Explore

Search

April 15, 2026 11:04 am

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ଖାତାକୁ ଯିବ ଟଙ୍କା

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ସାମିଲ ମହିଳା ହିତାଧିକାରୀଙ୍କ ପାଇଁ ଆସିଛି ଖୁସି ଖବର । ଆସନ୍ତା ୧୮ ତାରିଖ ମଧ୍ୟରେ ସୁଭଦ୍ରା ସହାୟତା ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା ହେବ । ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ସ୍ପଷ୍ଟ ଘୋଷଣା କରିଛନ୍ତି ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି ଯେ, ଏଥର ମୋଟ ୪ ଲକ୍ଷ ୫୭ ହଜାର ୬୮୧ ଜଣ ମହିଳା ହିତାଧିକାରୀ ସୁଭଦ୍ରା ଟଙ୍କା ପାଇବେ । ଏଥିରେ ନୂଆ ଭାବେ ୧ ଲକ୍ଷ ୭୮ ହଜାର ୩୯୮ ଜଣ ମହିଳାଙ୍କୁ ଯୋଜନାରେ ସାମିଲ କରାଯାଇଛି । ଯେଉଁମାନେ ପ୍ରଥମ କିସ୍ତିର ସହାୟତା ରାଶି ପାଇବେ ।

ସେହିପରି ପୂର୍ବରୁ ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣ ହିତାଧିକାରୀଙ୍କୁ ପୁନଃ ସାମିଲ କରାଯାଇଛି । ସେମାନେ ଏକାଥରେ ଦୁଇଟି କିସ୍ତିର ଟଙ୍କା ପାଇବେ । ଏହାସହ ଅଭିଯୋଗ ଶୁଣାଣି ପରେ ୨୪ ହଜାର ୧୮ ଜଣ ମହିଳାଙ୍କୁ ମଧ୍ୟ ସୁଭଦ୍ରା ଯୋଜନାରେ ସାମିଲ କରାଯାଇଛି । ଏହି ପର୍ଯ୍ୟାୟରେ ମୋଟ ୨୫୦ କୋଟି ଟଙ୍କାର ସହାୟତା ରାଶି ବ୍ୟାଙ୍କ ଖାତାକୁ ଯିବ ।

ଉଲ୍ଲେଖନୀୟ ଯେ, ଗତ ନଭେମ୍ବର ମାସରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଦୀର୍ଘ ସମୟ ଧରି ବନ୍ଦ ଥିବା ସୁଭଦ୍ରା ପୋର୍ଟାଲକୁ ପୁନଃ ଖୋଲାଯାଇଥିଲା । ୨୦୨୫ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୨୧ ବର୍ଷ ବୟସ ପୂରଣ କରିଥିବା ମହିଳାମାନେ ଏହି ଯୋଜନାରେ ଆବେଦନ କରିପାରିବେ ବୋଲି ସୂଚନା ଦିଆଯାଇଥିଲା ।

ଏହାସହ ୬୦ ବର୍ଷ ବୟସ ପୂରଣ କରିଥିବା ସୁଭଦ୍ରା ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ପେନସନର ସୁବିଧା ମିଳିବ । ସୁଭଦ୍ରା ଯୋଜନା ସମ୍ପର୍କିତ ପ୍ରଥମ ରାଜ୍ୟସ୍ତରୀୟ ପରିଚାଳନା ଓ ତଦାରଖ କମିଟି ବୈଠକ ପରେ ମହିଳା ଏବଂ ଶିଶୁ ବିକାଶ ବିଭାଗ ସୂଚନା ଦେଇଛି ଯେ, ୬୦ ବର୍ଷ ପରେ ହିତାଧିକାରୀମାନେ ମଧୁବାବୁ ପେନସନ ଯୋଜନା (MBPY) କିମ୍ବା ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP) ଅନ୍ତର୍ଗତ ପେନସନ ପାଇଁ ଆବେଦନ କରିପାରିବେ ।

ତେବେ ପେନସନ ମଞ୍ଜୁରୀ ସମ୍ପୃକ୍ତ ଯୋଜନାର ନିୟମାବଳୀ ଅନୁଯାୟୀ ସମସ୍ତ ଯୋଗ୍ୟତା ମାନଦଣ୍ଡ ପୂରଣ କରିବା ଅନିବାର୍ୟ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score