ଆସନ୍ତା ୨୦୨୭ ଜନଗଣନାକୁ ସୁଚାରୁ ଓ ନିର୍ଭୁଲ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଜନଗଣନା ପ୍ରସ୍ତୁତି । ଏନେଇ କ୍ଷେତ୍ର ପ୍ରଶିକ୍ଷକମାନଙ୍କ ପାଇଁ ବ୍ଲକସ୍ତରରେ ବିଶେଷ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବୋଲଗଡ଼ ତହସିଲ ପ୍ରଶାସନ ଓ ଜନଗଣନା ଅଧିକାରୀଙ୍କ ନିରୀକ୍ଷଣରେ ଚାଲିଛି । ଏଥିରେ ଜନଗଣନା ସମ୍ବନ୍ଧୀୟ ଆଇନଗତ ଦିଗ, ତଥ୍ୟ ସଂଗ୍ରହ ପ୍ରଣାଳୀ, ଏବଂ ଏନୁମେରେଟର ଓ ସୁପରଭାଇଜରମାନଙ୍କୁ କିପରି ପ୍ରଶିକ୍ଷଣ ଦିଆଯିବ ସେସବୁ ବିଷୟରେ ଆଲୋଚନା ହୋଇଛି । ଏହାସହିତ ପ୍ରାୟୋଗିକ ଅଭ୍ୟାସ ମାଧ୍ୟମରେ ପ୍ରଶିକ୍ଷକମାନଙ୍କୁ ପ୍ରସ୍ତୁତ କରାଯାଉଛି।
ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ୨୦୨୬ ଏପ୍ରିଲ ୧୬ରୁ ମେ’ ୧୫ ପର୍ଯ୍ୟନ୍ତ ୩୦ ଦିନ ମଧ୍ୟରେ ଘର ତାଲିକାକରଣ ଓ ପ୍ରାଥମିକ ଜନଗଣନା କାମ ସମ୍ପନ୍ନ ହେବ। ଏହା ପୂର୍ବରୁ ୨୦୨୬ ଏପ୍ରିଲ ୧ରୁ ୧୫ ପର୍ଯ୍ୟନ୍ତ ନାଗରିକମାନଙ୍କ ପାଇଁ ‘ଆତ୍ମଗଣନା’ ବିକଳ୍ପ ମଧ୍ୟ ଉପଲବ୍ଧ ରହିବ।
ଦ୍ୱିତୀୟ ପର୍ଯ୍ୟାୟରେ ୨୦୨୭ ଫେବୃଆରୀ-ମାର୍ଚ୍ଚ ମାସରେ ସମ୍ପୂର୍ଣ୍ଣ ଜନସଂଖ୍ୟା ତଥ୍ୟ ସଂଗ୍ରହ ହେବ। ଏହା ସହିତ ଦେଶବ୍ୟାପୀ ଭାବେ ଗୃହ ତାଲିକାକରଣ କାର୍ଯ୍ୟ ୨୦୨୬ ଏପ୍ରିଲ ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ।
ଏହି ବିଶାଳ କାର୍ଯ୍ୟକୁ ସଫଳ କରିବା ପାଇଁ ସାରା ରାଜ୍ୟରେ ପ୍ରାୟ ୧ ଲକ୍ଷ ଗଣନାକାରୀଙ୍କୁ ନିଯୁକ୍ତ କରାଯିବ। ପ୍ରତ୍ୟେକ ଗଣନାକାରୀଙ୍କୁ ଅନୁମାନିତ ୨୦୦ ପରିବାରର ଦାୟିତ୍ୱ ଦିଆଯିବ ଓ ଜଣେ ପର୍ଯ୍ୟବେକ୍ଷକ ୬ ଜଣ ଗଣନାକାରୀଙ୍କ କାର୍ଯ୍ୟ ନିରୀକ୍ଷଣ କରିବେ।
ଗଣନାକାରୀମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ପ୍ରତିଜଣଙ୍କୁ ୨୫ ହଜାର ଟଙ୍କା ଆର୍ଥିକ ପ୍ରତିଫଳ ଦିଆଯିବ ବୋଲି ଜଣାପଡ଼ିଛି। ଏହି ପଦକ୍ଷେପ ଦ୍ୱାରା ଜନଗଣନା ପ୍ରକ୍ରିୟାକୁ ଅଧିକ ସୁସଂଗଠିତ ଓ ପାରଦର୍ଶୀ କରିବାକୁ ଲକ୍ଷ୍ୟ ରହିଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
