ଗଞ୍ଜାମ : ବହୁଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଆଜି ହାଇକୋର୍ଟ ବିକ୍ରମ ପଣ୍ଡାଙ୍କ ଜାମିନ ମଞ୍ଜୁର କରିଛନ୍ତି।
ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କ ନାମ ଜଡ଼ିତ ହୋଇଥିଲା। ଘଟଣା ପରେ ପୋଲିସ ତାଙ୍କୁ ଏହି ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଦର୍ଶାଇଥିଲା। ପରବର୍ତ୍ତୀ ସମୟରେ ୨୨ ଅକ୍ଟୋବର ୨୦୨୫ରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା।
ସୂଚନାଯୋଗ୍ୟ, ୨୦୨୫ ମସିହା ଅକ୍ଟୋବର ୬ ତାରିଖ ରାତିରେ ପୀତବାସ ପଣ୍ଡା ଘରକୁ ଫେରୁଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କ ବାସଭବନ ନିକଟରେ ଏହି ଘଟଣା ଘଟିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ବ୍ରହ୍ମପୁର ଏମ୍କେସିଜି ମେଡିକାଲକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପୋଲିସ ତଦନ୍ତ ପରେ ଦାବି କରିଥିଲା ଯେ, ବିକ୍ରମ ପଣ୍ଡା ଏବଂ ପୂର୍ବତନ ବ୍ରହ୍ମପୁର ମହାନଗର ନିଗମ ମେୟର ପିଣ୍ଟୁ ଦାସ ଏହି ହତ୍ୟାକାଣ୍ଡ ପଛରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲେ।
ଜାମିନ ମଞ୍ଜୁର ହେବା ପରେ ବିକ୍ରମ ପଣ୍ଡାଙ୍କ ପରିବାରରେ ଖୁସିର ପରିବେଶ ଦେଖାଦେଇଛି। ପ୍ରତିକ୍ରିୟା ଦେଇ ବିକ୍ରମ ପଣ୍ଡାଙ୍କ ବାପା କହିଛନ୍ତି, “ମୋ ପୁଅକୁ ଅନ୍ୟାୟ ଭାବେ ୧୦ ମାସ ଧରି ବ୍ରହ୍ମପୁର ଜେଲରେ ରଖାଯାଇଥିଲା। ମୋର ପ୍ରଭୁ ଜଗନ୍ନାଥ ଏବଂ ନ୍ୟାୟପାଳିକା ଉପରେ ପୂର୍ଣ୍ଣ ବିଶ୍ୱାସ ଥିଲା। ଆଜି ଆମ ପରିବାରର ସମସ୍ତେ ଖୁସି ଅଛନ୍ତି। ଗିରଫ ସମୟରେ ମଧ୍ୟ ମୁଁ କହିଥିଲି ଯେ, ମୋ ପୁଅକୁ ଅନ୍ୟାୟ ଭାବେ ଗିରଫ କରାଯାଇଛି।”
ପରିବାରର ଅନ୍ୟ ଜଣେ ସଦସ୍ୟ କହିଛନ୍ତି ଯେ, ଏହା ତାଙ୍କ ପରିବାର ପାଇଁ ଏକ ଖୁସିର ଦିନ। ସମୟର ଚକ୍ରରେ ପରିବାରକୁ ଅନେକ କଷ୍ଟ ସହିବାକୁ ପଡ଼ିଛି। ତେବେ ଦିନେ ନା ଦିନେ ନ୍ୟାୟ ମିଳିବ ବୋଲି ସେମାନଙ୍କର ଆଶା ଥିଲା।
ଏହି ଘଟଣାକୁ ନେଇ ଗଞ୍ଜାମ ବିଜେଡି ସୋସିଆଲ ମିଡିଆ ସଂଯୋଜକ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିବା ପରେ ସେ ହାଇକୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଗାମୀ ଦିନରେ ବିକ୍ରମ ପଣ୍ଡା ପୂର୍ବଭଳି ଜନସେବା କାର୍ଯ୍ୟ ଜାରି ରଖିବେ ବୋଲି ସେ କହିଛନ୍ତି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
