Explore

Search

May 4, 2026 10:31 pm

ପାଦରେ କଲମ ଧରି ମାଟ୍ରିକ ପାସ କଲେ ମାଲକାନଗିରିର ଲକ୍ଷ୍ମୀ

ମାଲକାନଗିରି: ଦୃଢ଼ ଇଚ୍ଛାଶକ୍ତି ଓ ଅଦମ୍ୟ ସାହସ ଥିଲେ କୌଣସି ବାଧା ବଡ଼ ନୁହେଁ। ଏହାକୁ ପୁଣିଥରେ ପ୍ରମାଣ କରିଦେଇଛନ୍ତି ଲକ୍ଷ୍ମୀ ଖେମୁଡୁ। ଶାରୀରିକ ଅସୁବିଧା ସତ୍ୱେ ସେ ପାଦରେ କଲମ ଧରି ମାଟ୍ରିକ ପରୀକ୍ଷା ଦେଇ ସଫଳତା ଅର୍ଜନ କରିଛନ୍ତି।
ମାଲକାନଗିରି ଜିଲ୍ଲାର ଏହି ଦିବ୍ୟାଙ୍ଗ ଝିଅ ପରୀକ୍ଷା ସମୟରେ ସମଗ୍ର ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ହୋଇଥିଲେ। ଜିଲ୍ଲା ପ୍ରଶାସନ ତାଙ୍କ ପାଇଁ ବିଭିନ୍ନ ସୁବିଧା ବ୍ୟବସ୍ଥା କରିଥିଲେ, କିନ୍ତୁ ଲକ୍ଷ୍ମୀ ସେସବୁକୁ ଛାଡ଼ି ଅନ୍ୟ ଛାତ୍ରଛାତ୍ରୀଙ୍କ ସହିତ ପରୀକ୍ଷା ହଲରେ ବସି ପାଦରେ ଲେଖିଥିଲେ।
ସତିଗୁଡା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ କରିବା ପରେ ଲକ୍ଷ୍ମୀଙ୍କ ଘରେ ଖୁସିର ଲହରି ଛାଇଯାଇଛି। ତାଙ୍କ ସଫଳତା କେବଳ ପରୀକ୍ଷା ପାସ କରିବା ନୁହେଁ, ବରଂ ନିଜ ସ୍ବପ୍ନ ଓ ସ୍ବାଭିମାନ ପାଇଁ ଜିତିଥିବା ଏକ ଯୁଦ୍ଧ।
ଲକ୍ଷ୍ମୀ ଖେମୁଡୁ ମାଲକାନଗିରି ସଦର ବ୍ଲକ୍‌ର ସିନ୍ଧିମାଳ ପଞ୍ଚାୟତ ଅନ୍ତର୍ଗତ ଢେପଗୁଡା ଗ୍ରାମର ବାସିନ୍ଦା। ସେ ଜଣେ ଦିନମଜୁରିଆ ରାଜମିସ୍ତ୍ରୀ ନାରାୟଣ ଖେମୁଡୁଙ୍କ ବଡ଼ ଝିଅ। ଜନ୍ମରୁ ଶାରୀରିକ ଭିନ୍ନକ୍ଷମ ଥିବାରୁ ସେ ଚାଲିବା ପାଇଁ ହ୍ୱିଲଚେୟାର ଉପରେ ନିର୍ଭର କରନ୍ତି।

ଆର୍ଥିକ ଅସୁବିଧା ସତ୍ୱେ ମା’ବାପା ତାଙ୍କୁ କେବେ ବୋଝ ବୋଲି ମନେ କରି ନାହାଁନ୍ତି । ବାପା କମ୍ ପଢ଼ିଥିବା ଓ ମା’ ନିରକ୍ଷର ହେଲେ ମଧ୍ୟ ଝିଅର ଶିକ୍ଷା ପାଇଁ ସେମାନେ ସଦା ଆଗରେ ରହିଛନ୍ତି। ଏବେ ଲକ୍ଷ୍ମୀଙ୍କ ଉଚ୍ଚଶିକ୍ଷା ସ୍ବପ୍ନକୁ ସାକାର କରିବା ପାଇଁ ପରିବାର ଦୃଢ଼ ସଙ୍କଳ୍ପ ନେଇଛି।

ଲକ୍ଷ୍ମୀଙ୍କ ଏହି ସଫଳତା ପ୍ରମାଣ କରୁଛି ଇଚ୍ଛାଶକ୍ତି ଥିଲେ କୌଣସି ଅସମ୍ଭବ କାମ ବି ସମ୍ଭବ ହୋଇପାରିବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score