Explore

Search

August 24, 2026 8:39 pm

ପାଡିକଲଙ୍କ ଦ୍ୱିତୀୟ କ୍ରମାଗତ ଶତକ : ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତର ବାଜିମାତ

କଲମ୍ବୋ: ଦେବଦତ୍ତ ପାଡିକଲଙ୍କ ଚମତ୍କାର ଶତକ ବଳରେ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଭାରତ ମଜବୁତ ସ୍ଥିତିରେ ପହଞ୍ଚିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଦିନ ଶେଷରେ ୮୫ ଓଭରରେ ୫ ୱିକେଟ୍ ହରାଇ ୩୦୦ ରନ୍ କରିଛି । ଷ୍ଟମ୍ପ ଅପସାରଣ ବେଳକୁ ଧ୍ରୁବ ଜୁରେଲ ୭ ଏବଂ ପଦାର୍ପଣ କରୁଥିବା ସାରାଂଶ ଜୈନ ୪ ରନ୍‌ରେ ଅପରାଜିତ ଥିଲେ।

ଭାରତୀୟ ଇନିଂସର ମୁଖ୍ୟ ଆକର୍ଷଣ ରହିଥିଲେ ପାଡିକଲ। ସେ ୧୯୩ ବଲ୍‌ରୁ ୧୧୭ ରନ୍‌ର ଧୈର୍ଯ୍ୟଶୀଳ ଇନିଂସ ଖେଳି ୧୨ଟି ଚୌକା ମାରିଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ଦ୍ୱିତୀୟ ଶତକ ଏବଂ କ୍ରମାଗତ ଦ୍ୱିତୀୟ ଟେଷ୍ଟରେ ତାଙ୍କର ଦ୍ୱିତୀୟ ଶତକ।

ପ୍ରଥମ ଦୁଇ ୱିକେଟ ଶୀଘ୍ର ହରାଇବା ପରେ ପାଡିକଲ ଭାରତୀୟ ଇନିଂସକୁ ସମ୍ଭାଳିଥିଲେ। ଯଶସ୍ୱୀ ଜୈସ୍ୱାଲ ୪୫ ରନ୍ କରି ଆସିଥିବା ବେଳେ ଲୋକେଶ ରାହୁଲଙ୍କ ବ୍ୟାଟ୍‌ରୁ ଆସିଥିଲା ୧୮ ରନ୍। ଦଳ ୬୬ ରନ୍‌ରେ ଦୁଇ ଓପନରଙ୍କୁ ହରାଇବା ପରେ ପାଡିକଲ ଓ ଅଧିନାୟକ ଶୁଭମନ ଗିଲ୍ ମିଶି ଇନିଂସକୁ ସ୍ଥିର କରିଥିଲେ।
ପାଡିକଲ ଓ ଗିଲଙ୍କ ମଧ୍ୟରେ ତୃତୀୟ ୱିକେଟ ପାଇଁ ୧୨୦ ରନର ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ହୋଇଥିଲା। ଗିଲ ୧୦୮ ବଲ୍‌ରୁ ୫୦ ରନ କରିଥିଲେ। ଅର୍ଦ୍ଧଶତକ ପୂରଣ କରିବା ପରେ ସେ ଅସିଥା ଫର୍ଣ୍ଣାଡୋଙ୍କ ବଲରେ ୱିକେଟକିପରଙ୍କ ହାତରେ କ୍ୟାଚ ଦେଇଥିଲେ। ଗିଲ ମଧ୍ୟ ଏହି ଇନିଂସ ସମୟରେ ନିଜ ଟେଷ୍ଟ କ୍ୟାରିୟରର ୩,୦୦୦ ରନ୍ ପୂରଣ କରିଥିଲେ।

ପାଡିକଲ-ଜାଡେଜାଙ୍କ ଭାଗିଦାରୀରେ ଭାରତର ପ୍ରତ୍ୟାବର୍ତ୍ତନ

ଗିଲଙ୍କ ୱିକେଟ୍ ପରେ ରବୀନ୍ଦ୍ର ଜାଡେଜା ପାଡିକଲଙ୍କ ସହ ମିଶି ଭାରତୀୟ ଇନିଂସକୁ ଆଗକୁ ନେଇଥିଲେ। ଉଭୟଙ୍କ ମଧ୍ୟରେ ୭୪ ରନ୍‌ର ଭାଗିଦାରୀ ହୋଇଥିଲା। ଏହି ସମୟରେ ପାଡିକଲ ନିଜ ଶତକ ପୂରଣ କରିଥିଲେ। ଶେଷରେ କେଶରା ନୁୱାନ୍ଥାଙ୍କ ବଲ୍‌ରେ ବୋଲ୍ଡ ହୋଇ ୧୧୭ ରନ୍‌ରେ ତାଙ୍କ ଇନିଂସର ଅନ୍ତ ଘଟିଥିଲା।

ଜାଡେଜା ମଧ୍ୟ ଅର୍ଦ୍ଧଶତକ ନିକଟରେ ପହଞ୍ଚିଥିଲେ। ତେବେ ଦିନର ଶେଷ ପର୍ଯ୍ୟାୟରେ ଅସିଥା ଫର୍ଣ୍ଣାଡୋ ତାଙ୍କୁ ୪୩ ରନରେ ଆଉଟ କରିଥିଲେ। ଫର୍ଣ୍ଣାଡୋ ଶ୍ରୀଲଙ୍କାର ସବୁଠାରୁ ସଫଳ ବୋଲର ରହିଥିଲେ। ସେ ୪୬ ରନ ଦେଇ ୩ଟି ୱିକେଟ ନେଇଥିଲେ। ଲାହିରୁ କୁମାରା ଓ କେଶରା ନୁୱାନ୍ଥା ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଥିଲେ।

ଗରମ ଓ ଗୁଳୁଗୁଳିରେ ଶ୍ରୀଲଙ୍କା ବୋଲର ହଇରାଣ

କଲମ୍ବୋର ଗରମ ଓ ଆର୍ଦ୍ର ପାଣିପାଗ ଶ୍ରୀଲଙ୍କାର ଦ୍ରୁତ ବୋଲରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଥିଲା। ତଥାପି ଦିନର ଶେଷ ଭାଗରେ ଫର୍ଣ୍ଣାଡୋଙ୍କ ବୋଲିଂ ଭାରତ ଉପରେ କିଛି ଚାପ ସୃଷ୍ଟି କରିଥିଲା। ଦୁଇ ଦଳର ଲଢ଼େଇ ମଧ୍ୟରେ ପାଡିକଲଙ୍କ ଶତକ ଭାରତକୁ ଦିନ ଶେଷରେ ଭଲ ସ୍ଥିତିରେ ପହଞ୍ଚାଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score