ବ୍ରହ୍ମପୁର: ରୋଗର ଯନ୍ତ୍ରଣାକୁ ସେ ଅତି ନିକଟରୁ ଦେଖିଛନ୍ତି । ବିଶେଷ କରି କ୍ୟାନ୍ସର ପରି ଦୂରାରୋଗ୍ୟ ବ୍ୟାଧିକୁ । ରୋଗ ସହ ଲଢି ସେ ଅନେକ ରୋଗୀଙ୍କୁ ରୋଗମୁକ୍ତ କରିଛନ୍ତି । ପଚାଶ ବର୍ଷରୁ ଅଧିକ ସମୟ ଧରି ସେ ଓଡ଼ିଶାର ମହିଳାମାନଙ୍କୁ ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଅନବଦ୍ୟ ଯୋଗଦାନ ଦେଇଛନ୍ତି । ୩୬ ବର୍ଷର ଚାକିରି ଓ ଅବସର ପରେ ବୃତ୍ତିଗତ ଜୀବନକାଳରେ ସେ ହଜାର ହଜାର ମହିଳାଙ୍କ ଚିକିତ୍ସା କରିଛନ୍ତି । ଅର୍ଥ ଲାଳସା ନରଖି ରୋଗୀଙ୍କ ଚିକିତ୍ସା ଜାରି ରଖିବା ତାଙ୍କର ମୂଳ ଲକ୍ଷ୍ୟ ଥିଲା । ଆଉ ଏହି କ୍ରମରେ ବୟସର ଅପରାହ୍ନରେ ମଧ୍ୟ କର୍କଟ ରୋଗୀଙ୍କ ଚିକିତ୍ସା କରିବା ଜାରି ରଖିଛନ୍ତି । ଏପରିକି ସେମାନଙ୍କ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ କୁ ଦାନ କରିବେ ୩ କୋଟି ୪୦ ଲକ୍ଷ ଟଙ୍କା ।
ଜଣେ ଡାକ୍ତର ଭାବେ ସେ ଅନୁଭବ କରିଛନ୍ତି, ଅର୍ଥାଭାବ ରୋଗୀକୁ କେତେ ଅସହାୟ କରିଦିଏ । ଜୀବନକାଳ ମଧ୍ୟରେ ଅନେକ ରୋଗୀଙ୍କ ଯନ୍ତ୍ରଣାକୁ ଆଖି ଆଗରେ ଦେଖିଛନ୍ତି । ଅଙ୍ଗେ ଅନୁଭବ କରିଛନ୍ତି, ବ୍ୟଥିତ ହୋଇଛନ୍ତି । ସେଥିପାଇଁ ଜୀବନର ଶେଷ ସମୟରେ ସଞ୍ଚିତ ପୁଞ୍ଜିକୁ ସେଇ ଅସହାୟ ରୋଗୀଙ୍କ ପାଇଁ ସମର୍ପି ଦେବାର ନିଷ୍ପତ୍ତି ନେଇଛନ୍ତି ଶତାୟୁ ମହିଳା ତଥା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ପ୍ରଥମ ଛାତ୍ରୀ ଡାକ୍ତର ଲକ୍ଷ୍ମୀ ବାଈ । ଡିସେମ୍ବର ୫ ତାରିଖରେ ତାଙ୍କର ୧୦୦ ତମ ଜନ୍ମଦିନ ଅବସରରେ ସେ ରଖିଥିବା ୩ କୋଟି ୪୦ ଲକ୍ଷ ଟଙ୍କା ଭୁବନେଶ୍ୱର ଏମ୍ସକୁ ଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତାଙ୍କର ଏହି ଅର୍ଥରେ ମହିଳା କର୍କଟ ରୋଗୀଙ୍କ ନିମନ୍ତେ ଏକ ଚିକିତ୍ସା ଓ ଯତ୍ନ କେନ୍ଦ୍ର ଖୋଲିବାର ସ୍ବପ୍ନ ରଖିଛନ୍ତି ।
ସୁନାମଧନ୍ୟା ଡାକ୍ତର ଲକ୍ଷ୍ମୀ ବାଈ :
ପ୍ରଫେସର ଡାକ୍ତର ଲକ୍ଷ୍ମୀ ବାଈ । ଦିନ କେଇଟା ପରେ ପାଳିବେ ୧୦୦ ତମ ଜନ୍ମଦିନ । ସ୍ୱାମୀଙ୍କ ବିୟୋଗ ପରେ ଲକ୍ଷ୍ମୀ ବାଈ ଏକାକୀ ବ୍ରହ୍ମପୁର ସହରର ଭାବାନଗର ସ୍ଥିତ ଘରେ ରହୁଛନ୍ତି । ଡାକ୍ତର ଲକ୍ଷ୍ମୀ ବାଈଙ୍କର କୌଣସି ସନ୍ତାନ ସନ୍ତତି ନାହାଁନ୍ତି । ନିଜ ପୁତୁରାଙ୍କୁ ପୁଅ କରିଥିଲେ ଡାକ୍ତର ଲକ୍ଷ୍ମୀ ବାଈ । ସେ ଏବେ ଆମେରିକାରେ ରହୁଛନ୍ତି ।
