Explore

Search

April 28, 2026 12:25 pm

ସହରାଞ୍ଚଳରେ ରହିବା ହେବା ସ୍ବପ୍ନ : ଫ୍ଲାଟ କିଣା ହେବ ମହଙ୍ଗା

 

ଭୁବନେଶ୍ୱର : ଏଣିକି ମଧ୍ୟବିତ୍ତିଙ୍କର ସହରାଞ୍ଚଳରେ ରହିବା ହେବା ସ୍ବପ୍ନ । ଏବେ ସହଜ ଦାମରେ ଘର କିଣିବା ଆଉ କଷ୍ଟକର ହେବ। ଆଫୋର୍ଡେବଲ୍ ହାଉସିଂ ଯୋଜନାରେ ଥିବା ଭିନ୍ନ ଭିନ୍ନ ମୂଲ୍ୟ ଶ୍ରେଣୀ (ସ୍ଲାବ୍) ବ୍ୟବସ୍ଥାକୁ ସରକାର ବିଲୋପ କରିଦେଇଛନ୍ତି। ଏବେ ସମସ୍ତ ପ୍ରକାର କ୍ରେତାଙ୍କ ପାଇଁ ଏକ ହାରରେ ଷ୍ଟାମ୍ପ ଡ୍ୟୁଟି ଲାଗୁ ହେବ। ବୁଧବାର ରାଜ୍ୟ କ୍ୟାବିନେଟ୍‌ରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ଏହି ନିଷ୍ପତ୍ତି ପରେ ସାଧାରଣ ଲୋକଙ୍କ ପାଇଁ ଫ୍ଲାଟ କିଣିବାର ଖର୍ଚ୍ଚ ବଢ଼ିବ। ପୂର୍ବରୁ ୨୦୦୮ ନିୟମ ଅନୁଯାୟୀ, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଫ୍ଲାଟ ପାଇଁ ୩% ଷ୍ଟାମ୍ପ ଡ୍ୟୁଟି ଦେବାକୁ ପଡ଼ୁଥିଲା। ୫ ଲକ୍ଷରୁ ୧୫ ଲକ୍ଷ ମଧ୍ୟରେ ମୂଲ୍ୟ ଥିଲେ ୪% ଏବଂ ୧୫ ଲକ୍ଷରୁ ଅଧିକ ହେଲେ ୫% ଷ୍ଟାମ୍ପ ଡ୍ୟୁଟି ଲାଗୁ ଥିଲା।

କିନ୍ତୁ ଏବେ ନୂଆ ନିୟମ ଅନୁସାରେ, ଫ୍ଲାଟର ଦାମ ଯେତେ ହେଉ ନାହିଁ, ସମସ୍ତଙ୍କୁ ୫% ଷ୍ଟାମ୍ପ ଡ୍ୟୁଟି ଦେବାକୁ ପଡ଼ିବ। ସେଥିପାଇଁ ଅତିରିକ୍ତ ଭାବେ ୨% ରେଜିଷ୍ଟ୍ରେସନ୍ ଫି ମଧ୍ୟ ଦେବାକୁ ହେବ। ଏହା ଫଳରେ ଘର କିଣିବାର ସମୁଦାୟ ଖର୍ଚ୍ଚ ଆଉ ବଢ଼ିବ।

ରାଜସ୍ୱ ବିଭାଗର କହିବା ଅନୁଯାୟୀ, ଏବେ ରାଜ୍ୟର କେଉଁଠି ମଧ୍ୟ ୧୫ ଲକ୍ଷ ଟଙ୍କାରୁ କମ୍ ଦରରେ ଫ୍ଲାଟ୍ ମିଳୁନାହିଁ। ଏହି ପରିସ୍ଥିତିକୁ ଦେଖି ପୁରୁଣା ନିୟମକୁ ବଦଳାଯାଇଛି। ନୂଆ ବ୍ୟବସ୍ଥା ଅନୁଯାୟୀ, କମନ୍ ସ୍ପେସ୍ ରେଜିଷ୍ଟ୍ରେସନ ପାଇଁ କ୍ରେତାଙ୍କୁ ବାରମ୍ବାର ରେଜିଷ୍ଟ୍ରେସନ ଫି ବି ଦେବାକୁ ପଡିବନି ।

