Explore

Search

October 9, 2026 3:35 am

ଓଡ଼ିଶା ବନ୍ଦର ପ୍ରଭାବ: ସାରା ରାଜ୍ୟରେ ବାଧାପ୍ରାପ୍ତ ଜନସାଧାରଣ ପରିବହନ

ଭୁବନେଶ୍ୱର: ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ସାଧାରଣ ଜନଜୀବନ ଓ ଜନସାଧାରଣ ପରିବହନ ପ୍ରଭାବିତ ହୋଇଛି। ଅନେକ ସ୍ଥାନରେ ବସ୍‌ ଓ ଅଟୋରିକ୍ସା ରାସ୍ତାରୁ ଦୂରେଇ ରହିବାରୁ ଯାତ୍ରୀମାନେ ଅସୁବିଧାରେ ପଡ଼ିଛନ୍ତି। ବିକଳ୍ପ ଯାତାୟାତ ମାଧ୍ୟମ ଖୋଜିବାକୁ ବାଧ୍ୟ ହୋଇଛନ୍ତି ଦୈନିକ ଯାତ୍ରୀ।

ତେବେ ହସ୍ପିଟାଲ, ଆମ୍ବୁଲାନ୍ସ, ଔଷଧ ଦୋକାନ, କ୍ଷୀର ଯୋଗାଣ, ଅଗ୍ନିଶମ ଓ ଉଦ୍ଧାର ସେବା, ପରୀକ୍ଷା ଏବଂ ଗଣମାଧ୍ୟମ କାର୍ଯ୍ୟକଳାପକୁ ବନ୍ଦରୁ ବାଦ୍‌ ଦିଆଯାଇଛି।

୪ଟି ପ୍ରମୁଖ ଦାବିକୁ ନେଇ ବନ୍ଦ

ବିରୋଧୀ ଦଳଗୁଡ଼ିକ MMDR Amendment Act ପ୍ରତ୍ୟାହାର, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ପାଠ୍ୟପୁସ୍ତକରେ କଥିତ ଅନିୟମିତତାକୁ ନେଇ ଓଡ଼ିଶା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଛନ୍ତି।

ଚତୁର୍ଥ ଦାବି ଭାବେ ରାଜ୍ୟର ବିଭିନ୍ନ ଅଞ୍ଚଳର ବନ୍ୟା ପ୍ରଭାବିତ ପରିବାରଙ୍କୁ ତୁରନ୍ତ ଏବଂ ପର୍ଯ୍ୟାପ୍ତ କ୍ଷତିପୂରଣ/ସହାୟତା ପ୍ରଦାନ କରିବାକୁ ଦାବି କରାଯାଇଛି।

କଂଗ୍ରେସ ସମେତ ଅନ୍ୟ ୮ଟି ବିରୋଧୀ ଦଳ ଲୋକଙ୍କୁ ବନ୍ଦ ସମୟରେ ଗାଡ଼ି ନଚଳାଇବା ସହ ଦୋକାନ, ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଓ କାର୍ଯ୍ୟାଳୟ ବନ୍ଦ ରଖିବାକୁ ଆହ୍ୱାନ ଦେଇଛନ୍ତି।

ରାସ୍ତାରୁ ହଟିଲା ବସ୍‌ ଓ ଅଟୋ

ବନ୍ଦର ସବୁଠାରୁ ଅଧିକ ପ୍ରଭାବ ସାଧାରଣ ପରିବହନ ଉପରେ ପଡ଼ିଛି। ଯଦିଓ ଓଡ଼ିଶା ପ୍ରାଇଭେଟ୍‌ ବସ୍‌ ମାଲିକ ସଂଘ ବନ୍ଦକୁ ସମର୍ଥନ କରିନାହିଁ, ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ରାସ୍ତା ଅବରୋଧ ଯୋଗୁଁ ବସ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ସେହିପରି ସୁରକ୍ଷା ଦୃଷ୍ଟିରୁ ନିଖିଳ ଉତ୍କଳ ଅଟୋ ଚାଳକ ସଂଘ ଅଟୋରିକ୍ସା ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି।

ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ

ରାଜଧାନୀ ଭୁବନେଶ୍ୱରରେ ବିକ୍ଷୋଭକାରୀମାନେ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିବା ସହ ଗାଡ଼ି ଅଟକାଇଥିବା ଦେଖିବାକୁ ମିଳିଛି।

