Explore

Search

June 23, 2026 11:29 pm

ଓଡ଼ିଶା ଉଚ୍ଚଶିକ୍ଷାରେ ନୂଆ ଦିଗ: ୧.୫୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ନଶିପ୍ ଓ ସାମାଜିକ ସେବାର ସୁଯୋଗ

ଭୁବନେଶ୍ୱର : ଉଚ୍ଚଶିକ୍ଷାକୁ ଅଧିକ ବ୍ୟବହାରିକ ଓ ନିଯୁକ୍ତିମୁଖୀ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । ଜାତୀୟ ଶିକ୍ଷା ନୀତି (NEP)-୨୦୨୦ର ଲକ୍ଷ୍ୟକୁ ଆଗରେ ରଖି ରାଜ୍ୟର ସ୍ନାତକସ୍ତରର ଛାତ୍ରଛାତ୍ରୀଙ୍କ ପାଇଁ ‘କ୍ରେଡିଟ୍-ଲିଙ୍କ୍ଡ ଇଣ୍ଟର୍ନଶିପ୍ ଏବଂ କମ୍ୟୁନିଟି ସର୍ଭିସ୍’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହା ମାଧ୍ୟମରେ ଶ୍ରେଣୀଗୃହର ପାଠପଢ଼ା ସହ ବାସ୍ତବ କାର୍ଯ୍ୟକ୍ଷେତ୍ରର ଅନୁଭବକୁ ଯୋଡ଼ାଯାଉଛି।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟାରର ୧ ଲକ୍ଷ ୫୧ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ଶିକ୍ଷା ସହ ଇଣ୍ଟର୍ନଶିପ୍ ଓ ସାମାଜିକ ସେବାକୁ ସଂଯୋଗ କରି ସେମାନଙ୍କୁ ବ୍ୟବହାରିକ ଜ୍ଞାନ, କାର୍ଯ୍ୟସ୍ଥଳର ଅନୁଭବ ଏବଂ ବୃତ୍ତିଗତ କୌଶଳ ପ୍ରଦାନ କରାଯାଉଛି।

ଗତ ମେ’ ୨ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମର ଗାଇଡ୍‌ ଲାଇନ୍ସ ଉନ୍ମୋଚନ କରିଥିଲେ। ନୂତନ ବ୍ୟବସ୍ଥା ଅନୁଯାୟୀ, ଇଣ୍ଟର୍ନଶିପ୍ ଓ କମ୍ୟୁନିଟି ସର୍ଭିସ୍‌କୁ ସ୍ନାତକ ପାଠ୍ୟକ୍ରମର ଏକ ବାଧ୍ୟତାମୂଳକ ଏବଂ କ୍ରେଡିଟ୍‌ଭିତ୍ତିକ ଅଂଶ ଭାବେ ସାମିଲ କରାଯାଇଛି।

ସରକାରୀ ତଥ୍ୟ ଅନୁଯାୟୀ, ପ୍ରାୟ ୮୬ ହଜାର ୫୦୦ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସଂସ୍ଥାରେ ଇଣ୍ଟର୍ନଶିପ୍ ସୁଯୋଗ ମିଳିଛି। ସେମାନେ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ହସ୍ପିଟାଲ, ଶିକ୍ଷାନୁଷ୍ଠାନ, ଶିଳ୍ପ ପ୍ରତିଷ୍ଠାନ, ଲଜିଷ୍ଟିକ୍ସ କମ୍ପାନୀ ଓ କର୍ପୋରେଟ୍ ସଂସ୍ଥାରେ ପ୍ରଶିକ୍ଷଣ ନେଉଛନ୍ତି। ଏହା ମାଧ୍ୟମରେ ସେମାନେ କାର୍ଯ୍ୟସ୍ଥଳର ପରିବେଶ, ଦାୟିତ୍ୱବୋଧ ଓ ପେସାଦାର କୌଶଳ ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଭବ ଲାଭ କରୁଛନ୍ତି।

