Explore

Search

April 16, 2026 9:26 pm

ଆଜି ଠୁ ଡିଜିଟାଲ ଜନଗଣନା ଆରମ୍ଭ

ଭୁବନେଶ୍ୱର : ଆଜି ଠାରୁ ରାଜ୍ୟରେ ଆରମ୍ଭ ହେଲା ପ୍ରଥମ ପର୍ଯ୍ୟାୟ ଜନଗଣନା‌। ଏହା ଆସନ୍ତା ମେ’୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଜନଗଣନା କାର୍ଯ୍ୟକୁ ଠିକ୍ ଭାବେ ପରିଚାଳନା କରିବା ପାଇଁ ମୋଟ ୯୦,୨୦୦ ଜଣ ଜନଗଣନା ଅଧିକାରୀ (ଏନୁମରେଟର୍) ଏବଂ ୧୫,୧୪୦ ଜଣ ସୁପରଭାଇଜର ନିଯୁକ୍ତ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଘର ଗୁଡ଼ିକର ସଂଖ୍ୟା ଗଣନା ସହିତ ପ୍ରତ୍ୟେକ ଘରକୁ ବିଶେଷ ନମ୍ବର ଦେବା ଏବଂ ଘର ମୁଖ୍ୟଙ୍କ ସମ୍ପୂର୍ଣ୍ଣ ସୂଚନା ସଂଗ୍ରହ କରାଯିବ। ଜନଗଣନା ନିର୍ଦ୍ଦେଶାଳୟ ଅନୁସାରେ ପ୍ରତ୍ୟେକ ଗଣନା ଅଧିକାରୀଙ୍କ ଉପରେ ପ୍ରାୟ ୮୦୦ ଜଣ ବ୍ୟକ୍ତିଙ୍କ ତଥ୍ୟ ସଂଗ୍ରହର ଦାୟିତ୍ୱ ରହିବ । ଏହି କାର୍ଯ୍ୟରେ ସେମାନେ ପ୍ରାୟ ୨୦୦ ରୁ ୨୨୦ ଘର ପର୍ଯ୍ୟନ୍ତ ଗଣନା କରି ଚିହ୍ନଟ କରିବେ।

ଅଧିକାରୀମାନେ ପ୍ରତ୍ୟେକ ଅଞ୍ଚଳର ଗଳି ଓ ଘର ଗୁଡ଼ିକୁ ଚିହ୍ନଟ କରି ନମ୍ବରିଂ କରିବେ। ଏଥିସହିତ ଘର ମୁଖ୍ୟଙ୍କୁ ମୋଟ ୩୩ଟି ପ୍ରଶ୍ନ ପଚାରାଯିବ। ଏହାର ମଧ୍ୟରେ ଘରର ପ୍ରକୃତି ପକ୍କା କି କଚ୍ଚା ବିଷୟରେ ମଧ୍ୟ ତଥ୍ୟ ନିଆଯିବ। ପକ୍କା ଘର ଥିଲେ ଚତୁର୍ଭୁଜ ଚିହ୍ନ ଏବଂ କଚ୍ଚା ଘର ଥିଲେ ତ୍ରିଭୁଜ ଚିହ୍ନ ଦେଇ ରେକର୍ଡ କରାଯିବ।

ଘରର ତଳଭାଗ ଓ କାନ୍ଥର ପ୍ରକାର, ଘରମୁଖ୍ୟଙ୍କ ସମ୍ପୂର୍ଣ୍ଣ ପରିଚୟ ସହ ପରିବାର ସଦସ୍ୟଙ୍କ ସଂଖ୍ୟା ସଂଗ୍ରହ କରାଯିବ। ଏଥିରେ ପୁରୁଷ, ମହିଳା, ଶିଶୁ ଏବଂ ତୃତୀୟ ଲିଙ୍ଗୀୟ ବ୍ୟକ୍ତି ଅଛନ୍ତି କି ନାହିଁ ସେ ସବୁର ତଥ୍ୟ ମଧ୍ୟ ଲିପିବଦ୍ଧ ହେବ। ପରିବାରଟି ଭଡା ଘରେ ରହୁଛି କି ନିଜସ୍ୱ ଘରେ ରହୁଛି, ଏବଂ ସେମାନେ ମୋବାଇଲ କି ଲ୍ୟାଣ୍ଡଲାଇନ ଫୋନ୍ ବ୍ୟବହାର କରୁଛନ୍ତି କି ନାହିଁ, ସେଥିର ସୂଚନା ମଧ୍ୟ ନିଆଯିବ।

