ବ୍ରହ୍ମପୁର : ଗାଁ ଭରା ଜିଲ୍ଲା ଭାବେ ପରିଚିତ ଗଞ୍ଜାମ ଅନେକ ଦିଗରେ ସମୃଦ୍ଧ । ହେଲେ ବିକାଶ ଏଯାବତ ସମସ୍ତ ଅଞ୍ଚଳକୁ ପହଞ୍ଚିପାରିନାହିଁ । ତଥାପି ଏହି ଜିଲ୍ଲାର ଗ୍ରାମ ଗୁଡ଼ିକ ଉତ୍ପାଦନରେ କୌଣସି ଭାବେ ପଛ ପଡ଼ି ନାହାଁନ୍ତି । କଞ୍ଚାଲଙ୍କା, ଟମାଟୋ, ବାଇଗଣ ପରି ପରିବା ହେଉ କିମ୍ବା ଆଖୁ, ମକା, କଦଳୀ ପରି କୃଷି ଉତ୍ପାଦ ପ୍ରତ୍ୟେକ ଅଞ୍ଚଳର ନିଜସ୍ୱ ପରିଚୟ ଏବେ ବି ବଜାୟ ରଖିଛି । ଏହାସହିତ ବ୍ରହ୍ମପୁରର ପାଟ ଶାଢ଼ୀ ଓ ବେଲଗୁଣ୍ଠାର ପିତ୍ତଳ ଶିଳ୍ପ ସାମଗ୍ରୀ ଦେଶ-ବିଦେଶରେ ନିଜ ଛାପ ଛାଡ଼ିଛି ।
କିନ୍ତୁ ଏହି ସମୃଦ୍ଧ ଉତ୍ପାଦନ ସତ୍ୱେ ମୁଖ୍ୟ ସମସ୍ୟା ହେଉଛି ଠିକ୍ ବଜାରର ଅଭାବ। ଅନେକ ସ୍ଥାନରେ ଚାଷୀ ଓ ସ୍ଥାନୀୟ ଉଦ୍ୟୋଗୀମାନେ ନିଜ ଉତ୍ପାଦର ଯଥେଷ୍ଟ ମୂଲ୍ୟ ପାଇପାରୁ ନାହାଁନ୍ତି । ବିକ୍ରି ବ୍ୟବସ୍ଥା ଦୃଢ଼ ନ ଥିବାରୁ ଉତ୍ପାଦନର ସଠିକ୍ ଲାଭ ମିଳୁନାହିଁ ।
ଏହି ପରିସ୍ଥିତିକୁ ବୁଝି ଗଞ୍ଜାମ ଜିଲ୍ଲା ପ୍ରଶାସନ ଏକ ନୂଆ ପଦକ୍ଷେପ ନେଇଛି । ‘ସମ୍ପୂର୍ଣ୍ଣ ଶ୍ରୀ ମିଶନ୍’ ନାମରେ ଏକ ବିଶେଷ ଯୋଜନା ଆରମ୍ଭ ହେବାକୁ ଯାଉଛି। ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି “ସମଗ୍ର ଜୀବିକା, ସମୃଦ୍ଧ ପରିବାର”। ଏହା ମାଧ୍ୟମରେ ଜିଲ୍ଲା ପ୍ରଶାସନ ସିଧାସଳଖ ଭାବରେ ଲୋକଙ୍କୁ ବଜାର ସୁବିଧା ଯୋଗାଇବାକୁ ଯୋଜନା କରିଛି ।
ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତିଭାସନଙ୍କ ନେତୃତ୍ୱରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ । ଗ୍ରାମ ପଞ୍ଚାୟତସ୍ତରରେ ହିତାଧିକାରୀଙ୍କୁ ଚିହ୍ନଟ କରାଯିବା ସହିତ କେଉଁଠି କେଉଁ ପ୍ରକାର ଉତ୍ପାଦନ ଅଧିକ ହେଉଛି, ସେଥିପାଇଁ ବିଶେଷ ତାଲିକା ପ୍ରସ୍ତୁତ ହେବ । ଏହାପରେ ଜିଲ୍ଲାସ୍ତରରେ ଏକ କମିଟି ଏହାକୁ ଯାଞ୍ଚ କରି କିଣାବିକ୍ରି ପ୍ରକ୍ରିୟାକୁ ସୁସଂଗଠିତ କରିବ ।