ସେହିପରି ପ୍ରାୟ ୫୯ ହଜାର ୫୦୦ ଛାତ୍ରଛାତ୍ରୀଙ୍କୁ କମ୍ୟୁନିଟି ସର୍ଭିସ୍ କାର୍ଯ୍ୟକ୍ରମରେ ସଂପୃକ୍ତ କରାଯାଇଛି। ଗ୍ରାମ ଉନ୍ନୟନ, ସାମାଜିକ ସର୍ବେକ୍ଷଣ, ଏନ୍‌ଏସ୍‌ଏସ୍ କାର୍ଯ୍ୟକ୍ରମ, ପଞ୍ଚାୟତସ୍ତରୀୟ ପ୍ରକଳ୍ପ, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସାମାଜିକ ସଚେତନତା ଅଭିଯାନରେ ସେମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରୁଛନ୍ତି। ଏହା ଦ୍ୱାରା ସାମାଜିକ ଦାୟିତ୍ୱବୋଧ, ନେତୃତ୍ୱ କ୍ଷମତା ଓ ଯୋଗାଯୋଗ କୌଶଳର ବିକାଶ ହେବ ବୋଲି ଆଶା କରାଯାଉଛି।

ରାଜ୍ୟର ୫୮୫ଟି ଉଚ୍ଚଶିକ୍ଷା ଅନୁଷ୍ଠାନରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି। କଳା, ବିଜ୍ଞାନ, ବାଣିଜ୍ୟ ଓ ବୃତ୍ତିଗତ ପାଠ୍ୟକ୍ରମର ଛାତ୍ରଛାତ୍ରୀମାନେ ଏଥିରେ ସାମିଲ ହୋଇଛନ୍ତି। ବିଶେଷକରି ଓଡ଼ିଆ, ଇତିହାସ, ସଂସ୍କୃତ ଭଳି ମାନବିକ ବିଷୟର ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଇଣ୍ଟର୍ନଶିପ୍ ସୁଯୋଗ ସୃଷ୍ଟି କରାଯାଇଛି।

ଏହି ଛାତ୍ରଛାତ୍ରୀମାନେ ପୁରାତତ୍ତ୍ୱ ବିଭାଗ, ସଂଗ୍ରହାଳୟ, ଐତିହ୍ୟ ସଂସ୍ଥା, ଅଙ୍ଗନୱାଡ଼ି କେନ୍ଦ୍ର ଓ ବିଭିନ୍ନ ଗବେଷଣା ସଂସ୍ଥାରେ ପ୍ରଶିକ୍ଷଣ ନେଉଛନ୍ତି। ଏହା ଦ୍ୱାରା ପାରମ୍ପରିକ ବିଷୟର ଛାତ୍ରଛାତ୍ରୀମାନେ ମଧ୍ୟ ନିଜ କ୍ୟାରିୟର ସହ ଜଡ଼ିତ ବାସ୍ତବ ଅନୁଭବ ହାସଲ କରିପାରୁଛନ୍ତି।

ଶିକ୍ଷାବିଦ୍‌ମାନଙ୍କ ମତରେ, ଏଭଳି ଇଣ୍ଟର୍ନଶିପ୍ ଓ କମ୍ୟୁନିଟି ସର୍ଭିସ୍ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ କେବଳ ଚାକିରି ପାଇଁ ପ୍ରସ୍ତୁତ କରିବ ନୁହେଁ, ବରଂ ସେମାନଙ୍କୁ ସାମାଜିକ ଭାବେ ଅଧିକ ସଚେତନ ଓ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ି ତୋଳିବ। ଶିକ୍ଷା ଓ ବ୍ୟବହାରିକ ଅନୁଭବର ଏହି ସମନ୍ୱୟ ଭବିଷ୍ୟତରେ ଦକ୍ଷ ମାନବ ସମ୍ପଦ ସୃଷ୍ଟିରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।

ସମୁଦାୟ ୧.୫୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ସହ ଓଡ଼ିଶାର ଏହି ପଦକ୍ଷେପ ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ କରିଛି। ନିଯୁକ୍ତିମୁଖୀ ଶିକ୍ଷା ଏବଂ ବ୍ୟବହାରିକ ଅନୁଭବକୁ ଗୁରୁତ୍ୱ ଦେଉଥିବା ଏହି ମଡେଲ୍ ଭବିଷ୍ୟତରେ ଅନ୍ୟ ରାଜ୍ୟମାନଙ୍କ ପାଇଁ ମଧ୍ୟ ଏକ ଆଦର୍ଶ ହୋଇପାରେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score