Explore

Search

June 8, 2026 8:15 pm

ପୁଣି ମହଙ୍ଗା ହେଲା ରନ୍ଧନ ଗ୍ୟାସ, ବଢ଼ିଲା ସିଲିଣ୍ଡର ଦର : ଚିନ୍ତାରେ ଉପଭୋକ୍ତା

ଭୁବନେଶ୍ୱର : ପୁଣିଥରେ ଘରୋଇ ଉପଭୋକ୍ତାଙ୍କୁ ଲାଗିଛି ମହଙ୍ଗା ମାଡ଼। ତିନି ମାସ ମଧ୍ୟରେ ଦ୍ୱିତୀୟଥର ପାଇଁ ବୃଦ୍ଧି ପାଇଛି ଘରୋଇ ଏଲପିଜି ସିଲିଣ୍ଡର ଦର। ନୂଆ ଦର ଅନୁସାରେ ସିଲିଣ୍ଡର ପିଛା ୨୯ ଟଙ୍କା ବୃଦ୍ଧି ଘଟିଥିବାବେଳେ ଭୁବନେଶ୍ୱରରେ ୧୪.୨ କିଲୋଗ୍ରାମ ବିଶିଷ୍ଟ ଘରୋଇ ସିଲିଣ୍ଡରର ମୂଲ୍ୟ ୯୬୮ ଟଙ୍କାରେ ପହଞ୍ଚିଛି। ନୂତନ ଦର ତୁରନ୍ତ କାର୍ଯ୍ୟକାରୀ ହୋଇଛି।

ଗତ ତିନି ମାସ ମଧ୍ୟରେ ଘରୋଇ ଗ୍ୟାସ ଦର ମୋଟ ୮୯ ଟଙ୍କା ବଢ଼ିଥିବାରୁ ସାଧାରଣ ପରିବାରର ମାସିକ ବଜେଟ ଉପରେ ଅତିରିକ୍ତ ବୋଝ ପଡ଼ିଛି। ରୋଷେଇ ଘରର ଖର୍ଚ୍ଚ ବଢ଼ିବା ସହ ଅନେକ ପରିବାର ଖାଦ୍ୟ ତାଲିକାରେ ମଧ୍ୟ କଟକଣା ଲଗାଇବାକୁ ବାଧ୍ୟ ହେଉଛନ୍ତି।

ପୂର୍ବରୁ ପ୍ରତିଦିନ ବିଭିନ୍ନ ପ୍ରକାର ତରକାରୀ ପ୍ରସ୍ତୁତ ହେଉଥିଲେ ମଧ୍ୟ ବର୍ତ୍ତମାନ ବଢ଼ୁଥିବା ଗ୍ୟାସ ଖର୍ଚ୍ଚ ଯୋଗୁଁ ରୋଷେଇରେ ସଂଯମ ଅବଲମ୍ବନ କରିବାକୁ ପଡ଼ୁଛି। ଅନ୍ୟପକ୍ଷରେ ବଣାଇ, ରାଉରକେଲା, ବଲାଙ୍ଗିର ଭଳି ଅଞ୍ଚଳରେ ରାସ୍ତାକଡ଼ ଜଳଖିଆ ଦୋକାନ ଓ ଛୋଟ ହୋଟେଲ ବ୍ୟବସାୟୀମାନେ ମଧ୍ୟ ଗ୍ୟାସ ଦରବୃଦ୍ଧିର ପ୍ରଭାବ ଅନୁଭବ କରୁଛନ୍ତି। ବଢ଼ିଥିବା ଖର୍ଚ୍ଚ ଯୋଗୁଁ ସେମାନଙ୍କ ଲାଭ ହ୍ରାସ ପାଉଥିବା ଅଭିଯୋଗ ହେଉଛି।

ବିଶେଷଜ୍ଞମାନଙ୍କ ମତରେ, ଅନ୍ତର୍ଜାତୀୟ ବଜାରରେ ଏଲପିଜି ଦର ବୃଦ୍ଧି ଏବଂ ମଧ୍ୟପ୍ରାଚ୍ୟର ଅସ୍ଥିର ପରିସ୍ଥିତି ଏହାର ପ୍ରମୁଖ କାରଣ । ବିଶେଷକରି ହର୍ମୁଜ ଜଳପଥକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ଅନିଶ୍ଚିତତା ଓ ବୈଶ୍ୱିକ ଇନ୍ଧନ ଯୋଗାଣ ଉପରେ ପ୍ରଭାବ ପଡ଼ିବା ଯୋଗୁଁ ଗ୍ୟାସ ଦର ବୃଦ୍ଧି ପାଉଛି। ଏହାର ପ୍ରଭାବ ଭାରତୀୟ ବଜାରରେ ମଧ୍ୟ ଦେଖିବାକୁ ମିଳୁଛି।

ସୂଚନାଯୋଗ୍ୟ ଯେ, ଅନ୍ତର୍ଜାତୀୟ ବଜାରରେ ୧୪.୨ କିଲୋଗ୍ରାମ ବିଶିଷ୍ଟ ଏଲପିଜି ସିଲିଣ୍ଡରର ଯୋଗାଣ ମୂଲ୍ୟ ୧୬୦୦ ଟଙ୍କା ଅତିକ୍ରମ କରିଥିବାବେଳେ, କେନ୍ଦ୍ର ସରକାର ତୈଳ ବିପଣନ କମ୍ପାନୀଗୁଡ଼ିକୁ ସହାୟତା ଯୋଗାଇ ଉପଭୋକ୍ତାଙ୍କୁ ତୁଳନାମୂଳକ କମ୍ ଦରରେ ଗ୍ୟାସ ଯୋଗାଇ ଆସୁଛନ୍ତି। ତେବେ ବିଶ୍ୱ ବଜାରର ସ୍ଥିତିରେ ସୁଧାର ନ ଆସିଲେ ଆଗାମୀ ଦିନରେ ଆହୁରି ଦରବୃଦ୍ଧିର ସମ୍ଭାବନା ରହିଥିବା ଆଶଙ୍କା କରାଯାଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score