ବ୍ରହ୍ମପୁର : ବ୍ରହ୍ମପୁର ସହରକୁ ରାଜ୍ୟରେ ‘ରେଶମ ସହର’ ବୋଲି ଜଣାଯାଏ। ଏଠାର ପାଟବସ୍ତ୍ର ବୁଣାକାରମାନେ ନିଜସ୍ୱ କୌଶଳ ଓ ପରମ୍ପରା ପାଇଁ ଅଲଗା ପରିଚୟ ଗଢ଼ିଛନ୍ତି। ଏହି ପାଟବସ୍ତ୍ର କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଦେଶ ଓ ବିଦେଶରେ ମଧ୍ୟ ଲୋକପ୍ରିୟତା ସାଉଁଟିଛି । କିନ୍ତୁ ଯଥୋଚିତ ମୂଲ୍ୟ ଓ ପ୍ରୋତ୍ସାହନ ଅଭାବରୁ ବୁଣାକାର ପରିବାରମାନେ ଦୀର୍ଘକାଳରେ ଏହି ପେଶାରୁ ଦୂରେଇଯାଉଛନ୍ତି। ନୂଆ ପୀଢ଼ି ପାରମ୍ପରିକ କାମକୁ ଛାଡ଼ି ଅନ୍ୟ ଚାକିରି ସନ୍ଧାନରେ ବାହାରକୁ ପ୍ରସ୍ଥାନ କରୁଛି। ଏପରି ପରିସ୍ଥିତିରେ ବ୍ରହ୍ମପୁର ପାଟର ପୁରୁଣା ଗୌରବକୁ ପୁନର୍ଜୀବିତ କରିବା ପାଇଁ ବିଭିନ୍ନ ମଞ୍ଚରେ ପୁନଃ ପ୍ରୟାସ ଆରମ୍ଭ ହୋଇଛି।
ବ୍ରହ୍ମପୁର ପାଟର ପରିଚିତି ଓ ବିକାଶ ପାଇଁ ସରକାରୀ ଏବଂ ବେସରକାରୀ ଦୁହେଁ ପକ୍ଷରୁ ନୂଆ ପଦକ୍ଷେପ ନିଆଯାଉଛି। ପାଟ ବୁଣା କାମରୁ ଦୂରେଇଯାଉଥିବା ବୁଣାକାରମାନଙ୍କୁ ପୁନଃ ଏହି ପେଶାରେ ଆଣିବା ପାଇଁ ଆଧୁନିକ ପ୍ରଶିକ୍ଷଣ ଓ ନୂତନ ଦକ୍ଷତା ଶିଖା ଯାଉଛି । ଏହାସହିତ ଜିଲ୍ଲା ପ୍ରଶାସନ ମଧ୍ୟ ସକ୍ରିୟ ଭାବେ ଏହି କାର୍ଯ୍ୟକ୍ରମକୁ ଆଗକୁ ବଢାଉଛନ୍ତି । ବ୍ରହ୍ମପୁର ପାଟକୁ ପୁଣିଥରେ ରାଜ୍ୟ ସୀମା ଛାଡ଼ି ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚରେ ପରିଚିତ କରାଇବା ପାଇଁ ସାଧାରଣ ଲୋକରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଏକତ୍ର ହୋଇ କାମ କରୁଛନ୍ତି।
ଯୁଗ ସିନା ବଦଳିଛି ହେଲେ ବ୍ରହ୍ମପୁରର ପାଟବସ୍ତ୍ର ଚାହିଦା ଏବେ ଯୁବପୀଢ଼ିଙ୍କ ମଧ୍ୟରେ ନୂତନ ଆକର୍ଷଣ ସୃଷ୍ଟି କରୁଛି। ପାରମ୍ପରିକ ଏହି ପୋଷାକକୁ ଆଧୁନିକ ଫ୍ୟାଶନ ସହ ମିଶାଇ ଯୁବପୀଢ଼ିମାନେ ନିଜର ଅଲଗା ଷ୍ଟାଇଲ ତିଆରି କରୁଛନ୍ତି । ଡିଜାଇନରମାନେ ମଧ୍ୟ ଏହାକୁ ନୂଆ ରୂପ ଦେଇ ବିଭିନ୍ନ ଫ୍ୟାଶନ ଶୋ’ରେ ପ୍ରଦର୍ଶନ କରୁଛନ୍ତି । ଯାହା ଦେଖିବାକୁ ଲୋକମାନଙ୍କ ଆଗ୍ରହ ବଢ଼ିଛି।
