Explore

Search

August 15, 2026 3:24 pm

ଆଜିଠୁ ବଢିବ ରାତିର ତାପମାତ୍ରା, କମିବ ଶୀତର ପ୍ରଭାବ

ଭୁବନେଶ୍ୱର : ରାଜ୍ୟରେ ଏବେ ଶୀତର ପ୍ରଭାବ ଧୀରେଧୀରେ କମିବାକୁ ଆରମ୍ଭ କରିଛି । ଆଜିଠୁ ରାତି ସମୟରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଥିବା ବେଳେ, ଆଗାମୀ କିଛି ଦିନ ମଧ୍ୟରେ ଥଣ୍ଡାର ତୀବ୍ରତା କମିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ଚାରି ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିଅସ୍ ପର୍ଯ୍ୟନ୍ତ ବଢ଼ିପାରେ ।

ଏହା ସହିତ ଆଜିଠୁ ୧୨ ତାରିଖ ମଧ୍ୟରେ ଉପକୂଳ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବାର ସମ୍ଭାବନା ରହିଛି । ସକାଳ ବେଳେ ଦୃଶ୍ୟମାନତା କମିପାରେ ବୋଲି ପାଣିପାଗ ବିଭାଗ ସଚେତନ କରିଛି ।

ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀ ସେଲସିଅସ ପାଖାପାଖି ରହିବାର ଆକଳନ କରାଯାଇଛି । ତେବେ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ପାରଦ ୧୦ ଡିଗ୍ରୀ ସେଲସିଅସ କିମ୍ବା ଏହାଠାରୁ ସାମାନ୍ୟ ଉପରେ ରହିପାରେ ବୋଲି ଜଣାପଡ଼ିଛି ।

ପାଣିପାଗ ବିଭାଗର ସାମ୍ପ୍ରତିକ ପୂର୍ବାନୁମାନ ଅନୁସାରେ ରାଜ୍ୟର ଉପକୂଳବର୍ତ୍ତୀ ଓ ପଶ୍ଚିମ ଅଞ୍ଚଳରେ ରାତି ତାପମାତ୍ରା ଧୀରେଧୀରେ ବୃଦ୍ଧି ପାଇବାକୁ ଯାଉଛି । ଆଜି ପୁରୀ ସହରରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୧୮ ଡିଗ୍ରୀ ସେଲସିଅସ ରହିବାର ଆକଳନ କରାଯାଇଛି । ସେହିପରି ଖୋର୍ଦ୍ଧା, ଛତ୍ରପୁର, ଗୋପାଳପୁର ଓ ଭଦ୍ରକ ଭଳି ସ୍ଥାନରେ ରାତିରେ ପାରଦ ୧୬ ଡିଗ୍ରୀ ପାଖାପାଖି ରହିପାରେ।

ପାଣିପାଗ ବିଶେଷଜ୍ଞଙ୍କ ସୂଚନାଅନୁସାରେ, ଉପକୂଳ ଓଡ଼ିଶା ସହ ପଶ୍ଚିମ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ରାତି ତାପମାତ୍ରା ୧୫ ଡିଗ୍ରୀ ସେଲସିଅସ କିମ୍ବା ଏହାଠାରୁ ଅଧିକ ରହିବ। ଆଜି ରାତିରୁ ତାପମାତ୍ରା ଆହୁରି ସାମାନ୍ୟ ବଢ଼ିବାର ସମ୍ଭାବନା ରହିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score