Explore

Search

January 14, 2026 4:24 am

ହାଡ଼ଭଙ୍ଗା ଜାଡ଼ରେ ଥରୁଛି ଓଡ଼ିଶା; କନ୍ଧମାଳରେ ତୁଷାରପାତ

ଫୁଲବାଣୀ: ଖସୁଛି ତାପମାତ୍ରା,ବଢ଼ୁଛି ଶୀତ । ହାଡଭଙ୍ଗା ଶୀତରେ ଥରହର ପୁରା ଓଡିଶା । ଆଭ୍ୟନ୍ତରୀଣରୁ ନେଇ ଉପକୂଳ, ଉତ୍ତରରୁ ଦକ୍ଷିଣ ଓଡ଼ିଶା । ସବୁଠି ଜାରି ରହିଛି ଶୀତର ପ୍ରକୋପ । ରାଉରକେଲା ଏବଂ ଝାରସୁଗୁଡ଼ାରେ ପାରଦ ୬ ଡିଗ୍ରୀ ଛୁଇଁ ଥିବାବେଳେ ଝାରସୁଗୁଡ଼ାରେ ଆଜି ସର୍ବନିମ୍ନ ରାତି ତାପମାତ୍ରା ୬.୮ ଡିଗ୍ରୀ ରହିଛି । ସେହିପରି ରାଉରକେଲାରେ ୬.୬ ଡିଗ୍ରୀ ରେକର୍ଡକୁ ଖସିଛି ତାପମାତ୍ରା ।

ଆଉ ଏହାରି ଭିତରେ କନ୍ଧମାଳ ଜିଲ୍ଲାରେ ଆରମ୍ଭ ହୋଇଛି ତୁଷାରପାତ । ହାଡ଼ଭଙ୍ଗା ଜାଡ଼ରେ କମ୍ପୁଛି କନ୍ଧମାଳ । ଏଠାରେ ପାରଦ ଖସିବା ସହ ଶୀତର ପ୍ରକୋପରେ ଅସ୍ତବ୍ୟସ୍ତ ହୋଇପଡିଛି ସମଗ୍ର ଜିଲ୍ଲା । ବେଲଘରରୁ ନେଇ ଦାରିଙ୍ଗବାଡ଼ି, ଜି.ଉଦୟଗିରି ପର୍ଯ୍ୟନ୍ତ ସବୁଠି ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି ଲାଗି ରହୁଛି ।

ସଦରମହକୁମା ଫୁଲବାଣୀ ନିକଟସ୍ଥ ସାର୍ତ୍ତାଗୁଡ଼ାରେ ଚଳିତବର୍ଷ ଶୀତରେ ପ୍ରଥମ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି । ଆଜି ଜି.ଉଦୟଗିରିର ସର୍ବନିମ୍ନ ରାତି ତାପମାତ୍ରା ୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ୫.୨ ଡିଗ୍ରୀ ଏବଂ ଦାରିଙ୍ଗବାଡ଼ିରେ ୭ ଡିଗ୍ରୀ ରହିଛି ।

ସେପଟେ ମୟୂରଭଞ୍ଜରେ ବି ଶୀତର ରାଜୁତି ବଢି ଚାଲିଛି । ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳ ଏବଂ ପାଦଦେଶରେ ଥିବା ଯଶୀପୁର, ଠାକୁରମୁଣ୍ଡା, କରଞ୍ଜିଆ, ରରୁଆଁ ଓ ଶୁକୃଳି ବ୍ଲକ ଅଞ୍ଚଳରେ ପ୍ରବଳ ଘନ କୁହୁଡି ସାଙ୍ଗକୁ ଶୀତ ଲହରୀ ଲାଗି ରହିଛି ।

ସକାଳ ୬ଟା ସୁଦ୍ଧା ଶିମିଳିପାଳ ଅଭୟାରଣ୍ୟର ଉପର ବାରହାକାମୁଡାରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ରହିଛି । ସେହିଭଳି ଚହଲାରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ, ବରେହିପାଣିରେ ୬ ଡିଗ୍ରୀ, ଗୁରୁଗୁଡ଼ିଆରେ ୭ ଡିଗ୍ରୀ ସାତକୋଶିଆରେ ୧୨ ଡିଗ୍ରୀ ରେକର୍ଡ ଛୁଇଁଛି ।

ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ୱରରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୧.୮ ଡିଗ୍ରୀ ରେକର୍ଡ କରାଯାଇଛି । କଟକର ସର୍ବନିମ୍ନ ତାପମାତ୍ରା ୧୧.୬ ଡିଗ୍ରୀ ରହିଛି । ଆଗାମୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡ଼ି ଏବଂ ୩ ଦିନ ପର୍ଯ୍ୟନ୍ତ ଶୀତ ଲହରୀ ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ତେବେ ରାଜ୍ୟରେ ପାଗ ଶୁଖିଲା ରହିଥିବା ବେଳେ ଆଗାମୀ ୨୪ ଘଣ୍ଟାରେ ଘନ କୁହୁଡ଼ି ନେଇ ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, କଳାହାଣ୍ଡି, ଝାରସୁଗୁଡ଼ା ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି । ସେହିଭଳି ଶୀତ ଲହରୀ ନେଇ ୧୩ଟି ଜିଲ୍ଲା ସୁନ୍ଦରଗଡ଼, ଅନୁଗୁଳ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, ନବରଙ୍ଗପୁର, ଢେଙ୍କାନାଳ, କଳାହାଣ୍ଡି, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାକୁ ୟେଲୋ ଆଲର୍ଟ ରହିଛି ।

ସେହିପରି ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, କଳାହାଣ୍ଡି ଓ ଝାରସୁଗୁଡ଼ା ଜିଲ୍ଲାକୁ ଘନ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ରହିଛି । ୧୨ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳ ଜିଲ୍ଲାରେ ଶୀତ ଲହରୀ ନେଇ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଦେଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁସାରେ, ଆଗାମୀ ୬ରୁ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ରାତି ତାପମାତ୍ରାରେ ବଡ଼ ପରିବର୍ତ୍ତନ ଆସିବ ନାହିଁ । ପାଗ ମୁଖ୍ୟତଃ ଶୁଖିଲା ରହିବ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score