ଭୁବନେଶ୍ୱର : ଆଜିକାଲି ୩୦ ବର୍ଷ ପରେ ପୁରୁଷମାନଙ୍କ ମଧ୍ୟରେ ପେଟ ବାହାରିବା ସମସ୍ୟା ଦ୍ରୁତ ଭାବେ ବଢ଼ୁଛି । ସୁସ୍ଥ ଖାଦ୍ୟ ଗ୍ରହଣ କରିବା ସତ୍ତ୍ୱେ ମଧ୍ୟ କାହିଁକି ଏହି ପରିସ୍ଥିତି ହେଉଛି ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି । ଦେଖାଯାଉଛି ଯେ, ଯେଉଁମାନେ ପୂର୍ବରୁ ଫିଟ ଓ ସକ୍ରିୟ ଥିଲେ, ସେମାନଙ୍କ ଶରୀରରେ ଧୀରେ ଧୀରେ ଚର୍ବି ଜମା ହେଉଛି ଏବଂ ପେଟ ଆଗକୁ ବଢ଼ୁଛି।
ସାଧାରଣ ଧାରଣା ହେଉଛି ଯେ ଜଙ୍କ ଫୁଡ, ବାହାର ଖାଦ୍ୟ କିମ୍ବା ଦୀର୍ଘ ସମୟ ବସି କାମ କରିବା ପେଟ ବଢ଼ିବାର ମୁଖ୍ୟ କାରଣ। କିନ୍ତୁ ଚିକିତ୍ସକମାନଙ୍କ ମତାନୁସାରେ ଏହା ପଛରେ ଶରୀରର ଭିତରେ ଘଟୁଥିବା ମେଟାବୋଲିକ ଓ ହରମୋନ ପରିବର୍ତ୍ତନ ମୁଖ୍ୟ ଭୂମିକା ନେଉଛି।
ବିଶେଷଜ୍ଞମାନେ କୁହନ୍ତି ଯେ ୩୦ ବର୍ଷ ପରେ ଶରୀରର ମାଂସପେଶୀ ଧୀରେ ଧୀରେ କମିଯାଏ ଏବଂ ମେଟାବୋଲିଜମ୍ ହ୍ରାସ ପାଏ। ଫଳରେ ଅତିରିକ୍ତ କ୍ୟାଲୋରି ପେଟ ଚାରିପାଖରେ ‘ଭିସେରାଲ ଫ୍ୟାଟ’ ଭାବେ ଜମା ହୋଇଥାଏ । ଯାହାକୁ କେନ୍ଦ୍ରୀୟ ସ୍ଥୁଳତା ବୋଲି କୁହାଯାଏ । ଏହା କେବଳ ଦେଖାଶୁଣାରେ ପରିବର୍ତ୍ତନ ଆଣେନି, ବରଂ ମଧୁମେହ ଓ ହୃଦରୋଗର ଆଶଙ୍କାକୁ ମଧ୍ୟ ବଢ଼ାଇଥାଏ।
ଏହାସହ ଇନସୁଲିନ ପ୍ରତିରୋଧ ମଧ୍ୟ ଏକ ମୁଖ୍ୟ କାରଣ ଭାବେ ଦେଖାଯାଉଛି । ଅଳ୍ପ ଶାରୀରିକ କ୍ରିୟାକଳାପ, ଭୁଲ ଖାଦ୍ୟ ଅଭ୍ୟାସ ଓ ଅନିୟମିତ ଖାଇବା ସମୟ ଶରୀରରେ ଇନସୁଲିନ୍ କାର୍ଯ୍ୟକୁ ପ୍ରଭାବିତ କରିଥାଏ। ଏହା ଫଳରେ ଚିନି ସିଧାସଳଖ ପେଟ ଅଞ୍ଚଳରେ ଚର୍ବି ଭାବେ ସଂଗ୍ରହ ହୁଏ।
ତଦୁପରି ଆଧୁନିକ ଜୀବନ ଶୈଳୀ ମଧ୍ୟ ଏହି ସମସ୍ୟାକୁ ଆହୁରି ଗମ୍ଭୀର କରୁଛି । କାର୍ଯ୍ୟସ୍ଥଳର ଚାପ, ରାତି ଅନିଦ୍ରା ରହିବା ଦ୍ୱାରା କର୍ଟିସୋଲ ହରମୋନ ବୃଦ୍ଧି କରେ । ଯାହା ପେଟରେ ଚର୍ବି ସଂଗ୍ରହକୁ ଉତ୍ସାହିତ କରେ। ମଦ୍ୟପାନ ମଧ୍ୟ ଏଥିରେ ଗୁପ୍ତ ଭୂମିକା ନେଉଛି, କାରଣ ବୟସ ବଢ଼ିଲେ ଶରୀର ଏହାକୁ ସଠିକ ଭାବେ ପଚାଇ ପାରେ ନାହିଁ।
ତେବେ ଏହାର ସମାଧାନ କ’ଣ ?
ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ଯେ କେବଳ ଖାଦ୍ୟ କମାଇବା ନୁହେଁ, ବରଂ ସମତୋଳ ଆହାର, ପ୍ରଚୁର ପ୍ରୋଟିନ ଗ୍ରହଣ, ନିୟମିତ ବ୍ୟାୟାମ, ମନୋସ୍ତାତ୍ତ୍ୱିକ ଚାପ ନିୟନ୍ତ୍ରଣ ଏବଂ ପ୍ରତିଦିନ ୭ ରୁ ୮ ଘଣ୍ଟା ଶୋଇବା ଅତ୍ୟନ୍ତ ଆବଶ୍ୟକ।
ସେହିପରି, ୩୦ ପରେ ପେଟ ବଢ଼ିବାକୁ କେବଳ ଖାଦ୍ୟ ଦୋଷ ଭାବି ଅବହେଳା କରିଲେ ଚଳିବନି ଏହା ଏକ ସଂଯୁକ୍ତ ଜୀବନଶୈଳୀ ଓ ଶାରୀରିକ ପରିବର୍ତ୍ତନର ପରିଣାମ ବୋଲି ବୁଝିବା ଆବଶ୍ୟକ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
