Explore

Search

April 29, 2026 12:37 am

କଙ୍କାଳରେ ପୁନର୍ଜୀବିତ ‘ରାମୁ’ : ଗୋଡ଼ିବାରିରେ ନେଉଛି ନୂଆ ଆକାର

ଭୁବନେଶ୍ବର : ଦେହ ନାହିଁ ହେଲେ କଙ୍କାଳରେ ମିଳିବ ନୂଆ ପରିଚୟ। ପ୍ରକୃତି ନିବାସରେ ‘ରାମୁ’ ହାତୀର କଙ୍କାଳ ପ୍ରଦର୍ଶିତ ହେବ। ଗୋଡ଼ିବାରି ସ୍ଥିତ ପ୍ରକୃତି ନିବାସରେ ଏହି ବିଶେଷ ପ୍ରଦର୍ଶନର ବ୍ୟବସ୍ଥା କରାଯାଇଛି। ପ୍ରାୟ ୨୫୦ଟି ହାଡ଼କୁ ଏକତ୍ର କରି ପୁଣିଥରେ ‘ରାମୁ’ର ସମ୍ପୂର୍ଣ୍ଣ ଆକାର ତିଆରି କରାଯାଇଛି।

ରାମୁଙ୍କ କଙ୍କାଳର ଅସ୍ଥି ଗୁଡ଼ିକ ଏବେ ଯୋଡ଼ା ଯାଉଛି। ମେ’ ମାସରେ ଗୋଡ଼ିବାରି ପ୍ରକୃତି ନିବାସରେ ରାମୁଙ୍କ କଙ୍କାଳ ପ୍ରଦର୍ଶନ କରାଯାଇପାରେ। ବର୍ତ୍ତମାନ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କ ନେତୃତ୍ୱରେ ୫ ଜଣିଆ ଦଳ ଏହି କାମରେ ନିୟୋଜିତ ଅଛନ୍ତି।

ଅସ୍ଥି ଯୋଡ଼ା କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗତ ବର୍ଷ ଡିସେମ୍ବରରେ ଚନ୍ଦକା-ଡମପଡା ଜଙ୍ଗଲରୁ ରାମୁଙ୍କ କଙ୍କାଳ ଉଦ୍ଧାର କରାଯାଇଥିଲା, ଯାହାରୁ ପ୍ରାୟ ୨୫୦ଟି ହାଡ଼ ମିଳିଥିଲା । ରାମୁଙ୍କ କଙ୍କାଳ ପ୍ରଦର୍ଶନ ପାଇଁ ଏକ କାଚଘର ନିର୍ମାଣ କରାଯିବ। ଏଥିସହିତ, ପର୍ଯ୍ୟଟକମାନଙ୍କ ପାଇଁ ରାମୁଙ୍କ ଜୀବନ ସମ୍ପର୍କିତ ବିବରଣୀ ମଧ୍ୟ ସେଠାରେ ଦିଆଯିବ ।

ଏନେଇ ପ୍ରାଣୀବିଜ୍ଞାନୀ କହିଛନ୍ତି, “ରାମୁ ହାତୀର କଙ୍କାଳକୁ ସୁରକ୍ଷିତ ଭାବରେ ସଜାଇବା ପାଇଁ ଆହୁରି ଦୁଇ ଦିନ ସମୟ ଲାଗିବ। କାମଟି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହାପରେ ସମସ୍ତ ହାଡ଼କୁ ରଙ୍ଗ କରାଯିବ। ଶେଷରେ, ଏହାକୁ କାଚର ଘରୀରେ ରଖିବା ପାଇଁ ପ୍ରସ୍ତୁତି ହେଉଛି, ଯାହା ଫଳରେ ଧୁଳି ଆଦି ହାଡ଼ରେ ଲାଗିବ ନାହିଁ।

ସାହସୀ ଓ ଲୋକପ୍ରିୟ ହାତୀ ‘ରାମୁ’ର ସ୍ମୃତି ଅମର ହେଉଛି

ରାଜଧାନୀ ଉପକଣ୍ଠରେ ଘୁରୁଥିବା ‘ରାମୁ’ ନାମକ ହାତୀଟି ବହୁତ ଲୋକପ୍ରିୟ ଓ ସାହସୀ ଥିଲା। ଭୁବନେଶ୍ୱର ଉପକଣ୍ଠ ସହ ଚନ୍ଦକା ଓ ଭରତପୁର ଅଞ୍ଚଳରେ ସେ ନିର୍ଭୟରେ ଚଳାଚଳ କରୁଥିଲା। ବିଶେଷ କଥା ହେଲା, ସେ କେବେ କାହାକୁ ଆକ୍ରମଣ କରିନଥିଲା, ଯାହା ପାଇଁ ସେ ସ୍ଥାନୀୟ ଲୋକଙ୍କ ମନରେ ଅଲଗା ସ୍ଥାନ ଦଖଲ କରିଥିଲା।

୨୦୨୪ ମସିହା ଅଗଷ୍ଟ ୧ ତାରିଖରେ ରାମୁର ମୃତ୍ୟୁ ପରେ, ତାର ସ୍ମୃତିକୁ ଅମର କରିବା ପାଇଁ ବନ ବିଭାଗ ଏକ ବିଶେଷ ପଦକ୍ଷେପ ନେଇଥିଲା। କଙ୍କାଳ ସଂରକ୍ଷଣ ମାଧ୍ୟମରେ ରାମୁକୁ ସ୍ମରଣୀୟ କରିବା ଯୋଜନା ଆରମ୍ଭ ହୋଇଥିଲା, ଯାହା ଏବେ ସାର୍ଥକତା ଦିଗକୁ ବଢ଼ୁଛି ।

ଗତ ବର୍ଷ ଡିସେମ୍ବରରେ, ବନ ବିଭାଗର ୨୫ ଜଣିଆ ଟିମ୍ ରାମୁର ଅସ୍ଥିକୁ ମାଟି ଖୋଳି ବାହାର କରିଥିଲେ। ଏଥିରେ ଏମ୍ସର ଫରେନସିକ ଏକ୍ସପର୍ଟ ଓ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମଧ୍ୟ ସହଭାଗୀ ହୋଇଥିଲେ। ଖନନ ସମୟରେ ମୁଣ୍ଡ, ପାଦ, ଲାଞ୍ଜ ଓ ମେରୁଦଣ୍ଡର ହାଡ଼ ସ୍ପଷ୍ଟ ଭାବେ ମିଳିଥିଲା, ଯଦିଓ କିଛି ହାଡ଼ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଥିଲା।

ପରବର୍ତ୍ତୀ ପ୍ରକ୍ରିୟାରେ ସମସ୍ତ ହାଡ଼କୁ କେମିକାଲ ଦ୍ୱାରା ସଫା କରି ସେଗୁଡ଼ିକୁ ପୁନଃ ଯୋଡ଼ାଯାଇଥିଲା। ଏହି ସମ୍ପୂର୍ଣ୍ଣ କାମଟି ସରିବାକୁ ପ୍ରାୟ ୬ ମାସ ସମୟ ଲାଗିଛି। ଏବେ ଶୀଘ୍ର ରାମୁର କଙ୍କାଳ ସାର୍ବଜନୀନ ଦର୍ଶନ ପାଇଁ ପ୍ରସ୍ତୁତ ହେବାକୁ ଯାଉଛି, ଯାହା ତାହାର ସ୍ମୃତିକୁ ଚିର ଅମର କରି ରଖିବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score