ବ୍ରହ୍ମପୁର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଘନୀଭୂତ ହେଉଥିବାରୁ ଓଡ଼ିଶାରେ ପାଣିପାଗର ରୂପ ରେଖା ବଦଳିଛି । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ଏହି ପ୍ରଣାଳୀ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅବପାତ ଓ ପରେ ଗଭୀର ଅବପାତରେ ପରିଣତ ହୋଇପାରେ । ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଏହା ସେପ୍ଟେମ୍ବର ୨୩ ତାରିଖ ପାଖାପାଖି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି।
ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ସହ ଉପକୂଳ ଅଞ୍ଚଳରେ ବର୍ଷାର ପରିମାଣ ବଢ଼ିବା ସହ ପବନର ବେଗ ମଧ୍ୟ ବୃଦ୍ଧି ପାଇପାରେ । ବିଶେଷକରି କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଭଳି ଜିଲ୍ଲା ଗୁଡ଼ିକରେ ଅଧିକରୁ ଅଧିକ ବର୍ଷା ସହ ପବନ ହେବାର ଆଶଙ୍କା ରହିଛି । ଅତ୍ୟଧିକ ବର୍ଷା କାରଣରୁ କେତେକ ସ୍ଥାନରେ ଆକସ୍ମିକ ବନ୍ୟା ଓ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଭଳି ସମସ୍ୟା ଦେଖାଦେଇପାରେ।
ଗଞ୍ଜାମ ଜିଲ୍ଲାକୁ ନେଇ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି ହୋଇଛି। ସେପ୍ଟେମ୍ବର ୨୩ ଓ ୨୪ ତାରିଖରେ ଜିଲ୍ଲାରେ ଅତିଭାରି ବର୍ଷାର ସମ୍ଭାବନା ରହିଥିବାରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହା ପୂର୍ବରୁ ମଧ୍ୟ ଜିଲ୍ଲାରେ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି।
ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କୀର୍ତ୍ତିଭାସନଙ୍କ ସୂଚନା ଅନୁସାରେ, ସମ୍ଭାବ୍ୟ ବର୍ଷା ଓ ବନ୍ୟା ପରିସ୍ଥିତିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପୂର୍ବରୁ ସଜାଗ ହୋଇଛି । ବିପଦପ୍ରବଣ ଅଞ୍ଚଳ ଗୁଡ଼ିକ ଚିହ୍ନଟ କରାଯିବା ସହ ସମସ୍ତ ବ୍ଲକରେ ଆଶ୍ରୟସ୍ଥଳୀ ଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି । ଆବଶ୍ୟକ ପଡ଼ିଲେ ନଦୀ ଓ ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବ।
ଜିଲ୍ଲା ଓ ବ୍ଲକସ୍ତରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ଜରୁରୀ ପରିସ୍ଥିତିରେ ଲୋକେ ଏହି ନିୟନ୍ତ୍ରଣ କକ୍ଷ ସହ ଯୋଗାଯୋଗ କରିପାରିବେ। ବ୍ଲକ ଓ ତହସିଲସ୍ତରର ଅଧିକାରୀମାନଙ୍କୁ ମଧ୍ୟ ନିଜ ଅଞ୍ଚଳରେ ସଜାଗ ରହିବାକୁ କୁହାଯାଇଛି। ସ୍ୱାସ୍ଥ୍ୟ ବିଭାଗ, ବିଦ୍ୟୁତ ବିଭାଗ, ପୋଲିସ, ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍କୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି।
ବର୍ଷା ସହ ବଜ୍ରପାତର ଆଶଙ୍କା ଥିବାରୁ ସାଧାରଣ ଲୋକଙ୍କୁ ବିନା ଆବଶ୍ୟକତାରେ ଘରୁ ନବାହାରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ବିଶେଷକରି ଚାଷ ଜମିରେ ବଜ୍ରପାତର ବିପଦ ଅଧିକ ଥିବାରୁ ଆଗାମୀ କିଛି ଦିନ ଚାଷୀମାନେ ଜମିକୁ ନଯିବାକୁ ପରାମର୍ଶ ଦିଆଯାଇଛି।
ପୂର୍ବରୁ ଅଧିକ ବର୍ଷାରେ ପ୍ରଭାବିତ ହୋଇଥିବା ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି। ସେହିପରି କଳିଙ୍ଗା ଘାଟିର କେତେକ ସ୍ଥାନରେ ଭୂସ୍ଖଳନ ଆଶଙ୍କା ଥିବାରୁ ବିପଦପ୍ରବଣ ସ୍ଥାନ ଗୁଡ଼ିକ ଚିହ୍ନଟ କରାଯାଇଛି। ସେଠାରେ ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍କୁ ମୁତୟନ କରାଯାଇଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
