Explore

Search

May 12, 2026 4:03 am

ଗଜପତି ସୀମାନ୍ତରେ ପୁଣି ବିବାଦ, ଆନ୍ଧ୍ର-ଓଡ଼ିଶା ମଧ୍ୟରେ ହେଲା ଲଢେଇ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ପୁଣିଥରେ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ମଧ୍ୟରେ ବିବାଦ ଦେଖା ଦେଇଛି । ରାୟଗଡ଼ ବ୍ଲକର ଗଙ୍ଗାବାଡ଼ ପଞ୍ଚାୟତ ଅନ୍ତର୍ଗତ ମାଣିକପାଟଣା ଓ ଗୁଡ଼ିଖୁଡ଼ି ଗାଁରେ ଆନ୍ଧ୍ର ଅଧିକାରୀମାନେ ଜନଗଣନା କାମ ନାଁରେ ପ୍ରବେଶ କରି ଘର ଗୁଡ଼ିକରେ ନମ୍ବର ଲେଖିଥିବାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକେ ଏହାକୁ ତୀବ୍ର ବିରୋଧ କରିଥିବା ବେଳେ ଗଜପତି ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିଛନ୍ତି ।

ଆନ୍ଧ୍ର ଅଧିକାରୀମାନେ ଲେଖିଥିବା ଘର ନମ୍ବର ଉପରେ ରଙ୍ଗ ଲଗାଇ ଓଡ଼ିଶା ପକ୍ଷରୁ ପୁନର୍ବାର ନୂଆ ନମ୍ବର ଲେଖାଯାଇଛି । ଆଉ ଏହି ଘଟଣା ପରେ ସୀମାନ୍ତ ଅଞ୍ଚଳରେ ପରିସ୍ଥିତି ତୀବ୍ର ହୋଇପଡ଼ିଛି। ସୂଚନା ପାଇ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ, ରାୟଗଡ଼ ତହସିଲଦାର ଓ ଗାରାବନ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣକୁ ଆଣିଥିଲେ।

ଦୀର୍ଘଦିନ ଧରି ଆନ୍ଧ୍ରପ୍ରଦେଶ ପକ୍ଷରୁ ଏହି ସୀମାନ୍ତ ଗାଁ ଗୁଡ଼ିକୁ ନିଜ ଅଞ୍ଚଳ ବୋଲି ଦାବି କରାଯାଉଛି । ପୂର୍ବରୁ ମଧ୍ୟ ଏଠାର ଲୋକଙ୍କୁ ଆନ୍ଧ୍ରର ଭୋଟର ଭାବେ ନାମଭୁକ୍ତ କରାଯାଇଥିଲା ଏବଂ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରାଯାଇଥିବା ଅଭିଯୋଗ ରହିଛି। ମାଣିକପାଟଣା ଗାଁରେ ଆନ୍ଧ୍ର ପକ୍ଷରୁ ଅଙ୍ଗନବାଡ଼ି କେନ୍ଦ୍ର ସ୍ଥାପନ ହେବା ପରେ ମଧ୍ୟ ଏହାକୁ ନେଇ ବିବାଦ ଦେଖାଦେଇଥିଲା।

ଏହି ଘଟଣାକୁ ନେଇ ଆନ୍ଧ୍ରର କିଛି ସ୍ଥାନୀୟ ଜନପ୍ରତିନିଧି କହିଛନ୍ତି ଯେ, ମାଣିକପାଟଣା ଓ ଗୁଡ଼ିଖୁଡ଼ି ଗାଁର ଲୋକେ ଆନ୍ଧ୍ରର ସରକାରୀ ସୁବିଧା ପାଉଥିବାରୁ ସେମାନେ ଆନ୍ଧ୍ର ସହିତ ରହିବାକୁ ଇଚ୍ଛୁକ। ତେବେ ଓଡ଼ିଶା ପ୍ରଶାସନ ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରି ସୀମାନ୍ତ ଅଞ୍ଚଳର ସୁରକ୍ଷା ଓ ଅଧିକାର ରକ୍ଷା ପାଇଁ କଠୋର ପଦକ୍ଷେପ ନେବାକୁ ସୂଚନା ଦେଇଛି ।

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶର ସମସ୍ତ ଗତିବିଧି ଉପରେ ସରକାର ନଜର ରଖିଛନ୍ତି। ସ୍ଥିତି ଅନୁଯାୟୀ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବେ ଏବଂ ସୀମା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଚେଷ୍ଟା ଜାରି ରହିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score