Explore

Search

January 14, 2026 2:23 am

ଗଞ୍ଜାମରେ ହେବ ଅଟୋ ପାର୍ଟସ ଶିଳ୍ପ : ୧୪ ହଜାର ଯୁବକଯୁବତୀଙ୍କୁ ମିଳିବ ଚାକିରି

ଭୁବନେଶ୍ୱର : ଓଡ଼ିଶାର ଶିଳ୍ପ ବିକାଶ ଯାତ୍ରାରେ ଆଉ ଏକ ବଡ଼ ପଦକ୍ଷେପ । ରାଜ୍ୟରେ ୫୫ ହଜାର ୭୮୩ କୋଟି ଟଙ୍କା ବ୍ୟୟରେ ୭ଟି ନୂଆ ଶିଳ୍ପ ପ୍ରକଳ୍ପକୁ ସରକାରୀ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ୪୩ତମ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି (HLCA) ବୈଠକରେ ଏହି ପ୍ରକଳ୍ପ ଗୁଡ଼ିକୁ ଅନୁମୋଦନ ମିଳିଛି ।

ଏହି ୭ଟି ପ୍ରକଳ୍ପ ମାଧ୍ୟମରେ ରାଜ୍ୟର ପ୍ରାୟ ୧୪ ହଜାର ୫୦୭ ଯୁବକ-ଯୁବତୀଙ୍କ ପାଇଁ ସିଧାସଳଖ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି ।

ଢେଙ୍କାନାଳରେ ମେଗା ଷ୍ଟିଲ୍ ପ୍ଲାଣ୍ଟ :

ଢେଙ୍କାନାଳ ଜିଲ୍ଲାରେ JSW ଗ୍ରୁପ୍ ପକ୍ଷରୁ ୩୫ ହଜାର କୋଟି ଟଙ୍କା ନିବେଶରେ ଏକ ବୃହତ୍ ଇସ୍ପାତ କାରଖାନା ପ୍ରତିଷ୍ଠା ହେବ । ଏହି ପ୍ରକଳ୍ପରେ ପ୍ରାୟ ୮ ହଜାର ଯୁବକ ଯୁବତୀଙ୍କୁ ମିଳିବ ଚାକିରି ବୋଲି ସରକାରଙ୍କ ପକ୍ଷରୁ ପ୍ରକାଶ ।

ଗଞ୍ଜାମରେ ବିରଳ ମୃତ୍ତିକା ଓ ଅଟୋ ପାର୍ଟସ ଶିଳ୍ପ :

ଗଞ୍ଜାମ ଜିଲ୍ଲାରେ ଜିନ୍ଦଲ ପଲି ଫିଲ୍ମସ ପକ୍ଷରୁ ୧୨ ହଜାର କୋଟି ଟଙ୍କା ନିବେଶରେ ବିରଳ ମୃତ୍ତିକା ଆଧାରିତ ଏକ ଶିଳ୍ପ ସ୍ଥାପନ ହେବ । ଏଥିରେ ୪ ହଜାର ଲୋକଙ୍କୁ କାମ କରିବାକୁ ସୁଯୋଗ ମିଳିବ । ଏହାସହିତ ଗଞ୍ଜାମରେ ଟାୟାର, କାର୍ବନ ବ୍ଲାକ ଓ ଜିଙ୍କ ଅକ୍ସାଇଡ ଉତ୍ପାଦନ ପାଇଁ ୧,୬୯୭ କୋଟି ଟଙ୍କାର ଅଟୋ ପାର୍ଟସ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ମିଳିଛି । ଏହି ପ୍ରକଳ୍ପରେ ପ୍ରାୟ ୬୮୫ ଜଣଙ୍କୁ ନିଯୁକ୍ତି ମିଳିବ ।

ଖୋର୍ଦ୍ଧାରେ ସେମିକଣ୍ଡକ୍ଟର ପ୍ରକଳ୍ପ :

ଖୋର୍ଦ୍ଧା ଜିଲ୍ଲାରେ ସାନକୋଡ ସେମି ପ୍ରାଇଭେଟ ଲିମିଟେଡ ପକ୍ଷରୁ ୧,୬୫୦ କୋଟି ଟଙ୍କା ନିବେଶରେ ଆଉଟସୋର୍ସଡ ସେମିକଣ୍ଡକ୍ଟର ଆସେମ୍ବଲି ଏବଂ ଟେଷ୍ଟିଂ (OSAT) ୟୁନିଟ ସ୍ଥାପନ ହେବ । ଏହା ଖୋର୍ଦ୍ଧାର ଦ୍ୱିତୀୟ ସେମିକଣ୍ଡକ୍ଟର ପ୍ରକଳ୍ପ ହେବ ଏବଂ ୫୭୦ ଜଣଙ୍କୁ ଚାକିରି ଦେବ ।

ଢେଙ୍କାନାଳରେ ଆଇନକ୍ସ ଏୟାର ପ୍ରଡକ୍ଟସ ପକ୍ଷରୁ ୧,୩୦୦ କୋଟି ଟଙ୍କା ବ୍ୟୟରେ ଏକ ଏୟାର ସେପାରେସନ ୟୁନିଟ ଏବଂ GMR ପକ୍ଷରୁ ୨,୧୩୬ କୋଟି ଟଙ୍କାରେ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ସ୍ଥାପିତ ହେବ । କେନ୍ଦୁଝର ଜିଲ୍ଲାରେ ୨ ହଜାର କୋଟି ଟଙ୍କା ନିବେଶରେ ଏକ ଫେରୋ ଆଲଏଜ କାରଖାନା ପ୍ରତିଷ୍ଠା ହେବ ।

ଆତ୍ମନିର୍ଭର ଓଡ଼ିଶା :

ରାଜ୍ୟକୁ ପୁଞ୍ଜିନିବେଶର ପ୍ରମୁଖ କେନ୍ଦ୍ର କରିବା ଲକ୍ଷ୍ୟରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଏହି ପ୍ରକଳ୍ପ ଗୁଡ଼ିକ ଓଡ଼ିଶାକୁ ଶିଳ୍ପ କ୍ଷେତ୍ରରେ ଆତ୍ମନିର୍ଭର କରିବା ସହ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟକୁ ସାର୍ଥକ କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କହିଛନ୍ତି । ମଞ୍ଜୁରୀ ପାଇଥିବା ପ୍ରକଳ୍ପ ଗୁଡ଼ିକୁ ତ୍ୱରିତ ଗତିରେ କାର୍ଯ୍ୟକର କରିବାକୁ ସମ୍ବନ୍ଧିତ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score