Explore

Search

April 7, 2026 11:18 pm

ଚମକିବ ପୁରୀ ଶ୍ରୀମନ୍ଦିର : ଖର୍ଚ୍ଚ ହେବ ୧୮ କୋଟି ଟଙ୍କା

ପୁରୀ : ଚମକିବ ପୁରୀ ଶ୍ରୀମନ୍ଦିର । ଶ୍ରୀଜଗନ୍ନାଥ ମନ୍ଦିରକୁ ଆକର୍ଷଣୀୟ ଏବଂ ଆଧୁନିକ ଆଲୋକ ସଜାରେ ରୂପାନ୍ତର କରିବା ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରାୟ ୧୭ରୁ ୧୮ କୋଟି ଟଙ୍କା ବ୍ୟୟରେ ଏହି ବିଶାଳ ଆଲୋକୀକରଣ ପ୍ରକଳ୍ପ କାମ କରାଯିବାକୁ ଯୋଜନା ହୋଇଛି । ଏହା ରୂପାୟଣ ହେଲେ ଭକ୍ତମାନେ ଏକ ନୂତନ ଧାର୍ମିକ ଅନୁଭବ ପାଇବେ।

ଏହି ପ୍ରସଙ୍ଗରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଥିଲା। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଭର୍ଚୁଆଲ ମାଧ୍ୟମରେ ବୈଠକର ଅଧ୍ୟକ୍ଷତା କରିଥିଲେ। ବୈଠକରେ ପୁରାତତ୍ତ୍ୱ ବିଭାଗ (ଏଏସଆଇ), ଶ୍ରୀମନ୍ଦିର ପ୍ରଶାସନ, ପରିଚାଳନା କମିଟି ସଦସ୍ୟମାନେ, ସେବାୟତ ଏବଂ ଓବିସିସି ସହିତ ଦିଲ୍ଲୀର ଏକ ପରାମର୍ଶଦାତା ସଂସ୍ଥାର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ପ୍ରସ୍ତାବିତ ଯୋଜନା ଅନୁଯାୟୀ, ଶ୍ରୀମନ୍ଦିରର ମୁଖ୍ୟ ଅଂଶ ସହ ଚାରିଦିଗର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକୁ ଆଲୋକୀକରଣ କରାଯିବ । ମେଘନାଦ ପାଚେରୀ, କୁରୁମବେଢା, ଜଗମୋହନ, ନାଟମଣ୍ଡପ, ଗର୍ଭଗୃହ, ଭୋଗମଣ୍ଡପ, ଆନନ୍ଦ ବଜାର ସହ ଚାରିଟି ଦ୍ୱାରରେ ବିଶେଷ ଲାଇଟ ବ୍ୟବସ୍ଥା କରାଯିବ । ଏହାସହ ଭିତର ବେଢାରେ ଥିବା ମା’ ଲକ୍ଷ୍ମୀ, ବିମଳା ଓ ଅନ୍ୟାନ୍ୟ ପାର୍ଶ୍ୱ ଦେବାଦେବୀଙ୍କ ମନ୍ଦିର ମଧ୍ୟ ଆଲୋକରେ ମଣିହେବ।

ଏଏସଆଇର ବୈଷୟିକ ପରାମର୍ଶ ଅନୁସାରେ ପ୍ରକଳ୍ପର ଏକ ବିସ୍ତୃତ ରୂପରେଖା ପ୍ରସ୍ତୁତ ହୋଇଛି । ଖୁବଶୀଘ୍ର କାମ ଆରମ୍ଭ ହେବା ସହ ଆସନ୍ତା ୩ରୁ ୪ ମାସ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ସମାପ୍ତ କରିବା ଲକ୍ଷ୍ୟ ରଖାଯାଇଛି ।

ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି ଯେ, ଅତ୍ୟାଧୁନିକ ଲାଇଟ ବ୍ୟବସ୍ଥା ଦ୍ୱାରା ମନ୍ଦିରର ସୌନ୍ଦର୍ଯ୍ୟ ଆହୁରି ବଢ଼ିବ ଏବଂ ଦୂରରୁ ମଧ୍ୟ ଏକ ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିବ । ରଥଯାତ୍ରା ପରେ କାମ ଆରମ୍ଭ ହେବା ସମ୍ଭାବନା ରହିଛି।

ଶ୍ରୀମନ୍ଦିରର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶକୁ ଆଧୁନିକ ଆଲୋକରେ ସଜାଯିବ। ଏହାଦ୍ୱାରା ରାତିରେ ମନ୍ଦିରର ରୂପ ଅଧିକ ମନୋହର ହେବ ଏବଂ ଭକ୍ତମାନେ ଏକ ନୂଆ ଆଧ୍ୟାତ୍ମିକ ଅନୁଭୂତି ଅନୁଭବ କରିପାରିବେ। ପରବର୍ତ୍ତୀ ପର୍ଯ୍ୟାୟରେ ଗୁଣ୍ଡିଚା ମନ୍ଦିରକୁ ମଧ୍ୟ ଏହି ପ୍ରକାର ଆଲୋକୀକରଣ କରିବା ପାଇଁ ଯୋଜନା ରହିଛି। ଏହା ସହିତ ପୁରୀ ସହରର ଧାର୍ମିକ ପରିବେଶକୁ ଆହୁରି ଆକର୍ଷଣୀୟ କରିବା ଲକ୍ଷ୍ୟ ରଖାଯାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score