Explore

Search

June 30, 2026 1:52 am

ଖଣି ସମୃଦ୍ଧ ଅଞ୍ଚଳରେ ଜଳ ସଙ୍କଟ : ୬୧ ବର୍ଷ ଧରି ଗୋଟିଏ କୂଅ ହିଁ ୭୦ ପରିବାରର ଏକମାତ୍ର ଭରସା

ଯାଜପୁର : ଗୋଟିଏ ଗାଁ, ଗୋଟିଏ କୂଅ ଓ ସେହି କୂଅକୁ ଘେରି ରହିଛି ଶତାଧିକ ଲୋକଙ୍କ ଜୀବନ। କୂଅ ଭିତରେ ଝୁଲୁଛି ୨୦ରୁ ୨୨ଟି ପାଣି ମୋଟର ପମ୍ପ, ଚାରିଆଡ଼େ ବିଛାଡ଼ି ହୋଇଛି ପାଇପ ଓ ବିଦ୍ୟୁତ ତାର। ଦୃଶ୍ୟଟି କୌଣସି ଶୁଖିଲା ମରୁଭୂମି ଅଞ୍ଚଳର ନୁହେଁ, ବରଂ ଓଡ଼ିଶାର ସବୁଠାରୁ ଖଣିଜ ସମ୍ପଦରେ ସମୃଦ୍ଧ ଅଞ୍ଚଳ ଭାବେ ପରିଚିତ ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ଅନ୍ତର୍ଗତ ରାଁସୋଳ ପଞ୍ଚାୟତର କାର୍ତ୍ତେପୂର୍ତ୍ତି ଗାଁର।

ଏହି ଗାଁରେ ପ୍ରାୟ ୭୦ଟି ପରିବାର ବସବାସ କରୁଛନ୍ତି । ହେଲେ ସମସ୍ତଙ୍କ ପାଇଁ ପାନୀୟଜଳର ଏକମାତ୍ର ଉତ୍ସ ହେଉଛି ଏହି ଖୋଲା କୂଅ । ଆଶ୍ଚର୍ଯ୍ୟର କଥା ହେଉଛି, ଗତ ୬୧ ବର୍ଷ ଧରି ଏହି କୂଅ ଗ୍ରାମବାସୀଙ୍କ ଜଳ ଆବଶ୍ୟକତା ପୂରଣ କରିଆସୁଛି । ସମୟ ବଦଳିଛି, ବିକାଶର ଅନେକ ଯୋଜନା ଆସିଛି, କିନ୍ତୁ ଏହି ଗାଁର ଜଳ ସମସ୍ୟାର ସ୍ଥାୟୀ ସମାଧାନ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ ।

ସୁକିନ୍ଦା ଅଞ୍ଚଳ ଦେଶର ସର୍ବବୃହତ କ୍ରୋମାଇଟ୍ ଖଣି ଅଞ୍ଚଳ ଭାବେ ପରିଚିତ । ରାଜ୍ୟର ଅର୍ଥନୀତିରେ ଏହି ଅଞ୍ଚଳର ଅବଦାନ ବହୁତ ବଡ଼। ଏଠାରୁ ଉତ୍ତୋଳନ ହେଉଥିବା ଖଣିଜ ସମ୍ପଦ ରାଜ୍ୟକୁ କୋଟି କୋଟି ଟଙ୍କା ରାଜସ୍ୱ ଯୋଗାଉଛି । ତଥାପି ଏହି ଅଞ୍ଚଳର ଲୋକମାନେ ଆଜି ମଧ୍ୟ ମୌଳିକ ସୁବିଧା ପାଇଁ ସଂଘର୍ଷ କରୁଛନ୍ତି। ପାଣି ପାଇଁ ପ୍ରତିଦିନର ଏହି ଲଢ଼େଇ ସରକାରୀ ବିକାଶ ଦାବି ଉପରେ ପ୍ରଶ୍ନ ଉଠାଇଛି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଅନେକ ବର୍ଷ ପୂର୍ବରୁ ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା (TSRDS) ପକ୍ଷରୁ ଏହି କୂଅ ଖନନ କରାଯାଇଥିଲା। ସେହି ଦିନଠାରୁ ଏହି କୂଅ ହିଁ ସମଗ୍ର ଗାଁର ଜୀବନରେଖା ପାଲଟିଛି। ପ୍ରତ୍ୟେକ ପରିବାର ନିଜ ନିଜ ମୋଟର ପମ୍ପ ଲଗାଇ କୂଅରୁ ପାଣି ଉଠାଇଥାନ୍ତି । ଗୋଟିଏ ପମ୍ପର ପାଣିକୁ ୩ରୁ ୫ଟି ପରିବାର ଭାଗ କରି ବ୍ୟବହାର କରନ୍ତି। ଏଥିପାଇଁ ପ୍ରତି ମାସରେ ବିଦ୍ୟୁତ୍ ଖର୍ଚ୍ଚ ବାବଦକୁ ଘର ପିଛା ପ୍ରାୟ ୧୦୦ ଟଙ୍କା ଦେବାକୁ ପଡ଼େ।