ଘରେ କେତେଟି ବିବାହିତ ଦମ୍ପତି ଅଛନ୍ତି, କେତେଟି କକ୍ଷ ଅଛି, ଘରେ ଆଲୋକ ପାଇଁ କେଉଁ ଉତ୍ସ ବ୍ୟବହୃତ ହେଉଛି, ପାଇଖାନା ସୁବିଧା ଅଛି କି ନାହିଁ ଓ ନଥିଲେ ଶୌଚକାର୍ଯ୍ୟ କେଉଁଠି କରାଯାଉଛି ଏହା ସମସ୍ତ ତଥ୍ୟ ଗଣନାରେ ଧରାଯିବ। ମଳମୂତ୍ର ନିଷ୍କାସନ ପ୍ରଣାଳୀ କିପରି ଅଛି, ରନ୍ଧଣ ପାଇଁ କେଉଁ ଇନ୍ଧନ ବ୍ୟବହାର ହେଉଛି କାଠ ଚୁଲା, ଗ୍ୟାସ୍ ଚୁଲା, ସହରାଞ୍ଚଳରେ LPG କି PNG, ବିଦ୍ୟୁତ୍, ଗୋବର ଗ୍ୟାସ କିମ୍ବା ସୌର ଶକ୍ତି ବ୍ୟବହାର ହେଉଛି କି ନାହିଁ ସୂଚନା ମଧ୍ୟ ସଂଗ୍ରହ ହେବ।

ଘରେ ରେଡିଓ ବ୍ୟବହାର ହେଉଛି କି ନାହିଁ, ଟିଭି ଅଛି କି ନାହିଁ, ଯଦି ଟିଭି ରହିଛି ତେବେ ଡିଟିଏଚ୍, ଡିସ୍ କିମ୍ବା କେବୁଲ୍ ସଂଯୋଗ ରହିଛି କି ନାହିଁ ଏହା ମଧ୍ୟ ଲିପିବଦ୍ଧ ହେବ। ଘରେ ଇଣ୍ଟରନେଟ ସୁବିଧା ଅଛି କି ନାହିଁ, ଲାପଟପ୍ କି କମ୍ପ୍ୟୁଟର ବ୍ୟବହାର ହେଉଛି କି ନାହିଁ ସେଥିର ତଥ୍ୟ ମଧ୍ୟ ନିଆଯିବ।

ସେହିପରି, ପରିବାରରେ ସାଇକେଲ, ମୋଟରସାଇକେଲ, କାର୍, ଜିପ୍ କିମ୍ବା ଭ୍ୟାନ୍ ଅଛି କି ନାହିଁ, ତାହା ମଧ୍ୟ ରେକର୍ଡ କରାଯିବ। ପରିବାରର ପ୍ରଧାନ ଖାଦ୍ୟ ଶସ୍ୟ କ’ଣ ଚାଉଳ, ଗହମ, ଯଅ, ବାଜରା, ମକା କିମ୍ବା ଅନ୍ୟ କୌଣସି ଖାଦ୍ୟ ସେହି ସୂଚନା ମଧ୍ୟ ଗଣନା ଅଧିକାରୀ ନୋଟ୍ କରିବେ। ଶେଷରେ, ସମ୍ବନ୍ଧିତ ଅଞ୍ଚଳର ଏକ ସରଳ ନକ୍ସା ଅଙ୍କନ କରି ସହିତ ତଥ୍ୟ ସଂଗ୍ରହ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯିବ।

ଏହି ତଥ୍ୟ ଗୁଡ଼ିକୁ ପ୍ରଥମେ ଜନଗଣନା କର୍ମଚାରୀମାନେ ସଂଗ୍ରହ କରିବେ ଏବଂ ପରେ ସୁପରଭାଇଜରମାନେ ସେଗୁଡ଼ିକୁ ସତ୍ୟାପନ କରିବେ। ପ୍ରତ୍ୟେକ ସୁପରଭାଇଜରଙ୍କ ଅଧୀନରେ ପ୍ରାୟ ୬ ଜଣ ଜନଗଣନା କର୍ମୀ କାର୍ଯ୍ୟରତ ରହିବେ।

ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୬୩୯୬ ଜଣ ଗଣନା କର୍ମୀ ଓ ୧୧୨୮ ଜଣ ସୁପରଭାଇଜର ନିୟୋଜିତ ହୋଇଥିବା ବେଳେ, ସହରାଞ୍ଚଳ ଭୁବନେଶ୍ୱରରେ ୨୫୯୬ ଜଣ ଗଣନା କର୍ମୀ ଏବଂ ୪୪୫ ଜଣ ସୁପରଭାଇଜରଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ଗଣନା କାର୍ଯ୍ୟ ପାଇଁ ମୁଖ୍ୟତଃ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କୁ ଗଣନା କର୍ମୀ ଭାବେ ଏବଂ ଉଚ୍ଚ ବିଦ୍ୟାଳୟର ଶିକ୍ଷକମାନଙ୍କୁ ସୁପରଭାଇଜର ଭାବେ ନିୟୋଜିତ କରାଯାଇଛି। ଶିକ୍ଷାଳୟ ଗୁଡ଼ିକୁ ବନ୍ଦ ନ କରି ଏହି କାର୍ଯ୍ୟ ସମ୍ପାଦନ କରିବାକୁ ନିର୍ଦ୍ଦେଶ ରହିଛି । ତେଣୁ ଶିକ୍ଷକମାନେ ପାଠଦାନ ଶେଷ ପରେ ଗଣନା କାର୍ଯ୍ୟ କରିବେ। ଏହାସହିତ ଶନିବାର ଓ ରବିବାର ସକାଳ ସମୟରେ ସର୍ଭେ କାର୍ଯ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦିଆଯାଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score