Explore

Search

May 24, 2026 2:16 am

ମୋଦିଙ୍କୁ ଝାଲମୁଢ଼ି ଖୁଆଇ ରାତାରାତି ପ୍ରସିଦ୍ଧ, ଏବେ ହତ୍ୟା ଧମକରେ ଭୟଭୀତ ଦୋକାନୀ

କୋଲକାତା : ନିକଟରେ ଶେଷ ହୋଇଥିବା ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ଝାଲମୁଢ଼ିକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଝାଡ଼ଗ୍ରାମର ଏକ ଛୋଟ ଦୋକାନରୁ ଝାଲମୁଢ଼ି ଖାଇଥିଲେ। ସେହି ଘଟଣା ପରେ ଦୋକାନୀ ବିକ୍ରମ ସାଉ ରାତାରାତି ସାରା ଦେଶରେ ପ୍ରସିଦ୍ଧ ହୋଇଯାଇଥିଲେ। ସୋସିଆଲ ମିଡିଆରେ ମୋଦିଙ୍କ ଝାଲମୁଢ଼ି ଖାଇବାର ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ତାଙ୍କ ଦୋକାନରେ ଲୋକଙ୍କ ଭିଡ଼ ଲାଗିଯାଇଥିଲା।

କିନ୍ତୁ ଏହି ଲୋକପ୍ରିୟତା ଏବେ ବିକ୍ରମ ଓ ତାଙ୍କ ପରିବାର ପାଇଁ ଭୟର କାରଣ ହୋଇପଡ଼ିଛି। ଗତ କିଛି ଦିନ ଧରି ତାଙ୍କୁ ଅଜଣା ବିଦେଶୀ ନମ୍ବରରୁ ଫୋନ୍‌ କଲ୍‌ ଆସୁଥିବା ବେଳେ ହତ୍ୟା ଧମକ ମିଳୁଥିବା ଅଭିଯୋଗ ହୋଇଛି। ପାକିସ୍ତାନ (+92) ଓ ବାଂଲାଦେଶ (+880) କୋଡ୍‌ ଥିବା ନମ୍ବରରୁ ଫୋନ୍‌ ଓ ହ୍ୱାଟ୍ସଆପ୍‌ ଭିଡିଓ କଲ୍‌ ଆସୁଥିବା ବିକ୍ରମ କହିଛନ୍ତି। କଲ୍‌ ରିସିଭ୍‌ କରିବା ପରେ ତାଙ୍କୁ ଓ ପରିବାରକୁ ଜୀବନରୁ ମାରିଦେବା ସହ ବୋମା ମାଡ଼ କରିବାର ଧମକ ଦିଆଯାଉଛି।

ପ୍ରକୃତରେ ନିର୍ବାଚନ ପ୍ରଚାର ସମୟରେ ଝାଡ଼ଗ୍ରାମ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦି ରାସ୍ତାକଡ଼ରେ ଥିବା ବିକ୍ରମ ସାଉଙ୍କ ଝାଲମୁଢ଼ି ଦୋକାନ ପାଖରେ ହଠାତ୍‌ ଅଟକିଥିଲେ। ସେ ବିକ୍ରମଙ୍କୁ ୧୦ ଟଙ୍କାର ଝାଲମୁଢ଼ି ବନାଇବାକୁ କହିଥିଲେ ଏବଂ ନିଜେ ଟଙ୍କା ମଧ୍ୟ ଦେଇଥିଲେ। ବିକ୍ରମ ଟଙ୍କା ନେବାକୁ ମନା କରିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଟଙ୍କା ରଖିବାକୁ କହିଥିଲେ। ପରେ ସେ ସେଠାରେ ଠିଆ ହୋଇ ଝାଲମୁଢ଼ି ଖାଇଥିଲେ ଓ ପାଖରେ ଥିବା କିଛି ପିଲାଙ୍କୁ ମଧ୍ୟ ଖୁଆଇଥିଲେ। ଝାଲମୁଢ଼ିର ସ୍ୱାଦକୁ ପ୍ରଶଂସା କରି ବିକ୍ରମଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ।

ଏହି ଘଟଣା ପରେ ବିକ୍ରମଙ୍କ ଦୋକାନ ଚର୍ଚ୍ଚାର କେନ୍ଦ୍ର ହୋଇଯାଇଥିଲା। ଦୂରଦୂରାନ୍ତରୁ ଲୋକ ତାଙ୍କ ଝାଲମୁଢ଼ି ଖାଇବାକୁ ଆସୁଥିଲେ। କିନ୍ତୁ ବର୍ତ୍ତମାନ ଲଗାତାର ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସିବା ପରେ ସେ ଓ ତାଙ୍କ ପରିବାର ଭୟଭୀତ ଅବସ୍ଥାରେ ରହୁଛନ୍ତି। ଏପରିକି ଏହି ଘଟଣା ପରେ ତାଙ୍କ ଦୋକାନକୁ ଗ୍ରାହକ ଆସିବା ମଧ୍ୟ କମିଯାଇଛି ବୋଲି ବିକ୍ରମ କହିଛନ୍ତି।

ଏନେଇ ବିକ୍ରମ ସାଉ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସାଇବର ସେଲ୍‌ ସହଯୋଗରେ ବିଦେଶୀ ନମ୍ବରଗୁଡ଼ିକୁ ଟ୍ରାକ୍‌ କରାଯାଉଛି। ଘଟଣାକୁ ନେଇ ସମଗ୍ର ଝାଡ଼ଗ୍ରାମ ଅଞ୍ଚଳରେ ଚିନ୍ତାର ପରିବେଶ ସୃଷ୍ଟି ହୋଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score