ପୁରୀ : ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ପବିତ୍ର ଓ ଭାବବିହ୍ୱଳ ଅଧ୍ୟାୟ ହେଉଛି ଅଣସର ନୀତି। ସ୍ନାନ ପୂର୍ଣ୍ଣିମା ପରେ ଜ୍ୱରାକ୍ରାନ୍ତ ହୋଇ ଅଣସର ଘରେ ବିଶ୍ରାମ ନେଉଥିବା ଚତୁର୍ଦ୍ଧାମୂର୍ତ୍ତି ଖଳି ଲାଗି ଏକାଦଶୀରେ ସୁସ୍ଥତା ଲାଭ କରିଛନ୍ତି। ମହାପ୍ରଭୁଙ୍କ ସୁସ୍ଥତାର ସୂଚନା ଦେବା ପାଇଁ ଆଜି ଶ୍ରୀମନ୍ଦିର ପରିସର ଘଣ୍ଟ, ଘଣ୍ଟା ଓ କାହାଳୀର ଧ୍ୱନିରେ ମୁଖରିତ ହୋଇଉଠିଥିଲା । ମଣିମା ଡାକରେ କମ୍ପି ଉଠିଥିଲା ବଡଦାଣ୍ଡ, ଯାହା ଭକ୍ତମାନଙ୍କ ମନରେ ଆନନ୍ଦର ଲହରୀ ସୃଷ୍ଟି କରିଥିଲା।
ସ୍ନାନ ପୂର୍ଣ୍ଣିମା ପରଠାରୁ ଅଣସର ଗୃହରେ ରହୁଥିବା ମହାପ୍ରଭୁ ଗତ ଦଶମୀ ତିଥିରେ ଶଯ୍ୟା ତ୍ୟାଗ କରି ଚକା ବିଜେ କରିଥିଲେ। ଆଜି ଖଳି ଲାଗି ଏକାଦଶୀ ଅବସରରେ ଦଶମୂଳ ମୋଦକ ଲାଗି ହେବା ପରେ ଶ୍ରୀବିଗ୍ରହମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ବିଶ୍ୱାସ ରହିଛି । ପରମ୍ପରା ଅନୁଯାୟୀ ଦଇତା ଓ ପତିମହାପାତ୍ର ସେବାୟତମାନେ ଚନ୍ଦନ, କର୍ପୂର, କେଶର ଓ କସ୍ତୁରୀ ମିଶ୍ରିତ ଲେପ ଶ୍ରୀଅଙ୍ଗରେ ପ୍ରୟୋଗ କରିଥିଲେ। ବାରଲାଗି ଖଣ୍ଡୁଆପାଟ ପରିଧାନ କରିଥିବା ଠାକୁରଙ୍କୁ ଜ୍ୱର ଭଲ ହେବା ପରେ ପୁନର୍ବାର ତୁଳସୀ ଲାଗି କରାଯାଇଥିଲା।
ଅଣସର ସମୟରେ କେବଳ ଧଳା ଫୁଲରେ ପୂଜା ପାଉଥିବା ଶ୍ରୀଜୀଉମାନଙ୍କୁ ଆଜିଠାରୁ ତୁଳସୀ ଓ ବିଭିନ୍ନ ରଙ୍ଗର ସୁଗନ୍ଧିତ ଫୁଲରେ ସଜାଯାଇଛି। ଖଳି ଲାଗି ନୀତି ସମୟରେ ଘଣ୍ଟ ଓ କାହାଳୀ ବଜାଇ ମହାପ୍ରଭୁଙ୍କ ସୁସ୍ଥତାର ସନ୍ଦେଶ ଭକ୍ତମାନଙ୍କୁ ପହଞ୍ଚାଇବାର ପରମ୍ପରା ରହିଛି।
ଦ୍ୱାଦଶୀରେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କିତ ଖବର ଗଜପତି ମହାରାଜାଙ୍କ ନିକଟକୁ ପହଞ୍ଚାଯିବ। ଏହାପରେ ଭକ୍ତମାନଙ୍କ ବହୁ ପ୍ରତୀକ୍ଷିତ ନବଯୌବନ ଦର୍ଶନ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହେବ। ଆସନ୍ତାକାଲି ନବଯୌବନ ବେଶରେ ବ୍ରହ୍ମାଣ୍ଡ ନାୟକ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଭକ୍ତମାନଙ୍କୁ ଦର୍ଶନ ଦେବେ।
ଅନ୍ୟପଟେ ରଥଖଳାରେ ମଧ୍ୟ ଚାଲିଛି ଶେଷ ପର୍ଯ୍ୟାୟର କାର୍ଯ୍ୟ। ଦୀର୍ଘ ୮୨ ଦିନର ପରିଶ୍ରମ ପରେ ଆଜି ତିନି ରଥ ଉପରକୁ କଳସ ଉଠାଯାଇଛି। ଏହା ସହ ଓଲଟା ଶୁଆ ମଧ୍ୟ କଳସରେ ସଂଯୋଗ କରାଯାଇଛି। ଭୋଇ ସେବକମାନେ ଅଷ୍ଟମ ହରିବୋଲ ଦେଇଥିବା ବେଳେ ଆଉ ଗୋଟିଏ ହରିବୋଲ ପରେ ରଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ।
ଏପଟେ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଗମନ ପାଇଁ ପ୍ରଭାବେଦୀ ସଜେଇ ହୋଇ ପ୍ରସ୍ତୁତ ରହିଛି। ଦଶମୂଳ ମୋଦକ ଲାଗି ପରେ ମହାପ୍ରଭୁଙ୍କ ସୁସ୍ଥତା ଓ ରଥ ନିର୍ମାଣ କାର୍ଯ୍ୟର ଶେଷ ପର୍ଯ୍ୟାୟ ରଥଯାତ୍ରାର ମହାମିଳନ ପାଇଁ ଭକ୍ତମାନଙ୍କ ଉତ୍ସାହକୁ ଆହୁରି ବଢ଼ାଇ ଦେଇଛି। ଏବେ ସମସ୍ତଙ୍କ ନଜର ରହିଛି ନବଯୌବନ ଦର୍ଶନ ଓ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଉପରେ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