ବ୍ରହ୍ମପୁର ସିଟି ହାଇସ୍କୁଲରେ ସ୍କୁଲ ଶିକ୍ଷା ଶେଷ ପରେ ସେ କାକିନାଡାରେ ଇଣ୍ଟର ମିଡିଏଟ କରିଥିଲେ । ପରେ କଟକ ଏସସିବିରେ ଏମବିବିଏସ କରି ୧୯୫୦ ରେ ପାସ କରିଥିଲେ । ୧୯୫୮ରେ ମାଡ୍ରାସ ମେଡିକାଲ କଲେଜରେ ଡିଜିଓ ଆଣ୍ଡ୍ ଏମ୍ଡି ଇନ୍ ‘ଓ ଏଣ୍ଡ ଜି’ କରିରିଥିଲା । ୧୯୫୦ରେ ସୁନ୍ଦରଗଡ଼ ଜିଲ୍ଲା ହସପିଟାଲରୁ ଚାକିରି ଜୀବନ ଆରମ୍ଭ କରିଥିଲେ । ଡାକ୍ତରୀରେ ଉଚ୍ଚ ଶିକ୍ଷା ପାଇଁ ସେ ଆମେରିକା ମଧ୍ୟ ଯାଇଥିଲେ । ଶେଷରେ ୧୯୮୬ରେ ଏମକେସିଜିରେ ଅବସର ନେଇଥିଲେ । ଜୀବନବ୍ୟାପୀ ଜଣେ ପ୍ରତିଷ୍ଠିତ ଡାକ୍ତର ଭାବେ ନିଷ୍ଠାର ସହ ସେବା ଯୋଗାଇ ଆସିଛନ୍ତି ।
ଆଧ୍ୟାତ୍ମିକବାଦ ଉପରେ ଗଭୀର ବିଶ୍ୱାସ ରଖନ୍ତି ଲକ୍ଷ୍ମୀବାଈ :
୧୦୦ ବର୍ଷରେ ପଦାର୍ପଣ କରିବାକୁ ଯାଉଥିଲେ ବି ସେ ନିଜକୁ ଦୁର୍ବଳ ଭାବନ୍ତିନି । ସକାଳ ୫ଟାରୁ ତାଙ୍କର ଦିନଚର୍ଯ୍ୟା ଆରମ୍ଭ ହୋଇଥାଏ । ଜଣେ ନାରୀ ଭାବେ ସେ ମହିଳାଙ୍କ ପ୍ରତି ଖୁବ ସମ୍ବେଦନଶୀଳ । ଡାକ୍ତରୀ ପାଠ ପଢି ବି ଆଧ୍ୟାତ୍ମିକବାଦ ଉପରେ ତାଙ୍କର ଗଭୀର ବିଶ୍ୱାସ । ରାମାୟଣ, ମହାଭାରତ ଆଦି ପୁରାଣ ମଧ୍ୟ ନିୟମିତ ପଢନ୍ତି ।
ନିଜର ୧୦୦ ତମ ଜନ୍ମଦିନକୁ ଏଥର ନିଆରା ଢଙ୍ଗରେ ପାଳନ କରିବାକୁ ଯାଉଛନ୍ତି ଡାକ୍ତର ଲକ୍ଷ୍ମୀବାଈ । ଏହି ଦିନ ଜୀବନବ୍ୟାପୀ ସଞ୍ଚିତ ତିନି କୋଟି ୪୦ ଲକ୍ଷ ଟଙ୍କା ଦାନ କରିବେ ଏମ୍ସ ଭୁବନେଶ୍ୱରକୁ । ସେହି ଟଙ୍କା ମହିଳାଙ୍କ କ୍ୟାନ୍ସର ଚିକିତ୍ସା ପାଇଁ ଉପଯୋଗ ହେବ ବୋଲି ଇଚ୍ଛା ରଖିଛନ୍ତି । ଟଙ୍କା ଦାନ ପାଇଁ ହସପିଟାଲ୍ ସହ ଆଲୋଚନା କରିବା ପରେ କାଗଜପତ୍ର କାମ ମଧ୍ୟ ଶେଷ ହୋଇସାରିଛି । ତାଙ୍କର ଏହି ଘୋଷଣା ପରେ ସାରା ରାଜ୍ୟରୁ ଛୁଟୁଛି ପ୍ରଶଂସାର ସୁଅ । ଏମ୍ସକୁ ଟଙ୍କା ଦାନ କରୁଥିବାରୁ ସେ ଅତ୍ୟନ୍ତ ଖୁସି ।
ଗତ ଶହେ ବର୍ଷର ଜୀବନକାଳ ମଧ୍ୟରେ ଅନେକ ରୋଗୀଙ୍କୁ ସେ ନିଜର ଚିକିତ୍ସା ପଦ୍ଧତି ମାଧ୍ୟମରେ ଆରୋଗ୍ୟ ପ୍ରଦାନ କରିଛନ୍ତି। ଅନେକ ନିରୀହ ଓ ଗରିବ ବ୍ୟକ୍ତିବିଶେଷଙ୍କୁ ସହାୟତା କରିଛନ୍ତି।
ଇତିମଧ୍ୟରେ ରାଜ୍ୟ ତଥା ଜାତୀୟ ସ୍ତରରେ ଅନେକ ସ୍ଥାନରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଡା ଲକ୍ଷ୍ମୀ ବାଇ ଭାରତଜ୍ୟୋତି ଆଓ୍ବାର୍ଡ, ଇଣ୍ଟରନ୍ୟାସ୍ନାଲ ଫ୍ରେଣ୍ଡସିପ ସୋସାଇଟି ଆଓ୍ବାର୍ଡ ଏବଂ ବେଷ୍ଟ ସିଟିଜେନ ଅଫ ଇଣ୍ଡିଆ ଆୱାର୍ଡ ପାଇଛନ୍ତି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
