Explore

Search

March 27, 2026 10:28 pm

ରାଜ୍ୟରେ ପେଟ୍ରୋଲ ଓ ଗ୍ୟାସ ମହଜୁଦ ଅଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମ ଏସିଆରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ମଧ୍ୟରେ ରାଜ୍ୟରେ ପେଟ୍ରୋଲିୟମ ଓ ରନ୍ଧନ ଗ୍ୟାସ ସହ ଅତ୍ୟାବଶ୍ୟକ ସାମଗ୍ରୀର ପର୍ଯ୍ୟାପ୍ତ ମଜୁତ ରହିଛି ବୋଲି ସରକାର ସ୍ପଷ୍ଟ କରିଛନ୍ତି । କୌଣସି ପ୍ରକାର କୃତ୍ରିମ ଅଭାବ ସୃଷ୍ଟି କରି କଳାବଜାରୀ କରାଯିବାକୁ ନେଇ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନଚରଣ ମାଝୀ ଜୋର ଦେଇଛନ୍ତି।

ଏନେଇ ଲୋକସେବା ଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନଚରଣ ମାଝୀ ରାଜ୍ୟରେ ଇନ୍ଧନ, ଏଲପିଜି ଓ ଅନ୍ୟ ଜରୁରୀ ସାମଗ୍ରୀର ଉପଲବ୍ଧତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସେ କହିଥିଲେ, ଆବଶ୍ୟକ ସାମଗ୍ରୀର ସୁଚାରୁ ବଣ୍ଟନ ନିଶ୍ଚିତ କରିବା ସହିତ ଅସାଧୁ ବ୍ୟବସାୟୀଙ୍କ ଉପରେ ରାଜ୍ୟବ୍ୟାପୀ ଚଢ଼ାଉ କରି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

ଏହାସହିତ ରବି ଋତୁ ଚାଷ ପାଇଁ ସାରର ପର୍ଯ୍ୟାପ୍ତ ମଜୁତ ରଖିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ। ଏହି ପରିସ୍ଥିତିରେ ସାଧାରଣ ଲୋକ ଯେପରି ଆତଙ୍କିତ ହେବେନି, ସେଥିପାଇଁ ସରକାରୀ ସ୍ତରରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଚାଲୁ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ସୂଚନାଅନୁଯାୟୀ, ଭାରତ ପେଟ୍ରୋଲିୟମ ଓ ଏଲଏନଜି ପାଇଁ ବହୁ ଅଂଶରେ ଗଲ୍‌ଫ ଦେଶମାନଙ୍କୁ ନିର୍ଭର କରେ। ପଶ୍ଚିମ ଏସିଆର ଚାଲୁଥିବା ସଙ୍କଟ ପରିସ୍ଥିତି ଫଳରେ ଇନ୍ଧନ ଯୋଗାଣରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଏହି ପ୍ରସଙ୍ଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂର୍ବପ୍ରସ୍ତୁତି ନେଉଛନ୍ତି।

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ବୈଠକରେ ସରକାର ନେଇଥିବା ପଦକ୍ଷେପ ଉପରେ ସବିସ୍ତୃତ ପ୍ରସ୍ତୁତି ରଖିଥିଲେ। ଇନ୍ଧନ, ରନ୍ଧନ ଗ୍ୟାସ ଓ ସାର ଯୋଗାଣ ନିର୍ବିଘ୍ନ ରଖିବା ନେଇ ବିଭିନ୍ନ ବିଭାଗଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି ପାଇଁ ମଧ୍ୟ ଆଲୋଚନା ହୋଇଥିଲା।

ଏହି ବୈଠକରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସ୍ଥିତିର ସମୀକ୍ଷା କରିଥିଲେ ଓ ଆଗାମୀ କାର୍ଯ୍ୟଯୋଜନା ନିର୍ଦ୍ଧାରଣ କରିଥିଲେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score