ଭୁବନେଶ୍ୱର : ଭାରତର ରାଇଡ୍-ହେଲିଂ ଓ ଟ୍ୟାକ୍ସି ସେବା ବଜାରରେ ଏବେ ଦେଖିବାକୁ ମିଳିବ ନୂଆ ପ୍ରତିଯୋଗିତା। ଭିଏତ୍ନାମର ପ୍ରମୁଖ ଇଭି ନିର୍ମାତା କମ୍ପାନୀ VinFast ଅଧୀନସ୍ଥ ମୋବିଲିଟି ସେବା ପ୍ରଦାନକାରୀ ସଂସ୍ଥା Green SM ଭାରତରେ ତାହାର ସମ୍ପୂର୍ଣ୍ଣ ଇଲେକ୍ଟ୍ରିକ୍ ଟ୍ୟାକ୍ସି ସେବା Green SM Limoର ଶୁଭାରମ୍ଭ କରିଛି। ଭିଏତ୍ନାମ, ଲାଓସ୍, ଇଣ୍ଡୋନେସିଆ ଓ ଫିଲିପାଇନ୍ସ ପରେ ଭାରତ କମ୍ପାନୀର ପଞ୍ଚମ ଆନ୍ତର୍ଜାତୀୟ ବଜାର ଭାବେ ଯୋଡ଼ା ହୋଇଛି।
ବିଶ୍ୱ ପରିବେଶ ଦିବସ ଅବସରରେ ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂ ସିରସା ଓ ହରିୟାଣାର ଶିଳ୍ପ ମନ୍ତ୍ରୀ ରାଓ ନରବୀର ସିଂ ଏହି ସେବାର ଔପଚାରିକ ଉଦ୍ଘାଟନ କରିଥିଲେ।
ଅତ୍ୟାଧୁନିକ ସୁବିଧା ସହ ଚାଲିବ ଇଭି ଟ୍ୟାକ୍ସି
ପ୍ରାରମ୍ଭିକ ପର୍ଯ୍ୟାୟରେ ଦିଲ୍ଲୀ-ଏନ୍ସିଆର୍ରେ ୧,୦୦୦ଟି ଇଲେକ୍ଟ୍ରିକ୍ ଗାଡ଼ି ସହିତ ସେବା ଆରମ୍ଭ ହୋଇଥିବା ବେଳେ ଆସନ୍ତା ଏକ ବର୍ଷ ମଧ୍ୟରେ ଏହାକୁ ୧୦,୦୦୦ ଗାଡ଼ିକୁ ବିସ୍ତାର କରିବାକୁ କମ୍ପାନୀ ଯୋଜନା କରିଛି। ଏଥିପାଇଁ ବିଶେଷ ଭାବେ ପ୍ରସ୍ତୁତ VinFast Limo Green 7-ସିଟର ଇଲେକ୍ଟ୍ରିକ୍ SUV ବ୍ୟବହାର କରାଯାଉଛି।
ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଗାଡ଼ିରେ ପିଇବା ପାଣି, ୱେଟ୍ ଟିସୁ ଓ ଅନ୍ୟାନ୍ୟ ଜରୁରୀ ସୁବିଧା ଉପଲବ୍ଧ ରହିବ। ସେହିପରି ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ପାଇଁ ଇନସାଇଡ୍ ଓ ଆଉଟସାଇଡ୍ କ୍ୟାମେରା, AI ଆଧାରିତ ମନିଟରିଂ ସିଷ୍ଟମ୍ ଏବଂ ଏମର୍ଜେନ୍ସି ଆଲର୍ଟ ବଟନ୍ ସହିତ ‘Secure-to-Safe’ ଟେକ୍ନୋଲୋଜି ଯୋଡ଼ାଯାଇଛି।
ଓଲା-ଉବର ପାଇଁ ବଢ଼ିଲା ଚ୍ୟାଲେଞ୍ଜ
ବର୍ତ୍ତମାନ ଦେଶରେ ଇନ୍ଧନ ମୂଲ୍ୟ ବୃଦ୍ଧି ଓ ରାଇଡ୍-ହେଲିଂ କ୍ଷେତ୍ରରେ ବଢ଼ୁଥିବା ଚାପ ମଧ୍ୟରେ Green SMର ପ୍ରବେଶକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି। ପେଟ୍ରୋଲ ଚାଳିତ ଗାଡ଼ିର କିଲୋମିଟର ପିଛା ଖର୍ଚ୍ଚ ୭ରୁ ୮ ଟଙ୍କା ହୋଇଥିବା ବେଳେ ଇଲେକ୍ଟ୍ରିକ୍ ଗାଡ଼ିରେ ଏହା ମାତ୍ର ୧ରୁ ୧.୫ ଟଙ୍କା ମଧ୍ୟରେ ସୀମିତ ରହୁଛି। ଏହା ଦ୍ୱାରା ପରିଚାଳନା ଖର୍ଚ୍ଚ କମିବା ସହ ଗ୍ରାହକମାନେ ମଧ୍ୟ ସୁଲଭ ଭଡ଼ାରେ ସେବା ପାଇପାରିବେ।
ବିଶେଷଜ୍ଞଙ୍କ ମତରେ, ପରିବେଶ ଅନୁକୂଳ ଓ କମ୍ ଖର୍ଚ୍ଚର ଏହି ଇଭି ମଡେଲ୍ ଭାରତୀୟ ବଜାରରେ ଓଲା ଓ ଉବର ଭଳି ପ୍ରତିଷ୍ଠିତ କମ୍ପାନୀଙ୍କ ପାଇଁ ଏକ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ। Green SMର ଏହି ପଦକ୍ଷେପ ଭାରତର ଇଲେକ୍ଟ୍ରିକ୍ ମୋବିଲିଟି କ୍ଷେତ୍ରକୁ ଆହୁରି ଗତି ଦେବ ବୋଲି ଆଶା କରାଯାଉଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
