Explore

Search

May 8, 2026 8:07 pm

ଗୁଜରାଟରୁ ଓଡ଼ିଶାକୁ ୪୮ ହଜାର କୋଟିର ଭେଟି, ଖୋଲିବ ୬୭ ହଜାରରୁ ଅଧିକ ଚାକିରିର ଦ୍ୱାର

ଭୁବନେଶ୍ୱର : ତିନିଦିନିଆ ଗୁଜରାଟ ଗସ୍ତ ସାରି ଓଡ଼ିଶାକୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ। କିନ୍ତୁ ଏହି ଗସ୍ତ କେବଳ ଔପଚାରିକ ନୁହେଁ, ବରଂ ଓଡ଼ିଶାର ଆଗାମୀ ଆର୍ଥିକ ଭବିଷ୍ୟତ ପାଇଁ ଏକ ବଡ଼ ସଫଳତା ନେଇ ଆସିଛି। ଗୁଜରାଟର ବିଭିନ୍ନ ଶିଳ୍ପ ଗୋଷ୍ଠୀ ଓ ଉଦ୍ୟୋଗପତିଙ୍କ ସହ ଆଲୋଚନା ପରେ ଓଡ଼ିଶା ପାଇଁ ୪୮,୩୩୦ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ମିଳିଥିବା ସୂଚନା ମିଳିଛି। ଏହା ସହିତ ରାଜ୍ୟରେ ୬୭ ହଜାରରୁ ଅଧିକ ନୂଆ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି।

ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କହିଛନ୍ତି, ଆସନ୍ତା ଦଶକ ଓଡ଼ିଶା ପାଇଁ ଶିଳ୍ପାୟନ ଓ ନିଯୁକ୍ତିର “ସୁବର୍ଣ୍ଣ ଦଶକ” ହେବ। ବିକଶିତ ଭାରତ ଗଠନରେ ପୂର୍ବ ଭାରତର ଭୂମିକା ଅତ୍ୟନ୍ତ ଜରୁରୀ ଏବଂ ଓଡ଼ିଶା ସେହି ନେତୃତ୍ୱ ନେବାକୁ ପ୍ରସ୍ତୁତ ବୋଲି ସେ ଜଣାଇଛନ୍ତି।

ଗୁଜରାଟ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଅହମଦାବାଦ, ମୁନ୍ଦ୍ରା, ଭଦୋଦରା ଓ ଏକତା ନଗର ଭ୍ରମଣ କରି ବିଭିନ୍ନ ଶିଳ୍ପପତିଙ୍କ ସହ ୱାନ୍-ଟୁ-ୱାନ୍ ବୈଠକ କରିଥିଲେ। ପ୍ରାୟ ୭୦୦ରୁ ଅଧିକ ଶିଳ୍ପ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବାବେଳେ, ୧୩୨ ଜଣ ପ୍ରମୁଖ ଉଦ୍ୟୋଗପତିଙ୍କ ସହ ସିଧାସଳଖ ଆଲୋଚନା ହୋଇଥିଲା।

ଏହି ନିବେଶ ପ୍ରସ୍ତାବଗୁଡ଼ିକ ଧାତୁ ଶିଳ୍ପ, ଗ୍ରୀନ ଏନର୍ଜି, ଫାର୍ମା, ରସାୟନ, ଟେକ୍ସଟାଇଲ୍, ଖାଦ୍ୟ ପ୍ରକ୍ରିୟାକରଣ, ସେମିକଣ୍ଡକ୍ଟର, ଆଇଟି, ପର୍ଯ୍ୟଟନ, ଏରୋସ୍ପେସ ଓ ଡିଫେନ୍ସ ପରି ବିଭିନ୍ନ କ୍ଷେତ୍ରକୁ ଆବର୍ତ୍ତ କରିଛି। ମୋଟ ୭୧ଟି ନିବେଶ ପ୍ରସ୍ତାବ ମଧ୍ୟରୁ ୮ଟି MoU ଏବଂ ୬୩ଟି ଆଗ୍ରହ ପତ୍ର ମିଳିଥିବା ସୂଚନା ମିଳିଛି।

ମୁଖ୍ୟମନ୍ତ୍ରୀ “ଦୁଇ ଉପକୂଳ ରଣନୀତି” ଉପରେ ମଧ୍ୟ ଜୋର ଦେଇଥିଲେ। ସେ କହିଛନ୍ତି, ଭାରତର ପଶ୍ଚିମ ଉପକୂଳ ଶିଳ୍ପ କ୍ଷେତ୍ରରେ ଅଗ୍ରଗତି କରିସାରିଛି, ଏବେ ପୂର୍ବ ଉପକୂଳର ବିକାଶ ଦେଶର ସନ୍ତୁଳିତ ଅଭିବୃଦ୍ଧି ପାଇଁ ଅତ୍ୟାବଶ୍ୟକ। ପାରାଦୀପ, ଧାମରା ଓ ଗୋପାଳପୁର ପରି ବନ୍ଦର ମାଧ୍ୟମରେ ଓଡ଼ିଶା ପୂର୍ବ ଏସିଆ ଓ ଇଣ୍ଡୋ-ପାସିଫିକ୍ ଦେଶଗୁଡ଼ିକ ପାଇଁ ବଡ଼ ବ୍ୟବସାୟିକ ଗେଟୱେ ହୋଇଉଠୁଛି।

ଶିଳ୍ପପତିମାନେ ମଧ୍ୟ ଓଡ଼ିଶାର ବନ୍ଦରଭିତ୍ତିକ ବିକାଶ ମଡେଲ୍‌କୁ ସ୍ୱାଗତ କରିଥିବାବେଳେ, ଆଗାମୀ ଦିନରେ ରାଜ୍ୟରେ ବ୍ୟାପକ ନିବେଶ କରିବାକୁ ଆଗ୍ରହ ଦେଖାଇଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score