Explore

Search

August 24, 2026 8:37 pm

ମାଛ ଚାଷ ନିଶାରେ ଗଞ୍ଜାମର ବିଟେକ ଛାତ୍ର

ବ୍ରହ୍ମପୁର : ଦିନେ ସ୍ବପ୍ନ ଥିଲା ଜୀବନରେ ନିଜେ ସ୍ୱାବଲମ୍ବୀ ହେବେ । କାହା ପାଖରେ ହାତପତେଇ ରୋଜଗାର ନକରି ନିଜେ ରୋଜଗାରର ପନ୍ଥା ଖୋଲିବେ। ଆଉ ଆଜି ସେଇ ସ୍ବପ୍ନ ତାଙ୍କର ସତ ହୋଇଛି । ନିଜେ ସ୍ୱାବଲମ୍ବୀ ହେବାସହ ଯୁବପିଢିଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଚିକରଡ଼ା ଗ୍ରାମର ଯୁବକ ଜଗନ୍ନାଥ କର।

ପାଠପଢ଼ା ସହ ରଙ୍ଗୀନ ମାଛ ଚାଷ, ଯୁବପିଢ଼ି ପାଇଁ ପ୍ରେରଣା ପାଲଟିଛନ୍ତି ବିଟେକ୍ ଛାତ୍ର ଜଗନ୍ନାଥ । ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ବିଟେକ ଦ୍ୱିତୀୟ ବର୍ଷରେ ପଢ଼ୁଥିବା ଜଗନ୍ନାଥ ପାଠପଢ଼ା ସହ ଆରମ୍ଭ କରିଛନ୍ତି ରଙ୍ଗୀନ ମାଛ ଚାଷ । ନିଜ ଆଗ୍ରହ, ତାଲିମ ଓ ପରିଶ୍ରମକୁ ପୁଞ୍ଜି କରି ସେ ଧୀରେ ଧୀରେ ଏହି କାର୍ଯ୍ୟକୁ ଏକ ଛୋଟ ଉଦ୍ୟୋଗର ରୂପ ଦେଉଛନ୍ତି।

ଜଗନ୍ନାଥଙ୍କ ରଙ୍ଗୀନ ମାଛ ଚାଷ ପ୍ରତି ଆଗ୍ରହ ହଠାତ ସୃଷ୍ଟି ହୋଇନଥିଲା। ଏକ ପ୍ରଦର୍ଶନୀରେ ଅର୍ନାମେଣ୍ଟାଲ ଫିସ୍ ଚାଷ ଦେଖିବା ପରେ ଏହି କ୍ଷେତ୍ର ପ୍ରତି ତାଙ୍କର ଆଗ୍ରହ ବଢ଼ିଥିଲା। ପରେ ସେ ଏ ସମ୍ପର୍କରେ ତାଲିମ ନେଇ ନିଜ ଗାଁରେ ରଙ୍ଗୀନ ମାଛ ଚାଷ ଆରମ୍ଭ କରିଥିଲେ।

ଏହି ଉଦ୍ୟମ ପାଇଁ ECRICC (Enhancing Climate Resilience of India’s Coastal Communities) ପକ୍ଷରୁ ଜଗନ୍ନାଥଙ୍କୁ ୧ ଲକ୍ଷ ୯ ହଜାର ୩୨୦ ଟଙ୍କାର ସହାୟତା ମିଳିଥିଲା। ଏହି ଅର୍ଥର ସଠିକ୍ ବିନିଯୋଗ କରି ସେ ମାଛ ଚାଷ ପାଇଁ ଆବଶ୍ୟକ ବ୍ୟବସ୍ଥା କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ମାଛ ଚାଷ ସମ୍ପର୍କିତ ତାଲିମ ଓ ମାଛ ଯୋଗାଣରେ ମଧ୍ୟ ସହଯୋଗ କରାଯାଇଥିଲା।

 

