Explore

Search

February 27, 2026 1:46 am

ପ୍ରୟାଗରାଜରେ ଶ୍ରୀ ଜଗନ୍ନାଥ ମନ୍ଦିରର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପ୍ରୟାଗରାଜର ପବିତ୍ର ତ୍ରିବେଣୀ ସଙ୍ଗମ କୂଳରେ ନିର୍ମିତ ନୂତନ ଶ୍ରୀ ଜଗନ୍ନାଥ ମନ୍ଦିରର ଭବ୍ୟ ଉଦଘାଟନ ଅବସର ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି ଯେ, ଏହା କେବଳ ଗୋଟିଏ ମନ୍ଦିରର ଶୁଭାରମ୍ଭ ନୁହେଁ, ବରଂ ଆସ୍ଥା ଓ ସଂସ୍କୃତିର ଏକ ନୂତନ ଜାଗରଣ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମହାପ୍ରଭୁ ଜଗନ୍ନାଥଙ୍କ ଆରାଧନା ସମସ୍ତଙ୍କୁ ଏକତ୍ର କରେ । ପ୍ରୟାଗରାଜର ପବିତ୍ର ଧାମରେ ଏହି ମନ୍ଦିର ନିର୍ମାଣ ଭକ୍ତମାନଙ୍କ ପାଇଁ ଆଧ୍ୟାତ୍ମିକ ଶକ୍ତିର ନୂତନ କେନ୍ଦ୍ର ହେବ। ଏହା ଓଡ଼ିଆ ପରମ୍ପରା, କଳା ଓ ସ୍ଥାପତ୍ୟକୁ ଦେଶବ୍ୟାପୀ ପରିଚିତ କରିବାରେ ସାହାଯ୍ୟ କରିବ ବୋଲି ସେ ଉଲ୍ଲେଖ କରିଛନ୍ତି।

ସେ ଆହୁରି କହିଥିଲେ ଯେ, ଜଗନ୍ନାଥ ସଂସ୍କୃତି ମାନବତା, ସମତା ଓ ସେବାର ବାର୍ତ୍ତା ଦେଇଥାଏ। ଏହି ମନ୍ଦିର ମାଧ୍ୟମରେ ସେହି ମୂଲ୍ୟବୋଧ ଆହୁରି ମଜବୁତ ହେବ ଓ ଦେଶର ବିଭିନ୍ନ ରାଜ୍ୟର ଲୋକମାନଙ୍କ ମଧ୍ୟରେ ସାମ୍ପ୍ରଦାୟିକ ସମ୍ମିଳନ ବୃଦ୍ଧି ପାଇବ।

ଉଦଘାଟନ ଅବସରରେ ବହୁ ସଂଖ୍ୟକ ଭକ୍ତ ଓ ଅତିଥିମାନେ ଉପସ୍ଥିତ ଥିଲେ । ପବିତ୍ର ସଙ୍ଗମ କୂଳରେ ଜଗନ୍ନାଥ ମହାପ୍ରଭୁଙ୍କ ନାମଧ୍ୱନିରେ ପରିବେଶ ମଙ୍ଗଳମୟ ହୋଇଉଠିଥିଲା।

ମନ୍ଦିର ନିର୍ମାଣ ପଛରେ ଥିବା ପ୍ରୟାସକୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ସ୍ୱାମୀ ଚିଦାନନ୍ଦ ସରସ୍ବତୀଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ପ୍ରକୃତି ସୁରକ୍ଷା, ଗଙ୍ଗା ସ୍ୱଚ୍ଛତା ଓ ମାନବ ସେବା କ୍ଷେତ୍ରରେ ସ୍ୱାମୀଜୀଙ୍କ ଅବଦାନ ଅପୂର୍ବ ବୋଲି ସେ ମତ ପ୍ରକାଶ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରାଚୀନକାଳରୁ ପ୍ରୟାଗରାଜ ଋଷିମୁନିଙ୍କ ତପୋଭୂମି ଭାବେ ପରିଚିତ। ଏଠାରେ ଶ୍ରୀଜଗନ୍ନାଥ ମନ୍ଦିର ସ୍ଥାପନ ଭାରତର ସାଂସ୍କୃତିକ ଏକତାକୁ ଆହୁରି ମଜବୁତ କରିବ। ଏହା ଭକ୍ତମାନଙ୍କ ପାଇଁ ଆଧ୍ୟାତ୍ମିକ ପ୍ରେରଣାର କେନ୍ଦ୍ର ହେବା ସହିତ ମାନବତା ଓ ଶାନ୍ତିର ବାର୍ତ୍ତା ପ୍ରସାର କରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଆଡଭୋକେଟ ଜେନେରାଲ ସହିତ ଶତାଧିକ ସାଧୁ-ସନ୍ତ ଓ ଭକ୍ତମାନେ ଉପସ୍ଥିତ ଥିଲେ। ଭକ୍ତିମୟ ପରିବେଶରେ ଗଙ୍ଗା ଆଳତୀ ଓ ମନ୍ଦିର ଉଦଘାଟନ କାର୍ଯ୍ୟକ୍ରମ ସଫଳ ଭାବେ ସମ୍ପନ୍ନ ହୋଇଥିଲା।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score