ଛତ୍ରପୁର : ଜମୁଛି ଛତ୍ରପୁର ମହୋତ୍ସବ-୨୦୨୬ । ଗଞ୍ଜାମ ଜିଲ୍ଲା ପ୍ରଶାସନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ମହୋତ୍ସବର ୨ୟ ସନ୍ଧ୍ୟାରେ ଦର୍ଶକଙ୍କ ଲାଗିଛି ଖଚାଖଚ୍ଚ ଭିଡ । ଏହି ମହୋତ୍ସବକୁ ଦେଖିବା ପାଇଁ କେବଳ ଜିଲ୍ଲା ନୁହେଁ ଜିଲ୍ଲା ବାହାରୁ ମଧ୍ୟ ଆସିଛନ୍ତି ଦର୍ଶକ ।
ମହୋତ୍ସବରେ ବେଶ ଆଖିଦୃଶିଆ ସାଜିଛି ପଲ୍ଲିଶ୍ରୀ ମେଳା। ଏଠାରେ ଘରକରଣା ଜିନିଷଠୁ ନେଇ ସବୁ କିଛି ମିଳୁଛି ହାତପାହନ୍ତାରେ । ସେହିପରି ଛତ୍ରପୁର ମହୋତ୍ସବରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା, ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା, ଖାଦ୍ୟ ମେଳା ଏବଂ ସୁଭଦ୍ରା ଶକ୍ତି ମେଳା ପାଖରେ ଲାଗିଛି ଦର୍ଶକଙ୍କ ଲମ୍ଭା ଧାଡି।
ପଲ୍ଲିଶ୍ରୀ ମେଳାରେ ଜିଲ୍ଲା ଓ ଜିଲ୍ଲା ବାହାରର ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗରମାନେ ନିଜ ଉତ୍ପାଦ ପ୍ରଦର୍ଶନ ଓ ବିକ୍ରୟ କରୁଥିବା ବେଳେ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାରେ ବିଭିନ୍ନ ସରକାରୀ ଯୋଜନା ଏବଂ ଜୀବିକା ବୃଦ୍ଧିର ସୁଯୋଗ ସମ୍ପର୍କରେ ସୂଚନା ଦିଆଯାଉଛି। କୃଷି ଯନ୍ତ୍ରପାତି ମେଳାରେ ଅତ୍ୟାଧୁନିକ କୃଷି ଉପକରଣ ଏବଂ ଉନ୍ନତ ଚାଷ ପ୍ରଣାଳୀ ଚାଷୀମାନଙ୍କୁ ଆକର୍ଷିତ କରୁଛି।
ସେହିପରି ଖାଦ୍ୟ ମେଳାରେ ଓଡ଼ିଶାର ପାରମ୍ପରିକ ପିଠା, ପଣା, ମିଠା ସହ ବାଲେଶ୍ୱରର ପତ୍ରପୋଡ଼ା ମାଂସ, ବାରିପଦାର ପ୍ରସିଦ୍ଧ ମୁଢ଼ି ମାଂସ ଭଳି ବ୍ୟଞ୍ଜନର ସ୍ୱାଦ ନେବାକୁ ଖାଉଟି ପ୍ରେମୀଙ୍କ ଭିଡ଼ ଜମିଥିଲା ।
ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବେଶ୍ ମନୋରଞ୍ଜନ ଯୋଗାଇଛି । ଲୋକପ୍ରିୟ ଗାୟକ ମଣ୍ଟୁ ଛୁରିଆଙ୍କ ରୋମାଣ୍ଟିକ ଓ ଲୋକପ୍ରିୟ ଗୀତରେ ମଞ୍ଚ ଓ ଦର୍ଶକ ଝୁମି ଉଠିଥିବା ବେଳେ, ଓଲିଉଡ଼ର ହାସ୍ୟ ଅଭିନେତା ପପୁ ପମପମଙ୍କ ଚୁଟକି, ମଜାଦାର କଥା ଓ ଅଭିନୟ ଦର୍ଶକଙ୍କୁ ହସାଇ ହସାଇ ବେଦମ କରିଦେଇଥିଲା । ଯାହା ଦ୍ୱିତୀୟ ସନ୍ଧ୍ୟାକୁ ସ୍ମରଣୀୟ କରିଦେଇଥିଲା।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କୀର୍ତ୍ତିଭାସନ ସୂଚନା ଦେଇଥିଲେ ଯେ, ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ଦେଶର ଶ୍ରେଷ୍ଠ ଦ୍ୱିତୀୟ ଜିଲ୍ଲା ଭାବେ ଜାତୀୟ ସମ୍ମାନ ପାଇବାକୁ ଯାଉଛି । ସେହିପରି ଛତ୍ରପୁର ବ୍ଲକର ପୋଟଲାମପୁର ପଞ୍ଚାୟତକୁ ଶ୍ରେଷ୍ଠ ସୁସ୍ଥ ପଞ୍ଚାୟତ ଏବଂ ପୋଲସରା ବ୍ଲକର ମନ୍ଦାର ପଞ୍ଚାୟତକୁ ଶ୍ରେଷ୍ଠ ସାମାଜିକ ନ୍ୟାୟ ଓ ସାମାଜିକ ସୁରକ୍ଷା ପଞ୍ଚାୟତ ଭାବେ ଜାତୀୟସ୍ତରରେ ସମ୍ମାନିତ କରାଯିବ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
