Explore

Search

January 15, 2026 9:41 pm

ବଦଳିଲା ଗୋପାଳପୁର ବେଳାଭୂମି ମହୋତ୍ସବ ତାରିଖ : ସମୁଦ୍ର ଆଳତି ସହ ଉଦଘାଟନ କରିବେ ରାଜ୍ୟପାଳ

ବ୍ରହ୍ମପୁର : ଘୁଞ୍ଚିଲା ଗୋପାଳପୁର ବେଳାଭୂମି ମହୋତ୍ସବର ତାରିଖ । ଚଳିତ ମାସ ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବର ତାରିଖ ବଦଳିଛି । ଆସନ୍ତା ଜାନୁୟାରୀ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ । ଲଗାତାର ୪ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ରହିଛି । ଏହାସହ ମହୋତ୍ସବକୁ ଅଧିକ ଆକର୍ଷଣ କରିବା ପାଇଁ ପଲ୍ଲୀଶ୍ରୀ ମେଳା, ସ୍ୱାଦିଷ୍ଟ ଭୋଜନର ଷ୍ଟଲ, ଘରତିଆରି ସାମଗ୍ରୀ, ସ୍ଥାନୀୟ ରୁଚିକର ଖାଦ୍ୟପଦାର୍ଥ ସହ ବିଭିନ୍ନ ସାହିତ୍ୟିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏହି ମହୋତ୍ସବ ମହକି ଉଠିବ । ସେହିପରି ଲୋକନୃତ୍ୟ, ଲୋକସଙ୍ଗୀତ, ଜନଜାତୀୟ କଳା–ସଂସ୍କୃତି, ହସ୍ତଶିଳ୍ପ ପ୍ରଦର୍ଶନୀ ମଧ୍ୟ ଦେଖିବାକୁ ମିଳିବ । ଏହି ଅବସରରେ ସମୁଦ୍ର ଆଳତି ପ୍ରମୁଖ ଆକର୍ଷଣ ସାଜିବ ।

ଯାହା ଗୋପାଳପୁରର ପାରମ୍ପରିକ ଐତିହ୍ୟ ଓ ସାଂସ୍କୃତିକ ପରିଚୟକୁ ନୂତନ ଆକାରରେ ପ୍ରକାଶ କରିବ । ପୂର୍ବରୁ ଗୋପାଳପୁର ବେଳାଭୂମି ମହୋତ୍ସବ ଜାନୁଆରୀ ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ କିଛି କାରଣରୁ ମହୋତ୍ସବର ତାରିଖରେ ପରିବର୍ତ୍ତନ କରାଯାଇଛି । ନୂଆ ନିଷ୍ପତ୍ତି ଅନୁସାରେ ଏହି ଗୋପାଳପୁର ବେଳାଭୂମି ମହୋତ୍ସବ ଜାନୁଆରୀ ୨୭ ତାରିଖରେ ହେବ ବୋଲି ସୂଚନା ମିଳିଛି ।

ଗୋପାଳପୁର ବେଳାଭୂମି ମହୋତ୍ସବକୁ ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୭ ତାରିଖରେ ରାଜ୍ୟପାଳଙ୍କ ଦ୍ବାରା ଗୋପାଳପୁର ବେଳାଭୂମି ମହୋତ୍ସବର ଶୁଭାରମ୍ଭ ହେବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଥିବା କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା। ଏହାସହ ବୈଠକରେ ପଲ୍ଲୀଶ୍ରୀ ମେଳା, ସାଂସ୍କୃତିକ କାର୍ଯ୍ୟକ୍ରମ, ଶକ୍ତିପୀଠରୁ ମଶାଲ ଶୋଭାଯାତ୍ରା, ବେଳାଭୂମି କ୍ରୀଡ଼ା ଆୟୋଜିତ ହେବ ବୋଲି ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତି ଭାସନ କହିଛନ୍ତି ।

ଜାନୁଆରୀ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦ୍ବାରା ଗୋପାଳପୁର ବେଳାଭୂମି ମହୋତ୍ସବ ଉଦଯାପିତ ହେବ । ବୈଠକରେ ମନ୍ତ୍ରୀଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କୀର୍ତ୍ତି ଭାସନ, କମିଶନର ଶ୍ରୀଯୁକ୍ତ ଅରବିନ୍ଦ ରାଜସିର୍କେ, ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅବିନାଶ କୁମାର, ବ୍ରହ୍ମପୁର ଏସପି ଡ଼. ଶରବଣା ବିବେକ ଏମ ପ୍ରମୁଖ ଉପସ୍ଥିତ ଥିଲେ ।

ସେପଟେ ଗୋପାଳପୁର ବେଳାଭୂମି ମହୋତ୍ସବ ତାରିଖ ସ୍ଥାନାନ୍ତରିତ ହେବାନେଇ ସ୍ଥାନୀୟ ଲୋକେ ସାମାନ୍ୟ ନିରାଶ ହୋଇଛନ୍ତି । ଦୂରଦୂରାନ୍ତରୁ ଆସିବାକୁ ଥିବା ବ୍ୟବସାୟୀ ମଧ୍ୟ ଏବେ ସାମାନ୍ୟ ଅସୁବିଧାରେ ପଡିଛନ୍ତି । ମହୋତ୍ସବରେ ନିଜର ପସରା ମେଲାଇ ବସିବାକୁ ସମସ୍ତ ପ୍ରସ୍ତୁତି କରିସାରିଥିଲେ । ତେବେ ଆସନ୍ତା ୨୭ରୁ ପୁଣି ଦୂରଦୂରାନ୍ତରୁ ଆସିବାକୁ ଥିବା ବ୍ୟବସାୟୀ ଏହି ମେଳାରେ ନିଜର ବ୍ୟବସାୟ କରିବେ ବୋଲି ସଜବାଜ ହେଲେଣି ।

ମହୋତ୍ସବ ଅବସରକୁ ନଜରରେ ରଖି ଗୋପାଳପୁର ଅଞ୍ଚଳକୁ ଆହୁରି ସୁନ୍ଦର ଓ ସବୁଜ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇଛି । ଗୋପାଳପୁର ଛକରୁ ବେଳାଭୂମି ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ୱରେ ବ୍ୟାପକ ଭାବେ ବୃକ୍ଷରୋପଣ କରାଯାଇ ସବୁଜିମା ବୃଦ୍ଧି କରାଯିବ । ଏହା ସହିତ ପର୍ଯ୍ୟଟକଙ୍କ ଆକର୍ଷଣ ବଢ଼ାଇବା ଓ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ବେଳାଭୂମିରେ ବ୍ୟାପକ ସଫେଇ କାର୍ଯ୍ୟ ମଧ୍ୟ କରାଯିବ । ଏ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତି ଭାସନ ସୂଚନା ଦେଇଥିବା ବେଳେ, ମହୋତ୍ସବ ସମୟରେ ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟରେ କୌଣସି ଅଭାବ ରହିବ ନାହିଁ ବୋଲି କହିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score