Explore

Search

July 26, 2026 4:22 am

ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ। ସେ ନିଜ ଇସ୍ତଫାପତ୍ର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କୁ ପ୍ରଦାନ କରିଥିବା ସୂଚନା ସୋସିଆଲ୍ ମିଡିଆ ପୋଷ୍ଟ ମାଧ୍ୟମରେ ଜଣାଇଛନ୍ତି। ପୋଷ୍ଟରେ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ଯେ, ସେ ଗତ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷା ସୁଧାର ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିଆସିଛନ୍ତି । ତାଙ୍କ ବିଶ୍ୱାସ ଅନୁଯାୟୀ, ଏକ ସଶକ୍ତ, ସମାବେଶୀ ଓ ଦୂରଦର୍ଶୀ ଶିକ୍ଷା ବ୍ୟବସ୍ଥା ହିଁ ଏକ ଶକ୍ତିଶାଳୀ ରାଷ୍ଟ୍ରର ମୂଳ ଆଧାର।

ସେ କହିଛନ୍ତି ଯେ, ଦେଶର ଯୁବପିଢ଼ିଙ୍କ ସ୍ୱପ୍ନ ଓ ନ୍ୟାୟସଙ୍ଗତ ଆଶା- ଆକାଂକ୍ଷାକୁ ସେ ସବୁବେଳେ ସମ୍ମାନ ଦେଇ ଆସିଛନ୍ତି। ଯୁବବର୍ଗଙ୍କ ସ୍ୱପ୍ନ ପୂରଣ କରିବା ସମସ୍ତଙ୍କ ନୈତିକ ଦାୟିତ୍ୱ ବୋଲି ସେ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶ ସେବା କରିବାର ସୁଯୋଗ ମିଳିଥିବାରୁ ସେ କୃତଜ୍ଞତା ପ୍ରକାଶ କରିଛନ୍ତି।

ନିଟ୍-ୟୁଜି (NEET-UG) ପରୀକ୍ଷାକୁ ନେଇ ଉଠିଥିବା ବିବାଦ ପ୍ରସଙ୍ଗରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଅନିୟମିତତା ସମ୍ପର୍କରେ ସୂଚନା ମିଳିବା ପରେ କେନ୍ଦ୍ର ସରକାର ତୁରନ୍ତ ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଥିଲେ ଏବଂ ପରୀକ୍ଷା ବାତିଲ କରି ପୁନଃ ପରୀକ୍ଷାର ବ୍ୟବସ୍ଥା କରାଯାଇଥିଲା ।

ତେବେ ଏହାକୁ ନେଇ ଧର୍ମେନ୍ଦ୍ର ପ୍ରଧାନ ଦାବି କରିଛନ୍ତି ଯେ, ପ୍ରଥମ ଦିନରୁ ସେ ଏହି ପ୍ରସଙ୍ଗର ଦାୟିତ୍ୱ ନେଇଥିଲେ ଏବଂ କୌଣସି ପରିସ୍ଥିତିରେ ପଛକୁ ହଟିନଥିଲେ। ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ କୌଣସି ପରୀକ୍ଷା ମାଫିଆଙ୍କ ହାତରେ ଛାଡ଼ି ନ ଦେବା ତାଙ୍କର ସଙ୍କଳ୍ପ ଥିଲା ବୋଲି ସେ କହିଛନ୍ତି।

ନିଟ୍-ୟୁଜି ପରୀକ୍ଷା ଫଳ ପ୍ରକାଶ ପରେ ଅନେକ ମେଧାବୀ ଓ ଆର୍ଥିକ ଭାବେ ପଛୁଆ ପରିବାରର ଛାତ୍ରଛାତ୍ରୀ ସଫଳତା ହାସଲ କରିଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତର ଯୁବଶକ୍ତି ହିଁ ଦେଶର ପ୍ରକୃତ ଶକ୍ତି ଏବଂ ଏକ ବିକଶିତ ଭାରତ ଗଠନର ପ୍ରମୁଖ ନିର୍ମାତା।

ଯୁବପିଢ଼ିଙ୍କୁ ଭ୍ରମ ଓ କୁଚକ୍ରରୁ ଦୂରେ ରଖିବା ନିଜର ସଙ୍କଳ୍ପ ବୋଲି ଉଲ୍ଲେଖ କରି ସେ ଦେଶର ଏକତା ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷା ଉପରେ ଜୋର ଦେଇଛନ୍ତି । ଛାତ୍ରଛାତ୍ରୀମାନେ ପାଠପଢ଼ା ଓ କ୍ୟାରିୟର ଗଠନ ଉପରେ ଧ୍ୟାନ ଦିଅନ୍ତୁ ବୋଲି ସେ ଆହ୍ୱାନ କରିଛନ୍ତି।

ଶେଷରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି, ମନ୍ତ୍ରୀପରିଷଦର ସହଯୋଗୀ, ମନ୍ତ୍ରଣାଳୟର ଅଧିକାରୀ ଓ କର୍ମଚାରୀମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ରାଷ୍ଟ୍ରସେବା ନିଜ ଜୀବନର ସର୍ବୋଚ୍ଚ ପ୍ରାଥମିକତା ବୋଲି କହିବା ସହ ଭବିଷ୍ୟତରେ ମଧ୍ୟ ଦେଶ, ଓଡ଼ିଶା ଓ ଯୁବବର୍ଗଙ୍କ ଆକାଂକ୍ଷା ପୂରଣ ପାଇଁ ନିଜକୁ ସମର୍ପିତ ରଖିବେ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score