Explore

Search

January 13, 2026 10:56 pm

ଚିଲିକା ପାଇଁ ସରକାରଙ୍କ ନୂଆ ପଦକ୍ଷେପ : ବଦଳିବ ଉନ୍ନୟନ ଓ ପର୍ଯ୍ୟଟନର ରୂପରେଖ

ଭୁବନେଶ୍ୱର : ଏସିଆର ସବୁଠୁ ବଡ଼ ଲୁଣି ହ୍ରଦ ଚିଲିକା । ଏହାର ପରିବେଶୀୟ ସନ୍ତୁଳନ ରକ୍ଷା ପାଇଁ ରାଜ୍ୟ ସରକାର ନେଇଛନ୍ତି ବଡ ପଦକ୍ଷେପ । ବଦଳିବ ଉନ୍ନୟନ ଓ ପର୍ଯ୍ୟଟନର ରୂପରେଖ । ଚିଲିକା ହ୍ରଦର ସୁରକ୍ଷା, ପୁନରୁଦ୍ଧାର ଓ ସ୍ଥାୟୀ ଉନ୍ନୟନ ପାଇଁ ରାଜ୍ୟ ସରକାର ଏକ ସମଗ୍ର ଓ ସମନ୍ୱିତ ଯୋଜନା ପ୍ରସ୍ତୁତ କରିଛନ୍ତି । ଏନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏହି ଯୋଜନାର ରୂପରେଖ ଉପରେ ଉପସ୍ଥାପନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କହିଛନ୍ତି ଯେ, ଚିଲିକା କେବଳ ଏକ ଲୁଣି ହ୍ରଦ ନୁହେଁ, ବରଂ ଏହା ରାଜ୍ୟର ଜୈବ ବିବିଧତାର ଏକ ଅମୂଲ୍ୟ ସମ୍ପଦ । ଚିଲିକାର ପରିବେଶୀୟ ସନ୍ତୁଳନ ରକ୍ଷା ପାଇଁ ମୁହାଣ ସହ ହ୍ରଦକୁ ସଂଯୋଗ କରୁଥିବା ବିଭିନ୍ନ ପାଣି ଚ୍ୟାନେଲର ଖନନ କାର୍ଯ୍ୟ କରାଯିବ। ୨୦୦୦ ମସିହା ପରଠାରୁ ଚିଲିକାର ମୂହାଣ ଆଉ ଖୋଳାଯାଇନାହିଁ । ଫଳରେ ଏହା କ୍ରମଶଃ ପୋତି ହୋଇପଡ଼ୁଛି । ତେଣୁ ମୁଖ୍ୟ ଚ୍ୟାନେଲ ସହିତ ବାଲୁଗାଁ, ମଗରମୁଖ ଓ ପାଲୁର ଚ୍ୟାନେଲରୁ ପୋତି ହୋଇଥିବା ମାଟି କାଢ଼ିବା ପାଇଁ ଯୋଜନା ରହିଛି।

ଏହାଦ୍ୱାରା ଚିଲିକାରେ ଲବଣାଂଶର ସମତୁଳନ ରହିବା ସହ ମତ୍ସ୍ୟ ସମ୍ପଦରେ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ହେବ। ମାଛ ଧରାଳୀଙ୍କ ଜୀବିକାକୁ ସୁଦୃଢ଼ କରିବା ପାଇଁ ଫିସ୍ ଲ୍ୟାଣ୍ଡିଂ ସେଣ୍ଟର ସ୍ଥାପନ ସହ ଦୀର୍ଘସ୍ଥାୟୀ ଭିତ୍ତିଭୂମି ଉନ୍ନୟନ ଓ ଗବେଷଣା କାର୍ଯ୍ୟକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ଏହି ସମଗ୍ର ଯୋଜନାକୁ ପାଞ୍ଚ ବର୍ଷ ମଧ୍ୟରେ ପୂରା କରିବା ଲକ୍ଷ୍ୟ ଧରାଯାଇଛି।

ଚିଲିକାର ପୁନରୁଦ୍ଧାର ସହ ପର୍ଯ୍ୟଟନ କ୍ଷେତ୍ରକୁ ନୂଆ ମାନ ଦେବା ପାଇଁ ଏକ ସ୍ୱତନ୍ତ୍ର ପର୍ଯ୍ୟଟନ ଯୋଜନା ମଧ୍ୟ ପ୍ରସ୍ତୁତ କରାଯିବ। ପକ୍ଷୀ ଉତ୍ସବ, ସି-ଫୁଡ ଉତ୍ସବ, ବୋଟ ଫେଷ୍ଟିଭାଲ, ଲାଇଟହାଉସ ଓ ଇଣ୍ଟରପ୍ରିଟେସନ ସେଣ୍ଟର ସ୍ଥାପନ ମାଧ୍ୟମରେ ଚିଲିକାକୁ ଏକ ଆକର୍ଷଣୀୟ ଓ ପରିବେଶ-ମୈତ୍ରୀ ପର୍ଯ୍ୟଟନ କେନ୍ଦ୍ର ଭାବେ ଉନ୍ନତ କରାଯିବ।

ଦୀର୍ଘ ବର୍ଷ ଧରି ମୁହାଣ ଖୋଳାଯାଇନଥିବାରୁ ଚିଲିକାରେ ପୋତି ହେବାର ସମସ୍ୟା ବଢ଼ିଥିଲା । ଜୈବ ସମ୍ପଦ କ୍ଷୟ ପାଉଥିଲା । ବର୍ତ୍ତମାନ ନିଆଯାଇଥିବା ଏହି ନୂଆ ପଦକ୍ଷେପ ଚିଲିକାର ସୁରକ୍ଷା ସହ ସ୍ଥାୟୀ ଉନ୍ନୟନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଷ୍ଟୋନ ହେବ ବୋଲି ଆଶା କରାଯାଉଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score