ଏବେ ଥରେ ମାତ୍ର ଆସୋସିଏସନ ଅଫ ଆଲର୍ଟିଜଙ୍କୁ ୫୦ ହଜାର ଟଙ୍କା ଦେଇ କମନ୍ ସ୍ପେସ୍ ରେଜିଷ୍ଟ୍ରେସନ କରାଯିବ। ଏହା ଫଳରେ ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ପରିବାରମାନେ ଅତିରିକ୍ତ ଖର୍ଚ୍ଚରୁ ମୁକ୍ତି ପାଇବେ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।

ତେବେ ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ପରିବାର ପାଇଁ ଘର କିଣିବା ଏବେ ଆଉ ଅଧିକ ଖର୍ଚ୍ଚସାଧ୍ୟ ହେବାକୁ ଯାଉଛି। ପୂର୍ବରୁ ସରକାରଙ୍କ ସୁଲଭ ଗୃହ ଯୋଜନା ଅଧୀନରେ ରାଜଧାନୀ କିମ୍ବା ଅନ୍ୟ ସହରରେ ଏକ ଛୋଟ (୧ BHK) ଘର କିଣିବା ସହଜ ଥିଲା। କିନ୍ତୁ ଏବେ ସେହି ସୁବିଧା କିଛି ହ୍ରାସ ପାଇବ। ଏହାର ସର୍ବାଧିକ ପ୍ରଭାବ ସରକାରୀ ଆବାସ ଯୋଜନାର ଲାଭାନ୍ବିତମାନଙ୍କ ଉପରେ ପଡ଼ିବ।

ନୂଆ ବ୍ୟବସ୍ଥା ଅନୁଯାୟୀ, ଘର କିଣିବା ସମୟରେ ଅତିରିକ୍ତ ୨ ପ୍ରତିଶତ ଷ୍ଟାମ୍ପ ଡ୍ୟୁଟି ଦେବାକୁ ପଡ଼ିବ। ଏହା ଫଳରେ ସାଧାରଣ ଲୋକଙ୍କ ପାଇଁ ଘର କିଣିବା ଆଉ ଅଧିକ କଷ୍ଟକର ହେବ।

ରିୟଲ ଇଷ୍ଟେଟ୍ କର୍ମୀଙ୍କ ଅନୁସାରେ, ଯଦି ସରକାର ପୂର୍ବରୁ ଥିବା ସ୍ଲାବ୍ ପ୍ରଣାଳୀକୁ ସଂଶୋଧନ କରିଥାନ୍ତେ, ତେବେ ନିମ୍ନ ଓ ମଧ୍ୟବିତ୍ତ ପରିବାର ପାଇଁ ଏହା ଅଧିକ ଉପକାରୀ ହୋଇପାରିଥାନ୍ତା। ସେହିପରି, କ୍ରେଡାଇ ପକ୍ଷରୁ ମଧ୍ୟ କୁହାଯାଇଛି ଯେ ଏକ ଏକାକୀ ଷ୍ଟାମ୍ପ ଡ୍ୟୁଟି ହାର ଲାଗୁ ହେଲେ କ୍ରେତାମାନେ ବଡ଼ କ୍ଷତିରୁ ବଞ୍ଚିପାରିବେ। ଅନେକ ରାଜ୍ୟରେ ଘର କିଣିବାବେଳେ ରେଜିଷ୍ଟ୍ରେସନ୍ ଫି ସାଧାରଣତଃ ୧ ପ୍ରତିଶତ କିମ୍ବା ନିର୍ଦ୍ଧାରିତ ରାଶି ହୋଇଥାଏ। କିନ୍ତୁ ଓଡ଼ିଶାରେ ଏହି ଫି ୨ ପ୍ରତିଶତ ରହିଛି। ଏହି କାରଣରୁ ଏଠାରେ ଫ୍ଲାଟ୍ କିଣିବା ଖର୍ଚ୍ଚ ଅଧିକ ବଢ଼ୁଛି ବୋଲି ମଧ୍ୟବିତ୍ତ ଲୋକମାନେ ମତ ପ୍ରକାଶ କରିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score