ମାଷ୍ଟର କ୍ୟାଣ୍ଟିନ୍‌ ଅଞ୍ଚଳରେ ବିରୋଧୀ ଦଳର କର୍ମୀମାନେ ବିକ୍ଷୋଭ କରିବାରୁ ବସ୍‌ ଓ ଅଟୋ ଚଳାଚଳ ବନ୍ଦ ହୋଇଯାଇଥିଲା।

ଅନ୍ୟପକ୍ଷରେ ସମ୍ବଲପୁରର ଲକ୍ଷ୍ମୀ ଟକିଜ୍‌ ଛକରେ ବିକ୍ଷୋଭକାରୀମାନେ ଏକ ‘ଆମ ବସ୍‌’ ଅଟକାଇବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି।

ଯାତ୍ରୀ ହନ୍ତସନ୍ତ

ବନ୍ଦ ଯୋଗୁଁ ଦୈନିକ ଯାତାୟାତ ପାଇଁ ସରକାରୀ ଓ ଘରୋଇ ବସ୍‌ ଉପରେ ନିର୍ଭରଶୀଳ ଯାତ୍ରୀମାନେ ବିଶେଷ ଅସୁବିଧାରେ ପଡ଼ିଛନ୍ତି।

କଟକରେ ଅନେକ ଯାତ୍ରୀ ବନ୍ଦ ସମ୍ପର୍କରେ ଅବଗତ ନଥିବା କହିଛନ୍ତି। ବସ୍‌ ଚଳାଚଳ ବନ୍ଦ ଥିବା ଜାଣିବା ପରେ ସେମାନେ ଅସୁବିଧାରେ ପଡ଼ିଥିଲେ। ପୁରୀ ବୁଲିବାକୁ ଯାଇଥିବା ୫ ଜଣିଆ ଏକ ଦଳ ମଧ୍ୟ ବସ୍‌ ନମିଳିବାରୁ ଘରକୁ ଫେରିବାରେ ସମସ୍ୟାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି।

ଅନ୍ୟ ଜଣେ ଯାତ୍ରୀ କହିଛନ୍ତି ଯେ, ଅଟୋ ଭଡ଼ା କରିବା ତାଙ୍କ ପାଇଁ ଅଧିକ ଖର୍ଚ୍ଚସାପେକ୍ଷ ହୋଇଥିବାରୁ ପରିବାର ସହ ବସ୍‌ଷ୍ଟାଣ୍ଡରେ ରହିବାକୁ ବାଧ୍ୟ ହୋଇଛନ୍ତି।

ଭୁବନେଶ୍ୱରରେ କଡ଼ା ସୁରକ୍ଷା ବ୍ୟବସ୍ଥା

ବନ୍ଦ ସମୟରେ ଆଇନଶୃଙ୍ଖଳା ବଜାୟ ରଖିବା ଓ କୌଣସି ଅପ୍ରୀତିକର ଘଟଣାକୁ ରୋକିବା ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଅତିରିକ୍ତ ସୁରକ୍ଷା କର୍ମଚାରୀ ମୁତୟନ କରାଯାଇଛି।

ରାଜଧାନୀର ପ୍ରମୁଖ ସ୍ଥାନଗୁଡ଼ିକରେ ପ୍ରାୟ ୧୮ ପ୍ଲାଟୁନ୍‌ ସୁରକ୍ଷା ବାହିନୀ ଓ ୧୦୦ ଜଣ ଅଧିକାରୀଙ୍କୁ ମୁତୟନ ପାଇଁ ପ୍ରସ୍ତୁତ ରଖାଯାଇଥିବା ଜଣାପଡ଼ିଛି।

ପରିବହନ ଓ ବ୍ୟବସାୟିକ କାର୍ଯ୍ୟକଳାପ ପ୍ରଭାବିତ ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟସେବା, ଜରୁରୀକାଳୀନ ସେବା, ଔଷଧ ଯୋଗାଣ, କ୍ଷୀର ବଣ୍ଟନ ଓ ପରୀକ୍ଷା ଭଳି ଅତ୍ୟାବଶ୍ୟକ ସେବା ଚାଲୁ ରହିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score