Explore

Search

April 1, 2026 3:43 am

ଏଲପିଜି ସମସ୍ୟାରେ ସରକାରଙ୍କ ନୂଆ ପଦକ୍ଷେପ : ୫୦୦ ଟଙ୍କାରେ ହେବ ଭୁବନେଶ୍ୱରରେ PNG ସଂଯୋଗ

ଭୁବନେଶ୍ୱର : ଆଉ ରହିବନି ଗ୍ୟାସ ବୁକିଂର ଚିନ୍ତା । ଏଣିକି ୫ ଶହ ଟଙ୍କା ଦେଲେ ମିଳିବ PNG ସଂଯୋଗ । ଦିନକୁ ଦିନ ଏଲପିଜି ଯୋଗାଣ ସମସ୍ୟା ବଢ଼ିବା ପରେ ରାଜ୍ୟରେ ପାଇପ ନ୍ୟାଚୁରାଲ ଗ୍ୟାସ (PNG) ବ୍ୟବସ୍ଥାକୁ ବିସ୍ତାର କରିବାକୁ ସରକାର ଗୁରୁତ୍ୱ ଦେଇଛନ୍ତି । ଏବେ ଘରେ ଘରେ ସହଜରେ ଗ୍ୟାସ ପହଞ୍ଚାଇବାକୁ ନୂଆ ପ୍ରୟାସ ଆରମ୍ଭ ହୋଇଛି । ମାତ୍ର ୫୦୦ ଟଙ୍କା ଦେଇ PNG ସଂଯୋଗ ପାଇଁ ଆବେଦନ କରିହେବ ଏବଂ ଆବେଦନ କରିବାର ୯୦ ଦିନ ମଧ୍ୟରେ ସଂଯୋଗ ମିଳିବାର ସୁବିଧା ମିଳିବ।

ରାଜଧାନୀ ଭୁବନେଶ୍ୱର ଓ କଟକରେ PNG ସଂଯୋଗକୁ ନେଇ ଲୋକମାନଙ୍କ ମଧ୍ୟରେ ଆଗ୍ରହ ବଢ଼ୁଛି । ବିଶେଷ କରି ଏହି ବ୍ୟବସ୍ଥା ଏଲପିଜି ସିଲିଣ୍ଡର ଉପରେ ନିର୍ଭରତା କମାଇବାରେ ସହାୟକ ହେବ ବୋଲି ମନେ କରାଯାଉଛି।

ବର୍ତ୍ତମାନ ଭୁବନେଶ୍ୱରରେ ପ୍ରତିଦିନ ପ୍ରାୟ ୧୦୦ଟି PNG ସଂଯୋଗ ଦିଆଯାଉଛି । ଚନ୍ଦ୍ରଶେଖରପୁର, କଳିଙ୍ଗ ବିହାର, ଡୁମଡୁମା ଓ ମଞ୍ଚେଶ୍ୱର ଅଞ୍ଚଳରେ ପାଇପ ଲାଇନ ବିଛାଇବା କାମ ସମାପ୍ତ ହୋଇଥିବାରୁ ସେଠାରେ ଶୀଘ୍ର ସଂଯୋଗ ଦେବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ତେଣୁ ଲୋକମାନେ ଏବେ ସହଜରେ ଅନଲାଇନ କିମ୍ବା ଅଫଲାଇନ ପ୍ରକ୍ରିୟାରେ ଆବେଦନ କରି ନିଜ ଘରକୁ PNG ସଂଯୋଗ ପାଇପାରିବେ। ଏହି ବ୍ୟବସ୍ଥା ଏଲପିଜି ତୁଳନାରେ ଅଧିକ ଶସ୍ତା ହେବା ସହ ଖର୍ଚ୍ଚ କମାଇବାରେ ସହାୟକ ହେବ । ସେହିପରି ସୁରକ୍ଷା ଦୃଷ୍ଟିକୋଣରୁ ମଧ୍ୟ PNG କୁ ଅଧିକ ନିରାପଦ ବିକଳ୍ପ ଭାବେ ଦେଖାଯାଉଛି।

ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରର ପ୍ରାୟ ୧୯ ହଜାର ଘରେ PNG ସଂଯୋଗ ଉପଲବ୍ଧ ଅଛି। ଆଗାମୀ ଦିନରେ ଏହି ସଂଖ୍ୟାକୁ ଆହୁରି ବଢ଼ାଇବା ପାଇଁ କାମ ଜୋରଦାର ଭାବେ ଚାଲିଛି। ଏହା ପାଇଁ ସମ୍ପୃକ୍ତ ଠିକାଦାରମାନଙ୍କୁ ଶୀଘ୍ର କାମ ସମାପ୍ତ କରିବାକୁ ନିର୍ଦ୍ଦେଶ ମଧ୍ୟ ଜାରି କରାଯାଇଛି।

ସେହିପରି ଆଗାମୀ ଦିନରେ ଏହି ଅଞ୍ଚଳଗୁଡ଼ିକର ଆସପାସ ଅଞ୍ଚଳକୁ ମଧ୍ୟ PNG ସୁବିଧା ବିସ୍ତାର କରାଯିବାକୁ ଯୋଜନା ରହିଛି। ଏଥିପାଇଁ ସାଧାରଣ ଲୋକଙ୍କୁ ଆଗୁଆ ହୋଇ ଆବେଦନ କରିବାକୁ ସରକାର ଓ ସମ୍ପୃକ୍ତ ବିଭାଗ ପକ୍ଷରୁ ଆହ୍ୱାନ ଜାରି ହୋଇଛି।

PNG ସଂଯୋଗ ଆସିଲେ ଘରେ ଗ୍ୟାସ ସିଲିଣ୍ଡର ବଦଳାଇବାର ଯନ୍ତ୍ରଣା ହ୍ରାସ ପାଇବା ସହିତ ସୁରକ୍ଷିତ ଓ ସ୍ଥାୟୀ ଗ୍ୟାସ ଯୋଗାଣ ସୁବିଧା ମିଳିବ ବୋଲି ଆଶା କରାଯାଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score