Explore

Search

April 23, 2026 8:34 pm

“ବିଶ୍ୱସ୍ତରୀୟ ପର୍ଯ୍ୟଟନ ଗନ୍ତବ୍ୟରେ ପହଞ୍ଚିବ ଓଡ଼ିଶା : କୋଷ୍ଟାଲ ମାରାଥନ ସହ ମିଳିବ ପର୍ଯ୍ୟଟନର ନୂଆ ଅଭିଯାନ”

ପୁରୀ : ବିଶ୍ୱସ୍ତରୀୟ ପର୍ଯ୍ୟଟନ ଗନ୍ତବ୍ୟରେ ପହଞ୍ଚିବ ଓଡ଼ିଶା । ଓଡିଶାକୁ ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନ ଗନ୍ତବ୍ୟରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଦ୍ରୁତ ଗତିରେ ପଦକ୍ଷେପ ନେଉଛନ୍ତି । ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି କରିବା ଓ ରାଜ୍ୟର ସୌନ୍ଦର୍ଯ୍ୟକୁ ଦେଶ-ବିଦେଶରେ ପହଞ୍ଚାଇବା ପାଇଁ ପର୍ଯ୍ୟଟନ ବିଭାଗ ନୂତନ ଯୋଜନା ଓ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରିଛି । ବିଶେଷକରି ବିଚ ଟୁରିଜିମ ଓ ସ୍ପୋର୍ଟସ ଟୁରିଜିମକୁ ଆଗରେ ରଖି ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ପ୍ରୟାସ ଆରମ୍ଭ କରିବାରେ ଦେଉଛି ସରକାର।

ଏହି ପରିପ୍ରେକ୍ଷୀରେ, ଆସନ୍ତା ଡିସେମ୍ବର ୧୩ରେ ଆୟୋଜିତ ହେବାକୁ ଥିବା ‘ଓଏମସି ପୁରୀ କୋଷ୍ଟାଲ ମାରାଥନ ୨୦୨୬’ ପାଇଁ ପୁରୀରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଲୋଗୋ ଓ ଅଧିକାରିକ ୱେବସାଇଟ ଉନ୍ମୋଚନ କରିଛନ୍ତି। ଏଥିସହ ରାଜ୍ୟ ପର୍ଯ୍ୟଟନର ନୂଆ ଟ୍ୟାଗଲାଇନ୍ ‘ଥିଙ୍କ ଇଣ୍ଡିଆ, ଥିଙ୍କ ଓଡ଼ିଶା’କୁ ମଧ୍ୟ ଘୋଷଣା କରାଯାଇଛି।

ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏହି ଅବସରରେ ସେଲିବ୍ରିଟି, କ୍ରିଡ଼ାବୀତ ଓ ଯୁବପୀଢ଼ିଙ୍କୁ ବ୍ୟାପକ ଭାବେ ମାରାଥନରେ ଭାଗ ନେବାକୁ ଆହ୍ୱାନ କରିଛନ୍ତି । ଏହାସହ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଏଭଳି କ୍ରୀଡା ଆଧାରିତ ପ୍ରୟାସ ମାଧ୍ୟମରେ ଓଡ଼ିଶାର ପର୍ଯ୍ୟଟନ ଶକ୍ତି ଆହୁରି ଦୃଢ ହେବ।

ଓଡ଼ିଶାର ଦୀର୍ଘ ଓ ମନୋହର ସମୁଦ୍ରତଟକୁ ଆଧାର କରି ଏହି ମାରାଥନ ଆୟୋଜନ କରାଯାଉଛି । ଯାହା ରାଜ୍ୟର ବିଚ୍ ଟୁରିଜିମ ଓ ସ୍ପୋର୍ଟସ ଟୁରିଜିମକୁ ନୂଆ ପରିଚୟ ଦେବ। ରାଜ୍ୟ ସରକାରଙ୍କ ଲକ୍ଷ୍ୟ ହେଉଛି ଏପରି କ୍ରୀଡ଼ାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ପର୍ଯ୍ୟଟନ ସମ୍ଭାବନାକୁ ବିଶ୍ୱ ମଞ୍ଚରେ ପହଞ୍ଚାଇବା। ଆଗାମୀ ଦିନରେ ବେଳାଭୂମିକୁ କେନ୍ଦ୍ର କରି ଅଧିକ ସ୍ପୋର୍ଟସ ଓ ଫିଟନେସ ଇଭେଣ୍ଟ ଆୟୋଜନ କରାଯିବ । ଯେଉଁଥିରେ ପ୍ରସିଦ୍ଧ କ୍ରୀଡାବିତ ଓ ସେଲିବ୍ରେଟିମାନଙ୍କ ସମ୍ମିଳନ ରହିବ। ଏହା ମାଧ୍ୟମରେ ଓଡ଼ିଶାର ପର୍ଯ୍ୟଟନ ଦିଗରେ ନୂଆ ଗତି ଆସିବା ସହିତ ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଲକ୍ଷଣୀୟ ଭାବେ ବଢ଼ିବ ବୋଲି ପର୍ଯ୍ୟଟନ ବିଭାଗ ଆଶା ବ୍ୟକ୍ତ କରିଛି ।

ଆଗାମୀ ଦିନରେ ଏହି ପ୍ରୟାସ ଗୁଡ଼ିକ ଫଳସ୍ୱରୂପ ଦେଶୀୟ ଓ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବଢ଼ିବା ସହ ରାଜ୍ୟର ଅର୍ଥନୀତିକୁ ମଧ୍ୟ ନୂଆ ଗତି ମିଳିବ ବୋଲି ଆଶା ପ୍ରକଟ କରାଯାଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score