ସହରରେ ଆୟୋଜିତ ‘ଲାବଣ୍ୟ’ ଓ ‘ରେଶମ ସହର ମହୋତ୍ସବ’ ଭଳି କାର୍ଯ୍ୟକ୍ରମରେ ପାଟରୁ ତିଆରି ବିଭିନ୍ନ ଡ୍ରେସ ପିନ୍ଧି ମଡେଲମାନେ ରାମ୍ପରେ ଚାଲିଥିଲେ । ଏହି ନୂତନ ପ୍ରୟାସକୁ ଯୁବବର୍ଗ ବେଶ ପସନ୍ଦ କରୁଥିବା ବେଳେ, ଆଗାମୀ ଦିନରେ ଏହା ଆହୁରି ବିସ୍ତାର ପାଇବ ବୋଲି ଆଶା କରାଯାଉଛି।
ବ୍ରହ୍ମପୁର ପାଟ ତାହାର ନିଜସ୍ୱ ଠାରୁ ପରିଚିତ । ଏହାର ଆକର୍ଷଣୀୟ ଚମକ ଓ ନିଖୁତ କାରୁକାର୍ଯ୍ୟ ଦ୍ୱାରା ପୂଜାପର୍ବ ଓ ଉତ୍ସବ ସମୟରେ ଏହାର ଚାହିଦା ଅଧିକ ଦେଖାଯାଏ । ପ୍ରାଚୀନ କାଳରୁ ଆସୁଥିବା ଏହି ପାଟର ଐତିହ୍ୟ ଅନେକ ଶତାବ୍ଦୀ ପୁରୁଣା ଓ ଏହା ଓଡିଶାର ସଂସ୍କୃତି ସହ ଗଭୀର ଭାବେ ଜଡିତ । ମହାପ୍ରଭୁଙ୍କ ପରମ୍ପରା ସହିତ ଏହାର ସମ୍ପର୍କ ଥିବା ସହ ଓଡିଶୀ ନୃତ୍ୟରେ ମଧ୍ୟ ନର୍ତ୍ତକୀମାନେ ଏହି ପାଟଶାଢୀ ପିନ୍ଧୁଥିବା ଦେଖାଯାଏ । ପୂର୍ବରୁ ବ୍ରହ୍ମପୁରରୁ ଏହି ପାଟ ବିଦେଶକୁ, ବିଶେଷ କରି ରେଙ୍ଗୁନ ପର୍ଯ୍ୟନ୍ତ ପଠାଯାଉଥିବା ଇତିହାସରେ ଉଲ୍ଲେଖ ମିଳେ ।
ବ୍ରହ୍ମପୁରର ପାଟ ବସ୍ତ୍ରକୁ ଆଧାର କରି ବିଭିନ୍ନ ପାରମ୍ପରିକ ପୋଷାକର ଏକ ବିଶେଷ ଉତ୍ସବ ଆୟୋଜନ କରି, ଏହାର ପ୍ରଚାର ଓ ପ୍ରସାର ପାଇଁ ପ୍ରୟାସ ଚାଲିଛି। ଏହି ପୋଷାକ ଗୁଡ଼ିକ ଆଜିକାଲି ଯୁବପୀଢ଼ି ମଧ୍ୟରେ ଧୀରେଧୀରେ ଲୋକପ୍ରିୟତା ଅଧିଗତ କରୁଛି ଏବଂ ନୂତନ ଆକର୍ଷଣ ସୃଷ୍ଟି କରୁଛି।
ବ୍ରହ୍ମପୁର ପାଟକୁ ନୂଆ ଚେହେରା ଦେବା ପାଇଁ ଏବେ ଯୁବପୀଢି ସକ୍ରିୟ ଭାବେ ଆଗକୁ ଆସୁଛନ୍ତି । ନାନା ସ୍ଥାନରେ ହେଉଥିବା ଫ୍ୟାଶନ ଶୋ’ରେ ଏହି ପାରମ୍ପରିକ ବସ୍ତ୍ରକୁ ଆକର୍ଷଣୀୟ ଭାବେ ପ୍ରଦର୍ଶନ କରାଯାଉଛି ଏବଂ ଏହା ପୁନର୍ବାର ଲୋକମନଙ୍କ ନଜରକୁ ଆସୁଛି ।
