Explore

Search

September 4, 2026 7:21 pm

ଅଫିସରେ ଖରାପ ହେଉଛି ଚେହେରା

ଅଫିସରେ ଖରାପ ହେଉଛି ଚେହେରା । ବୁଢା ଭଳି ଦେଖାଯାଉଛନ୍ତି କମ ବୟସର କର୍ମଚାରୀ । ଏହାକୁ ନେଇ ଚୀନର କର୍ମଚାରୀମାନେ ନେଇଛନ୍ତି ଏକ ପଦକ୍ଷେପ । ଅଫିସ୍‌ରେ ଦୀର୍ଘ ସମୟ କାମ କରିବା ଏବେ ଚୀନ୍‌ର କିଛି କର୍ମଚାରୀଙ୍କ ପାଇଁ କେବଳ କାମର ଚାପ ନୁହେଁ, ବରଂ ଚେହେରା ଓ ତ୍ୱଚାକୁ ନେଇ ଚିନ୍ତାର କାରଣ ପାଲଟିଛି। ଏହାକୁ ନେଇ ଚୀନ୍‌ର ସୋସିଆଲ ମିଡିଆରେ ‘ଅଫିସ୍ ଏଜିଂ’ ନାମରେ ଏକ ନୂଆ ଟ୍ରେଣ୍ଡ ଚର୍ଚ୍ଚାରେ ରହିଛି ।

ଏହି ଟ୍ରେଣ୍ଡରେ କିଛି କର୍ମଚାରୀ ଅଫିସ୍ ଡେସ୍କରେ ଛତା ଖୋଲି କାମ କରୁଥିବା ବେଳେ ଆଉ କିଛି ଜଣ ସନହ୍ୟାଟ ପିନ୍ଧି କିମ୍ବା ମାସ୍କରେ ନିଜ ମୁହଁକୁ ଢାଙ୍କି ରଖୁଛନ୍ତି । ଅଫିସ୍‌ର ତୀବ୍ର ଆଲୋକ ଏବଂ ଦୀର୍ଘ ସମୟ ଘର ଭିତରେ ରହିବା ତ୍ୱଚା ଉପରେ ପ୍ରଭାବ ପକାଉଛି ବୋଲି ସେମାନେ ମନେ କରୁଛନ୍ତି ।

ଆଲୋକରୁ ମୁହଁକୁ ବଞ୍ଚାଇବାକୁ ଛତା ଓ ଟୋପି

ତ୍ୱଚାକୁ ଅଫିସ୍‌ର ଆଲୋକରୁ ସୁରକ୍ଷା ଦେବା ପାଇଁ କର୍ମଚାରୀମାନେ ବିଭିନ୍ନ ଉପାୟ ଆପଣାଉଛନ୍ତି। କେହି ଡେସ୍କ ଉପରେ ଛତା ଖୋଲୁଥିବା ବେଳେ କେହି ଟୋପି ଓ ମାସ୍କ ବ୍ୟବହାର କରୁଛନ୍ତି। ସୋସିଆଲ ମିଡିଆରେ ଏଭଳି ଅନେକ ଫଟୋ ଓ ପୋଷ୍ଟ ମଧ୍ୟ ଭାଇରାଲ୍ ହେଉଛି।

କିଛି କର୍ମଚାରୀ ଅଫିସ ଯିବା ପୂର୍ବରୁ ଏବଂ ସନ୍ଧ୍ୟାରେ କାମ ସରି ଘରକୁ ଫେରିବା ପରେ ନିଜ ଚେହେରାର ଫଟୋ ଶେୟାର କରୁଛନ୍ତି। ସେମାନଙ୍କ ଦାବି ଅନୁସାରେ, ସକାଳେ ଚେହେରା ସତେଜ ଦେଖାଯାଉଥିବା ବେଳେ ଅଫିସ୍‌ରେ କିଛି ଘଣ୍ଟା କାମ କରିବା ପରେ ତ୍ୱଚା ଶୁଷ୍କ ଓ ନିର୍ଜୀବ ଲାଗୁଛି । କିଛି କର୍ମଚାରୀଙ୍କ କହିବା ଅନୁସାରେ, ଦୀର୍ଘ ସମୟ ଅଫିସ୍‌ରେ ରହିବା ପରେ କେଶ ତେଲିଆ ହେବା, ଚେହେରା ଫୁଲିଯିବା ଏବଂ ତ୍ୱଚାରେ ଥକାପଣ ଦେଖାଯିବା ଭଳି ପରିବର୍ତ୍ତନ ହେଉଛି।

ଜଣେ କର୍ମଚାରୀ କହିଛନ୍ତି ଯେ, ଚାକିରି ଆରମ୍ଭ କରିବାର ମାତ୍ର ଏକ ମାସ ମଧ୍ୟରେ ତାଙ୍କ ଚେହେରାରେ ପରିବର୍ତ୍ତନ ଦେଖାଦେଇଥିଲା । ଚେହେରା ନିର୍ଜୀବ ଦେଖାଯିବା ସହ ଆଖି ତଳେ କଳା ଦାଗ ଏବଂ ଅଧିକ ଥକାପଣ ଅନୁଭବ ହେଉଥିବା ସେ କହିଛନ୍ତି ।

କେବଳ ଅଫିସ୍‌ର ଆଲୋକ ନୁହେଁ, ସହକର୍ମୀଙ୍କ ସିଗାରେଟ୍ ଧୂଆଁକୁ ନେଇ ମଧ୍ୟ କିଛି କର୍ମଚାରୀ ଚିନ୍ତା ପ୍ରକାଶ କରିଛନ୍ତି। ଦୀର୍ଘ ସମୟ କାମ କରିବା, କାମର ଚାପ ଓ ଅଫିସ୍‌ର ପରିବେଶ ଯୋଗୁଁ ଚେହେରାରେ ଥକାପଣ ଏବଂ ତ୍ୱଚାରେ ପରିବର୍ତ୍ତନ ଦେଖାଯାଉଛି ବୋଲି ସେମାନଙ୍କ ମତ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score