ତିନି ପ୍ରକାର ରଙ୍ଗୀନ ମାଛ ଚାଷ

ବର୍ତ୍ତମାନ ଜଗନ୍ନାଥଙ୍କ ଫାର୍ମରେ ବିଭିନ୍ନ ପ୍ରଜାତିର ଅର୍ନାମେଣ୍ଟାଲ ଫିସ୍ ଚାଷ କରାଯାଉଛି। ଗୋଲ୍ଡଫିସ୍ ଭଳି ଅଣ୍ଡା ଦେଉଥିବା ମାଛ ସହ ଏସଟେଲ୍, ଗୋପୀ, ମଲ୍ଲୀ ଭଳି ଛୁଆ ଦେଉଥିବା ମାଛ ମଧ୍ୟ ଏଠାରେ ପାଳନ କରାଯାଉଛି। ଆଗାମୀ ଦିନରେ ମାଛର ପ୍ରଜାତି ଓ ଉତ୍ପାଦନ ବଢ଼ାଇବାକୁ ଜଗନ୍ନାଥ ଯୋଜନା କରିଛନ୍ତି।

ନିଜ ପାଠପଢ଼ା ମଧ୍ୟରୁ ସମୟ ବାହାର କରି ସେ ଫାର୍ମକୁ ଯାଇ ମାଛମାନଙ୍କର ଯତ୍ନ ନେଉଛନ୍ତି। ଖାଦ୍ୟ ଦେବାଠାରୁ ଆରମ୍ଭ କରି ପାଣିର ଗୁଣବତ୍ତା ଓ ମାଛର ସ୍ୱାସ୍ଥ୍ୟ ଉପରେ ମଧ୍ୟ ସେ ନଜର ରଖୁଛନ୍ତି। ଏହି ଉଦ୍ୟମରୁ ଏପର୍ଯ୍ୟନ୍ତ ପ୍ରାୟ ୫ ହଜାରରୁ ୭ ହଜାର ଟଙ୍କା ପର୍ଯ୍ୟନ୍ତ ମାଛ ବିକ୍ରି କରିଥିବା ସେ କହିଛନ୍ତି।

 

ଜଗନ୍ନାଥଙ୍କ ଏହି କାର୍ଯ୍ୟରେ ପରିବାରର ସଦସ୍ୟମାନେ ମଧ୍ୟ ସହଯୋଗ କରୁଛନ୍ତି। ତାଙ୍କ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ସାନଭାଇ ଆୟୁଷ କୁମାର କର ମଧ୍ୟ ମାଛ ଚାଷର ଦୈନନ୍ଦିନ କାମରେ ଭାଇଙ୍କୁ ସହାୟତା କରୁଛନ୍ତି। ଆୟୁଷ ପ୍ରତିଦିନ ସକାଳ ପ୍ରାୟ ୭ଟା ଓ ସନ୍ଧ୍ୟା ୫ଟା ସମୟରେ ମାଛମାନଙ୍କୁ ଖାଦ୍ୟ ଦିଅନ୍ତି। ଆବଶ୍ୟକତା ଅନୁସାରେ ନେଟ୍‌ ସାହାଯ୍ୟରେ ମାଛକୁ କୁଣ୍ଡରୁ ବାହାର କରି ପାଣି ପରିବର୍ତ୍ତନ କାମରେ ମଧ୍ୟ ସହଯୋଗ କରନ୍ତି। ନିଜ ଫାର୍ମରେ ଆକ୍ୱାରିୟମ୍‌ରେ ଦେଖୁଥିବା ରଙ୍ଗୀନ ମାଛ ଗୁଡ଼ିକୁ ଦେଖି ସେ ବେଶ୍ ଖୁସି ହେଉଥିବା କହିଛନ୍ତି।

 

