ଭୁବନେଶ୍ୱର : ସୀମାନ୍ତ କୋଟିଆ ଅଞ୍ଚଳରେ ଏବେ ଦେଖିବାକୁ ମିଳିବ ବିକାଶର ନୂଆ ଚିତ୍ର। ରାଜ୍ୟ ସରକାର କୋଟିଆର ସମଗ୍ର ଉନ୍ନତି ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ ଓ ନିଯୁକ୍ତିକୁ କେନ୍ଦ୍ର କରି ବଡ଼ ପଦକ୍ଷେପ ନେଇଛନ୍ତି। ଅଞ୍ଚଳରେ ଯୁକ୍ତ ତିନି କଲେଜ ସ୍ଥାପନା ସହ ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ଭୁବନେଶ୍ୱରରେ ଉଚ୍ଚଶିକ୍ଷା ଦେବା ପାଇଁ ବିଶେଷ ବ୍ୟବସ୍ଥା କରାଯିବାକୁ ଯୋଜନା ହୋଇଛି।
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, କୋଟିଆ କେବଳ ଏକ ସୀମା ବିବାଦର ବିଷୟ ନୁହେଁ, ଏହା ଓଡ଼ିଶାର ଅସ୍ତିତ୍ୱ ଓ ଭାବନା ସହ ଜଡିତ। ଦୀର୍ଘ ବର୍ଷ ଧରି ଅବହେଳିତ ରହିଥିବା ଏହି ଅଞ୍ଚଳକୁ ଏବେ ବିକାଶର ମୂଳ ଧାରାରେ ଆଣିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ସୁପ୍ରିମକୋର୍ଟରେ ଚାଲିଥିବା ମାମଲାରେ ମଧ୍ୟ ଓଡ଼ିଶାର ପକ୍ଷକୁ ଶକ୍ତିଶାଳୀ ଭାବେ ଉପସ୍ଥାପନ କରାଯାଉଛି।
ମନ୍ତ୍ରୀଙ୍କ କହିବା ଅନୁସାରେ, ପୂର୍ବରୁ ବିକାଶ ଅଭାବରୁ ସ୍ଥାନୀୟ ଲୋକ ଅନ୍ୟ ରାଜ୍ୟର ସହାୟତା ଉପରେ ନିର୍ଭର କରୁଥିଲେ। କିନ୍ତୁ ଏବେ କୋଟିଆରେ ସମସ୍ତ ସରକାରୀ ଯୋଜନା ସଫଳ ଭାବେ ପହଞ୍ଚାଇବାକୁ ମନ୍ତ୍ରୀସ୍ତରୀୟ କମିଟି କାମ କରୁଛି। ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯାଇଥିବା ବେଳେ, ରାସନକାର୍ଡ ଓ ଜମିଜମା ସମସ୍ୟା ସମାଧାନ ନେଇ ମଧ୍ୟ କାର୍ଯ୍ୟ ଚାଲିଛି।
କୋଟିଆର ପର୍ଯ୍ୟଟନ ବିକାଶ ପାଇଁ ବିଶେଷ ଅର୍ଥ ମଞ୍ଜୁର ହୋଇଥିବାରୁ ଆଗାମୀ ଦିନରେ ସ୍ଥାନୀୟ ଯୁବକଯୁବତୀଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସ୍ୱାସ୍ଥ୍ୟ ସେବାକୁ ଆହୁରି ମଜବୁତ କରିବା ସହ ସରକାରୀ ସୁବିଧା ପ୍ରତ୍ୟେକ ଘରକୁ ପହଞ୍ଚାଇବା ପାଇଁ ପଦକ୍ଷେପ ନିଆଯାଉଛି।
ସରକାରୀ ଅଧିକାରୀ ଓ ମନ୍ତ୍ରୀମାନଙ୍କ ଲଗାତାର କୋଟିଆ ଗସ୍ତ ଏବେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି କରିଛି। ଆସନ୍ତା ପଞ୍ଚାୟତ ନିର୍ବାଚନରେ ଶତପ୍ରତିଶତ ଭୋଟ ଓଡ଼ିଶା ପକ୍ଷରେ ପଡ଼ିବ ବୋଲି ମଧ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
