Explore

Search

February 20, 2026 2:24 am

ଗଞ୍ଜାମରେ ଗ୍ରୀଷ୍ମପ୍ରବାହ ପାଇଁ ହାଇଆଲର୍ଟ : ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି ଜୋରଦାର

ଛତ୍ରପୁର : ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ଗ୍ରୀଷ୍ମ ପ୍ରଭାବ ଲହରି ଅଧିକ ସମ୍ଭାବନା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ସତର୍କବାଣୀ ପରେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ କାର୍ଯ୍ୟରେ ଲାଗି ପଡ଼ିଛି । ଏହି ପରିପ୍ରେକ୍ଷୀରେ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଗ୍ରୀଷ୍ମପ୍ରବାହ ପରିଚାଳନା ପୂର୍ବ ପ୍ରସ୍ତୁତି ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତିଭାସନ ଅଧ୍ୟକ୍ଷତା କରି କହିଥିଲେ ଯେ, ଗ୍ରୀଷ୍ମପ୍ରବାହକୁ କେବଳ ପ୍ରଶାସନିକ ଔପଚାରିକତା ଭାବେ ନୁହେଁ, ମାନବିକ ଦୃଷ୍ଟିକୋଣରୁ ସମ୍ବେଦନଶୀଳତା ସହ ପରିଚାଳନା କରିବା ଆବଶ୍ୟକ। ଜନସାଧାରଣଙ୍କ ଜୀବନ ସୁରକ୍ଷା ସର୍ବୋପରି ଥିବାକୁ ସେ ଉଲ୍ଲେଖ କରିଥିଲେ।

ଗ୍ରୀଷ୍ମକାଳୀନ ପାନୀୟଜଳ ସଙ୍କଟକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ମିଳିଛି । ଖରାପ ନଳକୂପ ମରାମତି, ଆବଶ୍ୟକତାନୁସାରେ ସମସ୍ତ ବ୍ଲକକୁ ପାଣି ବଣ୍ଟନ, ମୋବାଇଲ ଭ୍ୟାନ ଯୋଗାଣ କରାଯାଉ । ଏହାସହ ଜଳସଙ୍କଟ ଅଞ୍ଚଳ ଗୁଡ଼ିକ ଅର୍ଥାତ ଭଞ୍ଜନଗର ଓ ସୁନାପୁରରେ ବିଶେଷ ବ୍ୟବସ୍ଥା କରିବାକୁ କହାଯାଇଛି ।

ସେହିପରି ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ପ୍ରୟୋଜନୀୟ ସ୍ଥାନରେ ଜଳଛତ୍ର ଖୋଲିବା, ପଶୁପକ୍ଷୀଙ୍କ ପାଇଁ ପାଣି ବ୍ୟବସ୍ଥା, ଅସହାୟଙ୍କ ପାଇଁ ଦିବସ ଆଶ୍ରୟ କେନ୍ଦ୍ର ଚାଲୁ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଜିଲ୍ଲା ଓ ଉପଖଣ୍ଡ ଚିକିତ୍ସାଳୟ ସହ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଂଶୁଘାତ ପାଇଁ ସ୍ୱତନ୍ତ୍ର କକ୍ଷ ଖୋଲିବା ଓ ପର୍ଯ୍ୟାପ୍ତ ଔଷଧ ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ମିଳିଛି । ଓଆରଏସ ପ୍ୟାକେଟ ଓ ପାନୀୟଜଳର ବ୍ୟାପକ ବଣ୍ଟନ ସୁନିଶ୍ଚିତ କରାଯିବ।

ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକରେ ବିଦ୍ୟୁତ ସୁବିଧା, ଶିକ୍ଷାର୍ଥୀମାନଙ୍କୁ ନିୟମିତ ପାଣି ପିବାକୁ ପରାମର୍ଶ, ଜଙ୍ଗଲ ଅଗ୍ନିକାଣ୍ଡକୁ ୨୪ ଘଣ୍ଟା ମଧ୍ୟରେ ନିୟନ୍ତ୍ରଣ, ବନ୍ୟପ୍ରାଣୀଙ୍କ ପାଇଁ ପାଣି ବ୍ୟବସ୍ଥା ଓ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ସକ୍ରିୟ ରଖିବା ଉପରେ ମଧ୍ୟ ଜୋର ଦିଆଯାଇଛି।

ଗତ ବର୍ଷ ଜିଲ୍ଲାରେ ଗୋଟିଏ ଅଂଶୁଘାତ ଜନିତ ମୃତ୍ୟୁ ଘଟିଥିବା ବେଳେ ଦୁଇଟି ଅଭିଯୋଗ ତଦନ୍ତ ହୋଇଥିଲା। ଏବେ ଏମିତି ଘଟଣା ପୁନରାବୃତ୍ତି ନହେବା ପାଇଁ ସଚେତନତା ଓ ତ୍ୱରିତ ପଦକ୍ଷେପ ଜାରି ରଖିବାକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତି ଭାସନ ଆହ୍ୱାନ କରିଛନ୍ତି।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଦେବଦତ୍ତ ପଣ୍ଡା, ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅବିନାଶ କୁମାର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ଛତ୍ରପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଶୁଭାଶିଷ ବରାଳ, ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉମାଶଙ୍କର ବେହେରା ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score