ବ୍ରହ୍ମପୁରରେ ରହିଛି ବଜାର

ଜଗନ୍ନାଥଙ୍କ ଚାଷ ହେଉଥିବା ରଙ୍ଗୀନ ମାଛ କିଣିବା ପାଇଁ ହଳଦିଆପଦର, କନିଷି ସମେତ ବ୍ରହ୍ମପୁର ଅଞ୍ଚଳର ବିଭିନ୍ନ ସ୍ଥାନରୁ ବ୍ୟବସାୟୀମାନେ ଆସୁଛନ୍ତି। ଫଳରେ ପାଠପଢ଼ା ସହ ଏହି ଛୋଟ ଉଦ୍ୟମ ତାଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ ହେବାର ନୂଆ ଆଶା ଦେଇଛି। ଜଗନ୍ନାଥଙ୍କ ମତରେ, ରଙ୍ଗୀନ ମାଛ କେବଳ ବ୍ୟବସାୟର ମାଧ୍ୟମ ନୁହେଁ, ଏହା ମନକୁ ମଧ୍ୟ ଶାନ୍ତି ଦେଇଥାଏ। ଆକ୍ୱାରିୟମ୍‌ରେ ରଙ୍ଗୀନ ମାଛମାନଙ୍କର ଚଳପ୍ରଚଳ ଦେଖିବା ମାନସିକ ଚାପ କମାଇବାରେ ସହାୟକ ହୋଇପାରେ ବୋଲି ସେ ନିଜ ଅନୁଭୂତିରୁ କହିଛନ୍ତି।

 

କୃଷି ବିଜ୍ଞାନ କେନ୍ଦ୍ରର ସହଯୋଗ

ମତ୍ସ୍ୟ ବୈଜ୍ଞାନିକଙ୍କ ସୂଚନା ଅନୁସାରେ, ଏକ ମହୋତ୍ସବରେ ଆୟୋଜିତ ପ୍ରଦର୍ଶନୀ ସମୟରେ ଜଗନ୍ନାଥଙ୍କ ସହ ପ୍ରଥମେ ଯୋଗାଯୋଗ ହୋଇଥିଲା। ଅର୍ନାମେଣ୍ଟାଲ ଫିସ୍ ଚାଷ ପ୍ରତି ତାଙ୍କ ଆଗ୍ରହ ଦେଖି ତାଙ୍କୁ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଡ଼ାଯାଇଥିଲା। ECRICC ସହାୟତା ପାଇବାରେ ମଧ୍ୟ ତାଙ୍କୁ ସହଯୋଗ କରାଯାଇଥିଲା।

 

ପ୍ରାରମ୍ଭିକ ସମୟରେ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ମା’ ମାଛ ଯୋଗାଇବା ସହ ଚାଷ ପଦ୍ଧତି, ମାଛର ଯତ୍ନ ଓ ପରିଚାଳନା ସମ୍ପର୍କରେ ଜଗନ୍ନାଥଙ୍କୁ ଆବଶ୍ୟକ ତାଲିମ ଦିଆଯାଇଥିଲା। ତାଙ୍କର ଉତ୍ସାହ ଓ ନିଷ୍ଠାକୁ ଦେଖି ଆଗାମୀ ଦିନରେ ଅଧିକ ସହଯୋଗ ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି।

 

ପାଠପଢ଼ା ସହ ନୂଆ କିଛି କରିବାର ଇଚ୍ଛା ଏବଂ ନିଜ ଗାଁରେ ରହି ସ୍ୱାବଲମ୍ବୀ ହେବାର ପ୍ରୟାସ ଜଗନ୍ନାଥଙ୍କୁ ଅନ୍ୟ ଯୁବପିଢ଼ିଙ୍କ ଠାରୁ ଭିନ୍ନ କରିଛି। ଇଞ୍ଜିନିୟରିଂ ପଢ଼ା ସହ ରଙ୍ଗୀନ ମାଛ ଚାଷକୁ ଆଗେଇ ନେଇ ଭବିଷ୍ୟତରେ ଏହାକୁ ବଡ଼ ଉଦ୍ୟୋଗରେ ପରିଣତ କରିବା ତାଙ୍କର ଲକ୍ଷ୍ୟ। ତାଙ୍କ ଏହି ପ୍ରୟାସ ନିଶ୍ଚିତ ଭାବେ ଚାକିରି ପଛରେ ନଦୌଡ଼ି ନିଜେ ରୋଜଗାର ସୃଷ୍ଟି କରିବାକୁ ଚାହୁଁଥିବା ଯୁବପିଢ଼ି ପାଇଁ ଏକ ଉଦାହରଣ ପାଲଟିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score