ସୋରଡ଼ା, ପୋଲସରା, ବେଲଗୁଣ୍ଠା, ଆସିକା, ଧରାକୋଟ, ବେଗୁନିଆପଡା, ଚିକିଟି, ପାତ୍ରପୁର ପରି ଉପାନ୍ତ ଅଞ୍ଚଳ ଗୁଡ଼ିକୁ ପ୍ରାଥମିକତା ଦିଆଯିବ। ସେଠାରେ ଅଧିକ ଉତ୍ପାଦନ ଥିବା ସାମଗ୍ରୀକୁ ବଜାର ସହ ଯୋଡ଼ିବା ପାଇଁ ବିଶେଷ ବ୍ୟବସ୍ଥା ହେବ।
ଏହାସହିତ ବଡ଼ ବଜାର ଓ ଗ୍ରାମୀଣ ବଜାର ମଧ୍ୟରେ ସମ୍ପର୍କ ସୃଷ୍ଟି କରାଯାଉଛି। ଯେଉଁଠି ଦୁଗ୍ଧ ଉତ୍ପାଦନ ଅଧିକ, ସେଠାରେ ଓମଫେଡ୍ ମାଧ୍ୟମରେ କ୍ଷୀର କ୍ରୟ କରାଯିବ ଓ ପ୍ରସେସିଂ ପାଇଁ କୁଲର୍ ବ୍ୟବସ୍ଥା ରହିବ। ଗ୍ରାମୀଣ ଉତ୍ପାଦ ଆଚାର, ବଡ଼ି, ପାମ୍ପଡ଼, ମୁଡ଼ୁକି ପରି ସାମଗ୍ରୀକୁ ଓରମାସ୍ ମାଧ୍ୟମରେ କିଣାଯିବ । ଏହାସହିତ ବନଜାତ ସାମଗ୍ରୀ ମହୁ, ଲାଖ, ଝୁଣା ଆଦିକୁ ବନ ଉନ୍ନୟନ ସମିତି ମାଧ୍ୟମରେ ବଜାର ମିଳିବ।
ଏହି ଯୋଜନା ଲାଗୁ ହେଲେ ଗ୍ରାମର ଚାଷୀ କିମ୍ବା ଛୋଟ ବ୍ୟବସାୟୀଙ୍କୁ ସହରକୁ ଯିବାକୁ ଆଉ ଆବଶ୍ୟକତା ପଡ଼ିବନି । ଘର ଦୁଆରେ ବିକ୍ରି ବ୍ୟବସ୍ଥା ହେବାରୁ ସମୟ ଓ ଖର୍ଚ୍ଚ ଦୁହେଁ ବଞ୍ଚିବ। ବିଶେଷ କରି ମହିଳା ଉଦ୍ୟୋଗୀଙ୍କୁ ଏଥିରେ ଅଧିକ ସୁଯୋଗ ମିଳିବ, ଯାହା ଗ୍ରାମୀଣ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବ।
ସେହିପରି, ଇ-କମର୍ସ ପ୍ଲାଟଫର୍ମ ମାଧ୍ୟମରେ ଗଞ୍ଜାମର ସ୍ୱଦେଶୀ ଉତ୍ପାଦକୁ ଦେଶ ଓ ବିଦେଶର ବଜାରକୁ ପହଞ୍ଚାଇବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତିଭାସନ ଏହା ପାଇଁ ବିଭିନ୍ନ କମ୍ପାନୀ ସହ ଆଲୋଚନା କରିଥିବା ଖବର ମିଳିଛି।
ଏହା ଫଳରେ “ଲୋକାଲ୍ ପାଇଁ ଭୋକାଲ୍” ଧାରଣାକୁ ଆହୁରି ଶକ୍ତି ମିଳିବ। ଅନଲାଇନ୍ ବଜାର ବୃଦ୍ଧି ପାଇଲେ ଗଞ୍ଜାମର ନିଜସ୍ୱ ଉତ୍ପାଦ ଦେଶ-ବିଦେଶରେ ପ୍ରଚାର ପାଇବ ଓ ଚାଷୀ ଓ ଉଦ୍ୟୋଗୀଙ୍କ ଆୟ ଅନେକଗୁଣା ବଢ଼ିବ ବୋଲି ଆଶା କରାଯାଉଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
