Explore

Search

May 29, 2026 10:59 pm

୩୦ ତାରିଖରୁ ଆରମ୍ଭ ହେବ ଏସଆଇଆର୍ : ବିଏଲଓମାନଙ୍କୁ ସହଯୋଗ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଆହ୍ୱାନ

ଗଞ୍ଜାମ : ଭୋଟର ତାଲିକାକୁ ଅଧିକ ସଠିକ, ସ୍ୱଚ୍ଛ ଓ ନିର୍ଭୁଲ କରିବା ଉଦ୍ଦେଶ୍ୟରେ ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ “ସ୍ୱତନ୍ତ୍ର ସଘନ ସଂଶୋଧନ” ବା ଏସଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଏହାକୁ ନେଇ ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତିଭାସନ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ଜାରି କରି ସମସ୍ତଙ୍କୁ ବୁଥସ୍ତରୀୟ ଅଧିକାରୀ (ବିଏଲଓ) ମାନଙ୍କୁ ପୂର୍ଣ୍ଣ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ।

ଜିଲ୍ଲାପାଳ କହିଛନ୍ତି ଯେ, ଏସଆଇଆରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ବ୍ୟକ୍ତିଙ୍କୁ ଭୋଟର ତାଲିକାରେ ସମ୍ମିଳିତ କରିବା ଏବଂ ଅଯୋଗ୍ୟ କିମ୍ବା ଅପ୍ରାସଙ୍ଗିକ ନାମଗୁଡ଼ିକୁ ତାଲିକାରୁ ବାଦ ଦେବା । ଏହି ପ୍ରକ୍ରିୟା ଚଳିତ ମାସ ୩୦ ତାରିଖରୁ ଆରମ୍ଭ ହୋଇ ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ପ୍ରାୟ ଏକ ମାସ ଧରି ଚାଲିବ । ଏହି ସମୟରେ ବିଏଲଓମାନେ ଘରେ ଘରେ ଯାଇ ଭୋଟରମାନଙ୍କୁ ଦୁଇଟି ଲେଖାଏଁ ପରିଗଣନା ଫର୍ମ (Enumeration Form) ବଣ୍ଟନ କରିବେ ।

ପୂରଣ ହୋଇଥିବା ଫର୍ମର ଗୋଟିଏ ନକଲ ବିଏଲଓ ସଂଗ୍ରହ କରିବେ ଏବଂ ଅନ୍ୟ ନକଲରେ ସ୍ୱାକ୍ଷର କରି ଭୋଟରଙ୍କୁ ସ୍ୱୀକୃତି ପତ୍ର ଭାବେ ଫେରସ୍ତ କରିବେ, ଯାହାକୁ ଭବିଷ୍ୟତ ପାଇଁ ସୁରକ୍ଷିତ ରଖିବାକୁ କୁହାଯାଇଛି । ଭୋଟରମାନେ ଚାହିଲେ ନିର୍ବାଚନ ଆୟୋଗଙ୍କ ସରକାରୀ ୱେବସାଇଟ୍ voters.eci.gov.in ରୁ ମଧ୍ୟ ଏହି ଫର୍ମ ଡାଉନଲୋଡ କରି ଅନଲାଇନରେ ପୂରଣ କରି ଅପଲୋଡ କରିପାରିବେ ।

ଜିଲ୍ଲାପାଳ ଆହୁରି ସ୍ପଷ୍ଟ କରିଛନ୍ତି ଯେ, ଫର୍ମ ପୂରଣ କରିବାରେ କୌଣସି ଅସୁବିଧା ହେଲେ ବିଏଲଓମାନେ ସମ୍ପୃକ୍ତ ଭୋଟରଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବେ । ସେହିପରି ନୂତନ ଭୋଟର ଭାବେ ନାମ ପଞ୍ଜୀକରଣ କରିବାକୁ ଇଚ୍ଛୁକ ଯୋଗ୍ୟ ବ୍ୟକ୍ତିଙ୍କୁ ବିଏଲଓମାନେ ଫର୍ମ-୬ ସହ ଆବଶ୍ୟକ ଘୋଷଣାପତ୍ର ମଧ୍ୟ ପ୍ରଦାନ କରିବେ ।

ସେ ଏହା ମଧ୍ୟ କହିଛନ୍ତି ଯେ, ପରିଗଣନା ସମୟରେ ଭୋଟରମାନଙ୍କ ଠାରୁ କୌଣସି ଅତିରିକ୍ତ ଦଲିଲପତ୍ର ସଂଗ୍ରହ କରାଯିବ ନାହିଁ । ତେଣୁ ବିଏଲଓମାନେ ତଥ୍ୟ ସଂଗ୍ରହ ପାଇଁ ଯେତେବେଳେ ଘରକୁ ଯିବେ, ସେମାନଙ୍କୁ ସଠିକ ଓ ସତ୍ୟ ତଥ୍ୟ ପ୍ରଦାନ କରି ପୂର୍ଣ୍ଣ ସହଯୋଗ କରିବାକୁ ସମସ୍ତ ଭୋଟରଙ୍କୁ ଅନୁରୋଧ କରାଯାଇଛି ।

ଏହି ପ୍ରକ୍ରିୟା ଅନୁସାରେ ଚିଠା ଭୋଟର ତାଲିକା ବା ଡ୍ରାଫ୍ଟ ଇଲେକ୍ଟୋରାଲ୍ ରୋଲ୍ ୦୫ ଜୁଲାଇ ୨୦୨୬ରେ ପ୍ରକାଶ ପାଇବ । ଏହାପରେ ୦୫ ଜୁଲାଇରୁ ୦୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରିବାର ସୁଯୋଗ ରହିବ । ଏହି ଅଭିଯୋଗ ଗୁଡ଼ିକୁ ଇଆରଓମାନେ ୦୨ ସେପ୍ଟେମ୍ବର ସୁଦ୍ଧା ନିଷ୍ପତ୍ତି କରିବେ ଏବଂ ପରେ ୦୬ ସେପ୍ଟେମ୍ବର ୨୦୨୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ।

ଏସଆଇଆର୍ ସମ୍ପର୍କିତ ଅଧିକ ସୂଚନା ପାଇଁ ଭୋଟରମାନେ ନିଜ ନିକଟସ୍ଥ ବିଏଲଓଙ୍କ ସହ ଯୋଗାଯୋଗ କରିପାରିବେ । ସେହିପରି ECI Voters Portal, ECINET ଆପ୍ କିମ୍ବା ୧୯୫୦ ଟୋଲ୍‌ ଫ୍ରି ନମ୍ବର ମାଧ୍ୟମରେ ମଧ୍ୟ ସହାୟତା ମିଳିପାରିବ ।

ଶେଷରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କୀର୍ତ୍ତିଭାସନ ଜିଲ୍ଲାବାସୀଙ୍କୁ ଏସ୍‌ଆଇଆର୍ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସଚେତନ ଓ ସହଯୋଗୀ ହେବାକୁ ଆହ୍ୱାନ ଜଣାଇଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score