ବ୍ରହ୍ମପୁରର ଟ୍ବିଙ୍କିଲ ଫ୍ୟାଶନ ଏକାଡେମୀର ମୁଖ୍ୟ ଟ୍ବିଙ୍କିଲ ଗମାଙ୍ଗଙ୍କ ଅନୁଯାୟୀ, ପୂର୍ବରୁ ବ୍ରହ୍ମପୁର ପାଟର ଖୁବ ଚାହିଦା ଥିଲା, କିନ୍ତୁ ସମୟ ସହିତ ରୁଚିରେ ପରିବର୍ତ୍ତନ ଆସିଛି । ସେଥିପାଇଁ ଏହାକୁ ନୂଆ ଢଙ୍ଗରେ ଉପସ୍ଥାପନ କରିବା ଦରକାର । ପାରମ୍ପରିକ ଶୈଳୀକୁ ଆଧୁନିକ ଫ୍ୟାସନ ସହିତ ଯୋଗ କରି ଏହାକୁ ଆକର୍ଷଣୀୟ କରିବା ପାଇଁ ଚେଷ୍ଟା ହେଉଛି । ଏହି ନୂତନ ପ୍ରୟାସ ଦ୍ୱାରା ଯୁବପୀଢିଙ୍କ ମଧ୍ୟରେ ବ୍ରହ୍ମପୁର ପାଟ ପ୍ରତି ଆଗ୍ରହ ବଢ଼ିବ ବୋଲି ଆଶା କରାଯାଉଛି ।
ବ୍ରହ୍ମପୁର ପାଟଶାଢୀ କେବଳ ଏକ ପୋଷାକ ନୁହେଁ, ଏହା ବ୍ରହ୍ମପୁରର ଗର୍ବ ଓ ପରମ୍ପରାର ପ୍ରତୀକ । ଏହି ପାଟଶାଢୀକୁ ପୁଣିଥରେ ପ୍ରତ୍ୟେକ ଓଡିଆ ପରିବାରରେ ପହଞ୍ଚାଇବା ଆମର ମୁଖ୍ୟ ଉଦ୍ଦେଶ୍ୟ । ସେଥିପାଇଁ ଯୁବପୀଢିଙ୍କୁ ଏହା ସହିତ ଯୋଡିବା ସହ ଦେଶ ଓ ବିଦେଶରେ ଏହାର ପ୍ରଚାର କରାଯିବ । ଏହା ଦ୍ବାରା ଓଡିଶାର ସଂସ୍କୃତି ଓ ଓଡିଆ ପରିଚୟକୁ ଆହୁରି ଶକ୍ତିଶାଳୀ କରାଯିବ ।
ଏନେଇ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତିଭାସନ କହିଛନ୍ତି ବ୍ରହ୍ମପୁର ସହରରେ ଥିବା ଜମିବିହୀନ ବୁଣାକାର ପରିବାରମାନଙ୍କ ପାଇଁ ବ୍ରହ୍ମପୁର ମହାନଗର ନିଗମ ଦ୍ୱାରା ନିବାସ ସୁବିଧା ଯୋଗାଇବାର ଯୋଜନା ଆରମ୍ଭ ହୋଇଛି। ଏହାସହ, ଟେକ୍ସଟାଇଲ ବିଭାଗ ଗଞ୍ଜାମ ଜିଲ୍ଲାର ବୋମକେଇ ପାଟ ବୁଣାକାର ଏବଂ ରେଶମ ସହରର ହସ୍ତଶିଳ୍ପୀମାନଙ୍କ ଉନ୍ନତି ପାଇଁ ଏକ ବିଶେଷ ଡିପିଆର ପ୍ରସ୍ତୁତ କରିବ। ଏହି ପ୍ରୟାସର ଅଂଶ ଭାବେ ଏକ ଆଧୁନିକ ଅଭିଜ୍ଞତା କେନ୍ଦ୍ର ସ୍ଥାପନ କରାଯିବ, ଯେଉଁଠାରେ ପର୍ଯ୍ୟଟକମାନେ ସିଧାସଳଖ ବୁଣାକାରଙ୍କ ସହ ଆଲୋଚନା କରି ତାଙ୍କ ହସ୍ତନିର୍ମିତ ପାଟଶାଢୀକୁ ନିଜ ପସନ୍ଦ ଅନୁସାରେ କିଣିପାରିବେ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
