ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ବିଶେଷତଃ ଗରିବ ଓ ପଛୁଆ ବର୍ଗର ମହିଳାମାନଙ୍କ ପାଇଁ ଏହା ଏକ ମଜବୁତ ସହାୟକ ଯୋଜନା ଭାବେ ପ୍ରମାଣିତ ହେଉଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
