Explore

Search

May 6, 2026 7:28 pm

ଜଗନ୍ନାଥ ମନ୍ଦିରରୁ ହଟିବ ‘ଧାମ’ ଶବ୍ଦ

ଭୁବନେଶ୍ୱର : ପଶ୍ଚିମବଙ୍ଗର ଦିଘାରେ ଥିବା ଜଗନ୍ନାଥ ମନ୍ଦିରକୁ ‘ଧାମ’ ବୋଲି ଉଲ୍ଲେଖ କରାଯିବାକୁ ନେଇ ଉଠିଥିବା ବିବାଦ ଆହୁରି ତୀବ୍ର ହେବାକୁ ଲାଗିଛି। ରାଜ୍ୟରେ ନୂତନ ସରକାର ଗଠନ ହେବା ପରେ ଏହି ନାମ ପ୍ରସଙ୍ଗରେ ପଦକ୍ଷେପ ନିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମଗ୍ର ବିଶ୍ୱରେ ଅନେକ ଜଗନ୍ନାଥ ମନ୍ଦିର ଥିଲେ ମଧ୍ୟ ‘ଧାମ’ ଭାବେ ପରିଚିତ ହେଉଛି କେବଳ ପୁରୀ ଶ୍ରୀମନ୍ଦିର। ତେଣୁ ଏହା ସହିତ ଜଡିତ ଭାବନାକୁ ସମ୍ମାନ ଦେବା ଆବଶ୍ୟକ।

ଜଗନ୍ନାଥ ଭକ୍ତମାନଙ୍କ ମନରେ ଜନ୍ମିଥିବା ଅସନ୍ତୋଷକୁ ଶାନ୍ତ କରିବା ପାଇଁ ସରକାର ପ୍ରୟାସ ଆରମ୍ଭ କରିବେ ବୋଲି ସେ କହିଛନ୍ତି । ଏହାସହ ଗତ କିଛି ଘଟଣାକୁ ଉଲ୍ଲେଖ କରି ସେ ମତ ପ୍ରକାଶ କରିଛନ୍ତି ଯେ, ଭକ୍ତମାନଙ୍କ ଭାବନାକୁ ଆଘାତ ପହଞ୍ଚିଥିବାର ପରିଣାମ ରାଜନୈତିକ ମଞ୍ଚରେ ମଧ୍ୟ ଦେଖିବାକୁ ମିଳିଛି।

୨୦୨୫ ମସିହାରେ ଅକ୍ଷୟ ତୃତୀୟା ଅବସରରେ ଦିଘାରେ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ହୋଇଥିଲା। ପୁରୀ ଶ୍ରୀମନ୍ଦିରର ଆଦର୍ଶରେ ଏହି ମନ୍ଦିର ନିର୍ମିତ ହୋଇଥିବା ବେଳେ ପ୍ରାୟ ୨୦ ଏକର ଜମିରେ ୨୫୦ କୋଟି ଟଙ୍କା ବ୍ୟୟ କରାଯାଇଛି। ୨୦୧୯ ମସିହାରୁ ଏହାର ନିର୍ମାଣ କାମ ଆରମ୍ଭ ହୋଇଥିଲା। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ‘ଜଗନ୍ନାଥ ଧାମ’ ବୋଲି କହିଥିବାରୁ ଏହି ବିବାଦ ଆରମ୍ଭ ହୋଇଥିଲା।

ପୁରୀ ଗଜପତି ଏବଂ ଧାର୍ମିକ ପୀଠପତିମାନେ ଏହାକୁ ଅସ୍ୱୀକାର କରିଥିଲେ। ଆଦି ଶଙ୍କରାଚାର୍ଯ୍ୟ ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ‘ଧାମ’ ଶବ୍ଦଟି ଆସ୍ଥା ଓ ପରମ୍ପରା ସହ ଗଭୀର ଭାବେ ଜଡିତ, ଏହାକୁ କୌଣସି ସରକାର କିମ୍ବା ବ୍ୟକ୍ତି ଇଚ୍ଛାମତେ ବ୍ୟବହାର କରି ପାରିବେ ନାହିଁ।

ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମଧ୍ୟ କଡ଼ା ପ୍ରତିକ୍ରିୟା ଜଣାଇଥିଲେ ଏବଂ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିଥିଲେ। ସେହିପରି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଥିଲେ ଯେ, ଧାର୍ମିକ ପରମ୍ପରା ଓ ସଂସ୍କୃତି ସହ ଖେଳିବା ଉଚିତ୍ ନୁହେଁ, ଏବଂ ଏହାର ପରିଣାମ ସମୟ ସହିତ ପ୍ରକାଶ ପାଏ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score