Explore

Search

August 25, 2026 7:35 pm

ବ୍ରହ୍ମପୁରର ଅଶୋକନଗରରେ ୩୨ ଫୁଟ୍‌ର ବିଘ୍ନହର୍ତ୍ତା : ‘ଲାଲବାଗଚା ରାଜା’ ରୂପରେ ଗଜାନନ

ବ୍ରହ୍ମପୁର : ଆଉ ଦିନ କେଇଟା ପରେ ଗଣେଶ ପୂଜା। ପୂଜାକୁ ନେଇ ସବୁଠି ଉତ୍ସାହ ଓ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବ୍ରହ୍ମପୁର ସହରର ପ୍ରସିଦ୍ଧ ଅଶୋକନଗର ପୂଜା ମଣ୍ଡପରେ ଏଥର ୩୨ ଫୁଟ୍‌ ଉଚ୍ଚତାର ଗଜାନନଙ୍କ ମୂର୍ତ୍ତି ପୂଜା ପାଇବେ। ମହାରାଷ୍ଟ୍ରର ପ୍ରସିଦ୍ଧ ‘ଲାଲବାଗଚା ରାଜା’ଙ୍କ ଏହି ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରାଯାଉଛି।

ଏହି ମୂର୍ତ୍ତି ଚଳିତବର୍ଷ ପୂଜାର ମୁଖ୍ୟ ଆକର୍ଷଣ ପାଲଟିବ ବୋଲି ପୂଜା କମିଟି ଆଶା ପ୍ରକାଶ କରିଛି । ଗଣେଶ ପୂଜା ପାଇଁ ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା ଅଶୋକନଗରରେ ଏଥର ୧୯ତମ ବର୍ଷରେ ପଦାର୍ପଣ କରିବ ଗଜାନନଙ୍କ ପୂଜା। ପୂର୍ବ ବର୍ଷ ଗୁଡ଼ିକ ଭଳି ଏଥର ମଧ୍ୟ ଷଷ୍ଠ ଲାଇନରେ ଧୁମଧାମରେ ପୂଜା ଆୟୋଜନ କରାଯିବ।

ବିଶାଳ ମୂର୍ତ୍ତି ନିର୍ମାଣ କାର୍ଯ୍ୟରେ ବ୍ରହ୍ମପୁରର ସ୍ଥାନୀୟ କାରିଗରମାନେ ଗତ ତିନି ମାସ ଧରି ନିୟୋଜିତ ଅଛନ୍ତି। ସେମାନଙ୍କୁ କଟକରୁ ଆସିଥିବା ୫ ଜଣ କାରିଗର ସହଯୋଗ କରୁଛନ୍ତି। ମୂର୍ତ୍ତି ନିର୍ମାଣ ସହ ପୂଜା ମଣ୍ଡପ ସଜ୍ଜା ଓ ଅନ୍ୟାନ୍ୟ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି।

ଚଳିତବର୍ଷ ପୂଜାକୁ ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରିବା ସହ ସ୍ଥାନୀୟ ସଂସ୍କୃତି ଓ ପରମ୍ପରାକୁ ଅଧିକ ଗୁରୁତ୍ୱ ଦେବା ପାଇଁ ନୂତନ ପରିଚାଳନା କମିଟି ଗଠନ କରାଯାଇଛି। ଆସନ୍ତା ୮ ତାରିଖରେ ଶୁଭଖୁଣ୍ଟି ସ୍ଥାପନ କରାଯିବ। ସେହିପରି ସେପ୍ଟେମ୍ବର ୧୪ରେ ଗଜାନନଙ୍କ ପୂଜାର ଶୁଭାରମ୍ଭ ହେବ ଏବଂ ୨୫ ତାରିଖରେ କ୍ଷୀରାଭିଷେକ ସହ ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ବିସର୍ଜନ କରାଯିବ।

ପୂଜା ଅବସରରେ ଧାର୍ମିକ କାର୍ଯ୍ୟକ୍ରମ ସହ ସାମାଜିକ କାର୍ଯ୍ୟକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ। ପୂଜା ମଣ୍ଡପ ନିକଟରେ ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଏବଂ ଯୁବବର୍ଗଙ୍କୁ ନେଇ ମେଗା ରକ୍ତଦାନ ଶିବିର ଆୟୋଜନ କରାଯିବ।

ପୂଜା କମିଟି ପକ୍ଷରୁ କୁହାଯାଇଛି ଯେ, ଏଥର ‘ଲାଲବାଗଚା ରାଜା’ଙ୍କ ରୂପରେ ଗଣେଶ ପୂଜା ଆୟୋଜନ କରିବାକୁ ଯୋଜନା ରହିଛି। ଦୀର୍ଘ ୧୧ ଦିନ ଧରି ଗଜାନନଙ୍କ ପୂଜାର୍ଚ୍ଚନା କରାଯିବ।

ପୂଜା କମିଟିର ସଭାପତି ତଥା ସ୍ଥାନୀୟ କର୍ପୋରେଟର କହିଛନ୍ତି, “ଅଶୋକନଗର ଯୁବ ସଂଘ ପକ୍ଷରୁ ପ୍ରତିବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସାମାଜିକ କାର୍ଯ୍ୟକୁ ମଧ୍ୟ ଗୁରୁତ୍ୱ ଦିଆଯାଏ। ଚଳିତବର୍ଷ ଦକ୍ଷିଣ ଓଡ଼ିଶାର ସବୁଠାରୁ ବଡ଼ ଗଣେଶ ମୂର୍ତ୍ତି ଭାବେ ଏଠାରେ ୩୨ ଫୁଟ୍‌ର ଗଜାନନଙ୍କୁ ପୂଜା କରାଯିବ। ଏଥିସହ ରକ୍ତଦାନ କାର୍ଯ୍ୟକ୍ରମ ଓ ମେଗା ସ୍ୱାସ୍ଥ୍ୟ ଶିବିର ମଧ୍ୟ ଆୟୋଜନ କରାଯିବ।”

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score