ବର୍ଷକୁ ବର୍ଷ ଭୂତଳ ଜଳସ୍ତର କମିବାରୁ କୂଅର ଅବସ୍ଥା ମଧ୍ୟ ଖରାପ ହେବାରେ ଲାଗିଛି । ପ୍ରାୟ ପ୍ରତି ୫ରୁ ୭ ବର୍ଷ ମଧ୍ୟରେ କୂଅର ପୁନରୁଦ୍ଧାର ଆବଶ୍ୟକ ହେଉଛି। ୨୦୧୯ ମସିହାରେ କୂଅଟି ସମ୍ପୂର୍ଣ୍ଣ ଶୁଖିଯାଇଥିଲା। ସେତେବେଳେ ଗ୍ରାମବାସୀମାନେ ନିଜସ୍ୱ ଉଦ୍ୟମ ଓ ଅର୍ଥ ସହାୟତାରେ କୂଅକୁ ପୁଣି ଖନନ କରିଥିଲେ ଓ ବ୍ୟବହାର ଉପଯୋଗୀ କରିଥିଲେ।

ଅନ୍ୟପଟେ, ଖଣି ଅଞ୍ଚଳର ବିକାଶ ଓ ମୌଳିକ ସୁବିଧା ପାଇଁ ଜିଲ୍ଲା ଖଣିଜ ପାଣ୍ଠି (DMF) ଏବଂ ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଥିବା କୁହାଯାଉଛି । ପାନୀୟଜଳ ପ୍ରକଳ୍ପ ପାଇଁ ମଧ୍ୟ ବହୁ ଅର୍ଥ ବ୍ୟୟ କରାଯାଇଛି। ତଥାପି କାର୍ତ୍ତେପୂର୍ତ୍ତି ଭଳି ଗାଁରେ ଲୋକମାନେ ଆଜି ମଧ୍ୟ ଗୋଟିଏ କୂଅ ଉପରେ ନିର୍ଭର କରୁଛନ୍ତି।

ସ୍ଥାନୀୟ ଲୋକଙ୍କ ପ୍ରଶ୍ନ ହେଉଛି, ଯଦି ଖଣିରୁ ମିଳୁଥିବା ବିପୁଳ ରାଜସ୍ୱ ଓ ଖଣିଜ ପାଣ୍ଠିର ଅର୍ଥ ଲୋକଙ୍କ ବିକାଶ ପାଇଁ ଖର୍ଚ୍ଚ ହେଉଛି, ତେବେ ଏତେ ବର୍ଷ ପରେ ମଧ୍ୟ ପାନୀୟ ଜଳ ଭଳି ମୌଳିକ ସମସ୍ୟା କାହିଁକି ଦୂର ହୋଇପାରିନାହିଁ? ଏହି ଅର୍ଥ କେଉଁଠି ଓ କିଭଳି ବ୍ୟବହାର ହେଉଛି ବୋଲି ଏବେ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠୁଛି।

ଖଣିଜ ସମ୍ପଦରେ ସମୃଦ୍ଧ ସୁକିନ୍ଦାର ଏହି ଜଳ ସଙ୍କଟ କେବଳ ଗୋଟିଏ ଗାଁର କାହାଣୀ ନୁହେଁ, ବରଂ ବିକାଶ ଓ ବାସ୍ତବତା ମଧ୍ୟରେ ଥିବା ବଡ଼ ଫରକର ଏକ ସ୍ପଷ୍ଟ ଉଦାହରଣ। ସରକାରୀ ଯୋଜନା ଓ କୋଟି କୋଟି ଟଙ୍କାର ପ୍ରକଳ୍ପ ସତ୍ତ୍ୱେ ଯେତେବେଳେ ଲୋକମାନେ ଆଜି ମଧ୍ୟ ପାଣି ପାଇଁ ଗୋଟିଏ କୂଅ ଉପରେ ନିର୍ଭରଶୀଳ, ସେତେବେଳେ ଏହା ନିଶ୍ଚିତ ଭାବେ ପ୍ରଶାସନ ଓ ନୀତି ନିର୍ଦ୍ଧାରକଙ୍କ ପାଇଁ ଚିନ୍ତାର ବିଷୟ । ଗ୍ରାମବାସୀ ଆଶା କରୁଛନ୍ତି ଯେ ତାଙ୍କର ଏହି ଦୀର୍ଘଦିନର ଜଳ ସମସ୍ୟା ପ୍ରତି ସରକାର ଦୃଷ୍ଟି ଦେବେ ଏବଂ ଶୀଘ୍ର ଏକ ସ୍ଥାୟୀ ସମାଧାନ ପ୍ରଦାନ କରିବେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score