Explore

Search

March 26, 2026 11:54 pm

ଗଞ୍ଜାମରେ ଆରମ୍ଭ ହେଲା ଦଣ୍ଡ ଯାତ୍ରା : ଭକ୍ତିମୟ ପୁରା ପରିବେଶ

ଗଞ୍ଜାମ : ଆଜିଠାରୁ ଗଞ୍ଜାମ ଜିଲ୍ଲାରେ ପ୍ରସିଦ୍ଧ ଦଣ୍ଡ ଯାତ୍ରାର ଶୁଭାରମ୍ଭ ହୋଇଛି । ପ୍ରାତଃକାଳରୁ ମାନସିକଧାରୀ ଦଣ୍ଡୁଆମାନେ ମା’ଙ୍କ ମନ୍ଦିରରେ ପହଞ୍ଚି ନିୟମିତ ପୂଜା-ଅର୍ଚ୍ଚନା କରିଥିଲେ । ପୂଜା ପରେ ସେମାନେ ହାତରେ ପିଛମୁଠା ଓ ବାନା ଧରି ଢୋଲ ଓ ମହୁରୀର ତାଳେ ଗାଁ ପରିକ୍ରମା କରିଥିଲେ । ପରିକ୍ରମା ଶେଷରେ ମା’ କାଳୀଙ୍କୁ ମାନସିକଧାରୀଙ୍କ ଦଣ୍ଡ ସମ୍ମୁଖରେ ବିରାଜମାନ କରାଯାଇଥିଲା ।

ଏହାପରେ ଦଣ୍ଡୁଆମାନେ ମା’ଙ୍କ ସମ୍ମୁଖରେ ବିଶେଷ ପୂଜା କରି ଆରମ୍ଭ କରିଥିଲେ ପାରମ୍ପରିକ ଦଣ୍ଡନାଚ । ଏହି ନୃତ୍ୟରେ ଭକ୍ତମାନେ ନିଜ ଶରୀରକୁ କଷ୍ଟ ଦେଇ ଭକ୍ତି ଓ ଆସ୍ଥାର ପ୍ରମାଣ ଦେଇଥାନ୍ତି । ଦଣ୍ଡ ଭୋଗ ପାଇଁ ଆସିଥିବା ଦଣ୍ଡୁଆମାନେ ନିଜ ମାନସିକ ପୂରଣ ପାଇଁ ବିଭିନ୍ନ ପ୍ରକାର ଦଣ୍ଡ ଗ୍ରହଣ କରିଥାନ୍ତି ।

ଏହି ସମୟରେ ଦଣ୍ଡ ପର୍ବର ଅନେକ ଆକର୍ଷଣୀୟ ପର୍ବ ଦେଖିବାକୁ ମିଳିଥାଏ । ପ୍ରଥମେ ଧୂଳି ଦଣ୍ଡ, ପରେ ପାଣି ଦଣ୍ଡ ଓ ଶେଷରେ ଅଗ୍ନି ଦଣ୍ଡ ପରମ୍ପରାନୁସାରେ ପାଳନ କରାଯାଏ ।

ଗଞ୍ଜାମ ଜିଲ୍ଲାର ହିଞ୍ଜିଳି, କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର ଓ ଲେମ୍ବେଇ ସହ ଅନେକ ଗ୍ରାମରେ ଏହି ୨୧ ଦିନିଆ ପର୍ବ ଆରମ୍ଭ ହୋଇଛି । ଦଣ୍ଡ ପର୍ବ ଗଞ୍ଜାମର ଲୋକସଂସ୍କୃତିର ଏକ ସ୍ପଷ୍ଟ ପରିଚୟ ଭାବେ ପରିଚିତ । ଏହା ଗ୍ରାମୀଣ ସମାଜକୁ ଏକତ୍ର କରି ଭାଇଚାରାର ସନ୍ଦେଶ ଦେଉଛି ।

ବିଶେଷ କଥା ହେଉଛି, ଯୁବପିଢ଼ି ମଧ୍ୟ ଏହି ପରମ୍ପରାରେ ଆଗ୍ରହ ଦେଖାଇ ସକ୍ରିୟ ଭାବେ ଯୋଗଦେଉଛନ୍ତି । ମା’ଙ୍କ ପ୍ରତି ଅଗାଢ଼ ଆସ୍ଥା ରଖିଥିବା ଭକ୍ତମାନେ ଯେଉଁଠି ଥାଆନ୍ତୁ ନ କାହିଁକି, ଏହି ପର୍ବ ସମୟରେ ନିଜ ଗାଁକୁ ଫେରି ଆସି ଦଣ୍ଡ ପର୍ବରେ ସାମିଲ ହୋଇଥାନ୍ତି ।

ମା’ କାଳୀଙ୍କ କୃପାରେ ମନୋକାମନା ପୂରଣ ହୁଏ ବୋଲି ଭକ୍ତମାନଙ୍କ ମଧ୍ୟରେ ଦୃଢ଼ ବିଶ୍ୱାସ ରହିଛି । ଏହି ଦଣ୍ଡ ପର୍ବ ଆଜିଠାରୁ ଆରମ୍ଭ ହୋଇ ୨୧ ଦିନ ପର୍ଯ୍ୟନ୍ତ, ଅର୍ଥାତ୍ ମେରୁ ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିବ ବୋଲି ପାଟ ଭୁକୁତା ସୂଚନା ଦେଇଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score